ବୁଗୁଡ଼ା : ୨୦/୦୧/୨୩ : ବୁଗୁଡ଼ା ସହରରେ ପ୍ରଥମ ସ୍ମାର୍ଟ ୟୁରିନାଲ୍ ଉଦଘାଟିତ ହୋଇଯାଇଛି l ଏନ୍ଏସିର ୭ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ସହରର ମୁଖ୍ୟ ସଡ଼କ କଡସ୍ଥ ପ୍ରାଣୀ ଚିକିତ୍ସାଳୟ ନିକଟରେ ଥିବା ବିରଞ୍ଚି ନାରାୟଣ ମାର୍କେଟ କମ୍ପ୍ଲେକ୍ସ ଠାରେ ଏହି ସେନ୍ସର ଯୁକ୍ତ ପରିସ୍ରାଗାରକୁ ଏନଏସି ଅଧକ୍ଷ ଚିତ୍ର ସେନ ପ୍ରଧାନ ଉଦଘାଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ, କାଉନସିଲର ଆଶୁତୋଷ ବଢ଼େଇ, ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ପବିତ୍ର ନାୟକ, ମନୋରଞ୍ଜନ ଦାଶ , ଶଶୀ ଭୁଷଣ ପାତ୍ର, ବାଦଲ ସ୍ବାଇଁ, ବିଚିତ୍ର ପାଣିଗ୍ରାହୀ, ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରକାଶ ଯୋଗ୍ୟ ଯେ, ବିଭିନ୍ନ କାମରେ ସହରକୁ ଆସୁଥିବା ଲୋକେ ପରିସ୍ରାଗାରର ଅଭାବ ଯୋଗୁଁ ନାନା ପ୍ରକାର ହଇରାଣ ହେଉଥିଲେ। ବିଶେଷ କରି ମହିଳାମାନଙ୍କୁ ଅନେକ ସମୟରେ
ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଥିଲା । ଏହାର ପ୍ରତିକାର ବ୍ଯବସ୍ଥା ପାଇଁ ଦୀର୍ଘ ଦିନ ଧରି ସାଧାରଣରେ ଦାବି ହୋଇ ଆସୁଥିଲେ ହେଁ ଲୋକଙ୍କ ପାଇଁ କିଛି କରି ଦେଖାଇବା ମନୋବୃତ୍ତି ସମ୍ପନ୍ନ ଉଚ୍ଚ ଶିକ୍ଷିତ ଯୁବ କାଉନସିଲର ଆଶୁତୋଷଙ୍କ ଉଦ୍ଯମ ଯୋଗୁଁ ଆଜି ତାହାର ଅନ୍ତ ଘଟିଛି । ଏଥି ନିମନ୍ତେ ସଂପୃକ୍ତ ୭ ନମ୍ବର ଓ୍ବାର୍ଡର କାଉନସିଲର ବିଭିନ୍ନ ମହଲରୁ ସାଧୁବାଦ ସାଉଁଟି ଥିବା ଜଣାଯାଇଛି । ଅନ୍ୟପକ୍ଷରେ, ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଉପଯୁକ୍ତ ପରିସ୍ରାଗାର ଅଭାବରୁ ଯାତ୍ରୀମାନେ ଅକଥନୀୟ ହଇରାଣ ହରକତ ହେଉଥିବା ଦୃଷ୍ଟିରୁ ସେଠାରେ ଏଭଳି ସ୍ମାର୍ଟ ପରିସ୍ରାଗାର ନିର୍ମାଣ କରାଯିବାକୁ ଏନ୍ଏସି ପ୍ରଶାସନ ନିକଟରେ ଜନସାଧାରଣଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି ।