ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
ଭଞ୍ଜନଗର,- ଗଞ୍ଜାମ ଜିଲ୍ଲା ତାରସିଂ ଥାନା ତଥା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଗେରେଡା ସେକ୍ସନର ଭୁଷୁଭୁଷା ଗ୍ରାମ ନିକଟରେ ରହିଥିବା ଜଗନ୍ନାଥପ୍ରସାଦ ସଂରକ୍ଷିତ ଜଙ୍ଗଲ ଭିତରୁ ବୁଧବାର ଜଣେ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଗେରେଡା ଗ୍ରାମର ସୁଦାମ ନାଇକ(୭୦)। ସୂଚନା ଅନୁଯାୟୀ,ସୁଦାମ ଗତ କିଛି ଦିନ ତଳେ ସ୍ତ୍ରୀ ଓ ପୁଅ ସହ ତନରଡା ଝିଅ ଘରକୁ ଯାଇଥିଲେ। ସେଠାରେ ସ୍ତ୍ରୀ ଓ ପୁଅ ରହିଯାଇଥିବା ବେଳେ ସେ ଏକାକୀ ଘରକୁ ଫେରି ଯାଇଥିଲେ। ଏହାପରେ ଗତ ୧୪ ତାରିଖ ଦିନ କିଛି ଜାଳେଣୀ କାଠ ଓ ଦାନ୍ତକାଠି ଆଣିବା ନିମନ୍ତେ ଭୁଷୁଭୁଷା ଗ୍ରାମ ନିକଟ ଜଙ୍ଗଲକୁ ଯାଇଥିଲେ। ଏହା ପରେ ସେ ଆଉ ଘରକୁ ଫେରିନଥିଲେ । ଛେଳି ଚରାଇବାକୁ ଯାଇଥିବା କିଛି ଗ୍ରାମବାସୀ ଜଙ୍ଗଲରେ ଏକ ମୃତଦେହ ପଡିଥିବା ଦେଖି ସୁଦାମଙ୍କ ପରିବାରକୁ ଖବର ଦେଇଥିଲେ। ସେଠାରେ ସୁଦାମର ମୃତଦେହରେ କୌଣସି କ୍ଷତ ଚିହ୍ନ ନଥିବା ବେଳେ ମୃତ୍ୟୁକୁ ୨-୩ ଦିନ ହେବା ସହ ପଚିବା ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା। ଏଥିସହ ମୃତଦେହ ନିକଟରେ ହାତୀ ମଳ ଓ ପାଦ ଚିହ୍ନ ପଡିଥିବାରୁ ହାତୀ ଶୁଣ୍ଢରେ ଆକ୍ରମଣ କରିବାରୁ ସୁଦାମ ଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକ ଅନୁମାନ କରି ଏତଲା ଦେଇଛନ୍ତି। ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରିବା ସହ ସୁଦାମର ପୁଅ ଜିତେନ୍ଦ୍ରଙ୍କ ଏତଲା ପ୍ରକାରେ ପୁଲିସ୍ କେସ୍ ନମ୍ବର ୧/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାସ ସୂଚନା ଦେଇଛନ୍ତି।