ଏବି ନେଗେଟିଭ ରକ୍ତଦାନ କରି ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଲେ ଛାତ୍ରୀ ପ୍ରଣିତାଂଶୁ

ଵ୍ରହ୍ମପୁର-ବିରଳ ରକ୍ତ ଦେଇ ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଲେ ଛାତ୍ରୀ ପ୍ରଣିତାଂଶୁ ଶାନ୍ତି ଦାସ। ମିଳିଥିବା ସୂଚନା ଅନୁଯାୟୀ, ଏକ ଘରୋଇ ଚିକିତ୍ସାଳୟରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ। ଅ​‌େ​‌ସ୍ତ୍ରାପଚାର ପାଇଁ ତାଙ୍କୁ ରକ୍ତର ଆବଶ୍ୟକତା ପଡ଼ିଥିଲା। ହେଲେ ତାଙ୍କ ରକ୍ତ ଗ୍ରୁପ୍‌ ଥିଲା ‘ଏବି ନେଗେଟିଭ୍‌’। ବିରଳ ଗ୍ରୁପ୍‌ର ଏହି ରକ୍ତ ମିଳିନଥିଲା। ଅନ୍ୟପଟେ ଗର୍ଭବତୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। କୌଣସି ସୂତ୍ରରୁ ତାଙ୍କ ପରିବାର ବର୍ଗ ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀଙ୍କୁ ସୂଚନା ଦେଇଥିଲେ। ପ୍ରଣିତାଂଶୁଙ୍କ ରକ୍ତ ଗ୍ରୁପ୍‌ ମଧ୍ୟ ‘ଏବି ନେଗେଟିଭ୍‌’ ଥିବା ଶିବ ପୂର୍ବରୁ ଜାଣିଥିଲେ। ଏଣୁ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ କମ୍ପ୍ୟୁଟର୍‌ ସାଇନ୍ସର ତୃତୀୟ ବର୍ଷରେ ପଢ଼ୁଥିବା ପ୍ରଣିତାଂଶୁଙ୍କୁ ଯୋଗାଯୋଗ କରିଥିଲେ। ରକ୍ତ ଦେବାକୁ ସେ ରାଜି ହୋଇଥିଲେ। କାରଣ ତାଙ୍କ ମା’ ତଥା ସ୍ବର୍ଗତା ପ୍ରଣିତା ଦାସ ମଧ୍ୟ ଜଣେ ନିୟମିତ ରକ୍ତଦାତା ଥିଲେ। କୋଭିଡ ସମୟରେ ଲୋକମାନେ ଘରେ ରହୁଥିବା ବେଳେ ସେ ଦୁଇଥର ରକ୍ତଦାନ କରିଥିଲେ। ଏପରିକି ମୃତ୍ୟୁ ପରେ ତାଙ୍କର ଚକ୍ଷୁଦାନ କରାଯାଇଥିଲା। ଏଣୁ ମା’ଙ୍କ ଠାରୁ ପ୍ରେରଣା ପାଇଥିବା ପ୍ରଣିତାଂଶୁ ରକ୍ତ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଶିବରାମ ଏବଂ ଏମ୍‌.ଦିଲ୍ଲୀପ କୁମାରଙ୍କ ସହଯୋଗରେ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥିତ ରକ୍ତ ଭଣ୍ଡାରରେ ପହଞ୍ଚି ରକ୍ତଦାନ କରିଛନ୍ତି। ଏହି ବିରଳ ଗ୍ରୁପ୍‌ର ରକ୍ତ ପାଇବା ପରେ ସଂପୃକ୍ତା ଗର୍ଭବତୀଙ୍କ ଚିକିତ୍ସା ମଧ୍ୟ ସମ୍ଭବ ହୋଇପାରିଛି। ରକ୍ତଦାନ ଭଳି ମହତ କାର୍ଯ୍ୟ କରିପାରିଥିବା ଯୋଗୁ ପ୍ରଣିତାଂଶୁ ଖୁସୀ ପ୍ରକାଶ କରିବା ସହ ତାଙ୍କ ମା’ଙ୍କ ପ୍ରେରଣାକୁ ସ୍ମରଣ କରିଛନ୍ତି। ବାପା ଶିବ କୁମାର ଦାସ ଜଣେ ବରିଷ୍ଠ ସାମ୍ବାଦିକ।

Leave A Reply

Your email address will not be published.