ବିଶ୍ଵର ଶ୍ରେଷ୍ଠ ୩ ମଧ୍ୟରେ ଜଟଣୀ ପୌରପାଳିକା

ଭୁବନେଶ୍ୱର : ୟୁ .ଏନ୍ ହାବିଟାଟ୍ ‘ୟଙ୍ଗ୍ ଗେମ୍ ଚେଂଜର୍ ଇନିସିଏଟିଭ୍’ ଆନ୍ତର୍ଜାତିକ ପ୍ରତିଯୋଗିତାରେ ବିଶ୍ଵର ବିଭିନ୍ନ ନାଗରୀର ଆବେଦନ ମଧ୍ୟରୁ ଚୟନ କରାଯାଇଥିବା  ୩ଟି ସହର  ମଧ୍ୟରେ ଭାରତର ଜଟଣୀ ପୌରପାଳିକା ସ୍ଥାନୀତ ହୋଇଛି । ଏଥିରେ କଲମ୍ବିଆର ଆର୍ମେନିଆ ଓ ସେନେଗାଲ୍ ର ବାର୍ଗ୍ନି ସହର ମଧ୍ୟ ସ୍ଥାନ ପାଇଛନ୍ତି ।

ମିଳିତ ଜାତିସଂଘ ପକ୍ଷରୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏବଂ ‘ବ୍ଲକ୍ ବାଇ ବ୍ଲକ୍ ଫାଉଣ୍ଡେସନ୍ ‘ ର ମିଳିତ ସହଯୋଗରେ ସମଗ୍ର ବିଶ୍ଵର ପ୍ରଗତିଶୀଳ ନଗରୀ ମାନଙ୍କରେ ଯୁବାବର୍ଗଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ତ୍ଵରାନ୍ଵିତ କରିବା ପାଇଁ ଏହି ୩ ବର୍ଷ ଅବଧି ବିଶିଷ୍ଟ ସ୍ଵତନ୍ତ୍ର ପ୍ରକଳ୍ପ ହାତକୁ ନିଆଯାଇଛି।

ସହରାଞ୍ଚଳରେ ବସବାସ କରୁଥିବା ଯୁବାବର୍ଗ ଯେପରି ସୁଶାସନ ପ୍ରକ୍ରିୟାରେ ଯୋଗଦାନ କରି ପାରିବେ ଓ ସମସ୍ତଙ୍କୁ ସମନ୍ଵିତ କରିବା ପାଇଁ ଉପଯୁକ୍ତ ସ୍ଥଳ ଓ ଡିଜିଟାଲ୍ ଅଂଶଗ୍ରହଣ ବିକଶିତ କରିବା ଉଦ୍ଦେଶ୍ୟ ନେଇ ‘ଫୋଣ୍ଡେସନ୍ ବଟନାର୍’ ପକ୍ଷରୁ ଏହି ଉପକ୍ରମ ନିମନ୍ତେ ପାଣ୍ଠି ଯୋଗାଇ ଦିଆ ଯାଇଛି।

ଏହି ଉପକ୍ରମ ଜରିଆରେ ଯୁବାବର୍ଗଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଜଟଣୀ ପୌରପାଳିକା ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପ୍ରସାରିତ ହେବା ସହ ସମସ୍ତେ ଅଂଶଗ୍ରହଣ କଲା ଭଳି ସ୍ଵାସ୍ଥ୍ୟ ସେବା ମଞ୍ଚ ଓ ସୁଶାସନରେ ଡିଜିଟାଲ୍ ଭାଗୀଦାରୀ ପାଇଁ ସୁବିଧା ସୁଯୋଗ ପ୍ରଦାନ କରାଯିବ।

ଆଗାମୀ ୩ ବର୍ଷ ମଧ୍ୟରେ ବିଶ୍ଵର ଏହି ଅନ୍ୟ ଦୁଇ ସହର ସମେତ ୟୁ .ଏନ୍ ହାବିଟାଟ୍ ସହ ସଂଯୋଗ ରକ୍ଷା ପୂର୍ବକ ଜଟଣୀ ପୌରପାଳିକା ପକ୍ଷରୁ ସହରାଞ୍ଚଳ ସୁଶାସନ ଓ ନଗର ଉନ୍ନୟନ ଯୋଜନା ପ୍ରଣୟନ ପାଇଁ ମାର୍ଗ ପ୍ରଶସ୍ତ କରାଯିବ।

ସହରାଞ୍ଚଳର ଯୁବାବର୍ଗ ଆଗରେ ଥିବା ଆହ୍ଵାନର ସମ୍ମୁଖୀନ ହେବା ସହ ପରିବେଶ ଓ ସୁସ୍ଥତା ଆଦି ଦିଗରେ ବୈଷୟିକ ପରାମର୍ଶ, ପ୍ରଶିକ୍ଷଣ ଓ ନାଗରିକ ସଂଯୋଗ ଆଦି ସୁଯୋଗ ଏହି ଉପକ୍ରମ ମାଧ୍ୟମରେ ପ୍ରବର୍ତ୍ତିତ  ହେବାର ଯୋଜନା ରହିଛି। ଏହି ତିନୋଟି ସହର ଜରିଆରେ ଉପଲବ୍ଧ ବିକାଶ ମଡେଲ୍ କୁ  ମିଳିତ ଜାତିସଂଘ ପକ୍ଷରୁ ୟୁ .ଏନ୍ ହାବିଟାଟ୍ ଜରିଆରେ ଅନୁକରଣୀୟ ପଦକ୍ଷେପ ଭାବରେ ବିଶ୍ଵର ଅନ୍ୟ ରାଷ୍ଟ୍ରକୁ ସମ୍ପ୍ରସାରଣ କରାଯିବ ।        

Leave A Reply

Your email address will not be published.