ବ୍ରହ୍ମପୁର – ୧୫/୫/୩୦୨୩- ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ ସମୟ ହେଲା ତିଆରି ଚାଲିଥିବା ରେଡିଓ ଷ୍ଟେସନ ଠାରୁ ଲୋଚାପଡା ରାସ୍ତା ଓ ଡ୍ରେନ କାମ ସମ୍ପୂର୍ଣ ହେବାର ଆଜି ପର୍ଯ୍ୟନ୍ତ ନାମ ନେଉନଥିବା ,ସେହିଭଳି ନିମଖଣ୍ଡି ଠାରୁ ରତ୍ନପୁର ରାସ୍ତା ନିର୍ମାଣ କାମ ଯେଉଁଭଳି ଢଙ୍ଗରେ ମନ୍ଥର ଗତିରେ ତିଆରି ଚାଲିଛି ତାହା ବର୍ଷା ଦିନ ଆସୁଥିବାରୁ ସରିବ ନାହିଁ । ତେଣୁ ତାହାକୁ ତୁରନ୍ତ ଯୁଦ୍ଧକାଳିନ ଭିତ୍ତିରେ କାମ କରି ବର୍ଷା ସିଜନ ଆସିବା ପୂର୍ବରୁ ସାରିବା ତଥା ଅନ୍ୟାନ୍ୟ ଦାବୀ ନେଇ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଆଜି ପୂର୍ତ୍ତ ବିଭାଗ ଡିଭିଜନ-୨ ର ଅଧିକ୍ଷଣ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି।
ଦାବୀ ପତ୍ରରେ ଦୃଷ୍ଟି ଆକର୍ଷଣ କରି କୁହାଯାଇଛି ରେଡିଓ ଷ୍ଟେସନ ଠାରୁ ବ୍ରଜନଗର ସ୍ଥିତ ଧୋବା ନାଳ ପର୍ଯ୍ୟନ୍ତ ତିଆରି ହୋଇଥିବା ଡ୍ରେନ ର ଡିଜାଇନରେ ତ୍ରୁଟି ରହିଥିବା କାରଣରୁ କିଛିଦିନ ତଳେ ବ୍ରଜନଗର ସ୍ଥିତ ରାଧା କୃଷ୍ଣ ମନ୍ଦିରରେ ପାଣି ପସିବା ସହ ବହୁ ଦିନ ଧରି ଲୋଚାପଡା ରାସ୍ତାରେ ପାଣି ଲହଡ଼ି ମାରୁଥିଲା କ୍ରିୟାନୁଷ୍ଠାନ କମିଟିର ହସ୍ତକ୍ଷେପ ଫଳରେ ପରିସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ସେ ତ୍ରୁଟି ସ୍ଥାୟୀ ଭାବରେ ଆଜି ପର୍ଯ୍ୟନ୍ତ ସଜଡ଼ା ଯାଇପାରିଲା ନାହିଁ। ବର୍ତ୍ତମାନ ସେହି ଭୁଲ ର ପୁନରାବୃତ୍ତି କରାଯାଇ ଲୋଚାପଡା ମୁଖ୍ୟ ରାସ୍ତାରେ ଥିବା ହନୁମାନ ମନ୍ଦିର ନିକଟରେ ପୁଣି ଥରେ ତ୍ରୁଟି ପୂର୍ଣ୍ଣ ଭାବରେ ମନଇଚ୍ଛା ଡ୍ରେନ ନିର୍ମାଣ କରାଯାଇଛି ଯାହା ଫଳରେ ଭବିଷ୍ୟତରେ ସେଠାକାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବେ ନାଳ ପାଣି ଠିକରେ ନିଷ୍କାସନ ନହୋଇ ରାସ୍ତା ଘାଟ ସହ ସ୍ଥାନୀୟ ବାସିନ୍ଦାଙ୍କ ଘରେ ପ୍ରବେଶ କରିବା। ସେହିଭଳି ଧୋବାନାଳ ବ୍ରିଜ ସମ୍ପ୍ରସାରଣ କରିବା ନିମନ୍ତେ ସେଠାରେ ଖୋଳି ରାସ୍ତା ବେଢେଇ ଛୋଟ କରିଦେଇଥିବା ଯୋଗୁଁ ଯାତାୟତରେ ଅସୁବିଧା ସହ ଦୁର୍ଘଟଣା ଘଟୁଥିବାରୁ ତାହାକୁ ତୁରନ୍ତ ନିର୍ମାଣ କରିବାକୁ ଦାବୀ ରଖାଯାଇଛି।ତତ୍ ସହିତ ମୂଳ ଡିପିଆର ଆଧାରରେ ମୁଖ୍ୟ ଡ୍ରେନ କଡ଼ରେ ପାଦ ଚଲା ପାଇଁ ଫର୍ଭର ବ୍ଲକ ପକେଇବା କାମ ତୁରନ୍ତ ଶେଷ କରିବାକୁ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି। ସମସ୍ତ ନିର୍ମାଣ କାମ ଠିକାଦାର ଓ ବିଭାଗର ମଧୁଚନ୍ଦ୍ରିକାରେ ନିୟମ ବହିଭୃତ ଭାବରେ ମନ ମାନି ଢଙ୍ଗରେ ଚାଲିଛି।ଏତଦବ୍ୟତୀତ ନିମଖଣ୍ଡି ଠାରୁ ରତ୍ନପୁର ପର୍ଯ୍ୟନ୍ତ ନିର୍ମାଣଧିନ ରାସ୍ତା କାମ ଯୁଦ୍ଧ କାଳିନ ଭିତ୍ତିରେ କରି ବର୍ଷା ଦିନ ପୂର୍ବରୁ ସାରିବାକୁ ଅନୁରୋଧ କରାଯାଇଛି।କାରଣ ସେହି ରାସ୍ତା ଦେଇ ପ୍ରତିଦିନ ବିଭିନ୍ନ ଗ୍ରାମର ହଜାର ହଜାର ଲୋକ ସହର ମଧ୍ୟରେ ପ୍ରବେଶ କରନ୍ତି। ଏହି ଦାବୀ ଉପରେ ବିଚାର କରି ପଦକ୍ଷେପ ନେବେ ବୋଲି ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଥିଲେ। ଯଦି ଏହି ଦାବୀ ଉପରେ ପନ୍ଦର ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତାହାହେଲେ କମିଟି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି କମିଟି ତରଫରୁ ପ୍ରେସ ବିବୃତି ମାଧ୍ୟମରେ ପ୍ରକାଶ କରାଯାଇଛି।ଆଜିର ଏହି ଦାବୀ ପତ୍ର ପ୍ରଦାନ ସମୟରେ ସଭାପତିଙ୍କ ବ୍ୟତୀତ ସାଧାରଣ ସମ୍ପାଦକ ଶିବ ପ୍ରସାଦ ମିଶ୍ର, , ଯୁଗ୍ମ ସମ୍ପାଦକ ଟି.ସୁଦେଶ କୁମାର ପାତ୍ର, ସହ ସମ୍ପାଦକ ବି ଭି ସାଗର,ସାଂଗଠନିକ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରୀ, ଉପଦେଷ୍ଟା ତାରେକେଶ୍ୱର ଦୋରା, ରାଜେନ୍ଦ୍ର କୁମାର ଜେନା, ଅଜିତ ପଟ୍ଟନାୟକ ଦେବୀ ପ୍ରସାଦ ଦାସ, ଗୋପାଳ ଶତପଥୀ, ଅନିଲ ଅଧିକାରୀ ଓ କାହୁଁ ଚରଣ ପତି ପ୍ରମୁଖ ଉପସ୍ଥିତ ଥିଲେ।