ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନାଁରେ ଆସିଛି ଯୌତୁକ ନିର୍ଯାତନା ଅଭିଯୋଗ। ତାଙ୍କ ବୋହୂ ରୋନାଲି ବେହେରା କରିଛନ୍ତି ଏହି ଅଭିଯୋଗ। ରୋନାଲି ଶ୍ୱଶୁର ଶଶିଭୂଷଣ ବେହେରାଙ୍କ ସହିତ ସ୍ୱାମୀ ସତ୍ୟପ୍ରକାଶ ବେହେରା, ଶାଶୁ ସୁପ୍ରଭା ମହାନ୍ତି, ନଣଦ ସୁଶ୍ରୀ ଭାରତୀ ବେହେରା ଓ ମାଉସୀ ଶାଶୁ ପ୍ରତିଭା ମହାନ୍ତିଙ୍କ ନାଁରେ ଏଫଆଇଆର ଦେଇଛନ୍ତି। ଗତ ମାର୍ଚ୍ଚ ୩ ତାରିଖରୁ ରୋନାଲି କଟକ ଜିଲ୍ଲା ବାଙ୍କୀ ଥାନାରେ ଏତଲା ଦେଇ ସାରିଛନ୍ତି।
୨୦୨୧ ମାର୍ଚ୍ଚ ୩ ତାରିଖରେ ଶଶିଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କ ବିବାହ କଟକ ବାଙ୍କୀ ଅଞ୍ଚଳର ବେଦପୁରର ଅବସରପ୍ରାପ୍ତ ବିଚାରପତି ଗୋଖା ବେହେରାଙ୍କ ଝିଅ ରୋନଲିଙ୍କ ସହିତ ସମ୍ପନ୍ନ ହୋଇଥିଲା।
ରୋନାଲି ତାଙ୍କ ଏତଲାରେ ଦର୍ଶାଇଛନ୍ତି, ନିର୍ବନ୍ଧ ସମୟରେ ମୋ ଶ୍ୱଶୁର ଶଶିଭୂଷଣ ବେହେରା, ଶାଶୁ ସୁପ୍ରଭା ମହାନ୍ତି ଓ ମାଉସୀ ଶାଶୁ ପ୍ରତିଭା ମହାନ୍ତି ମୋ ବାପାମା’ଙ୍କୁ ବାହାଘର ବେଳେ କାଠର କୌଣସି ଘରକରଣା ଜିନିଷ ନ ଦେବା ପାଇଁ କହିଥିଲେ। ତା’ ବଦଳରେ ସୁନା ଜିନିଷ ଓ ଟଙ୍କା ଦେବା ପାଇଁ କହିଥିଲେ। ତା’ ସହିତ ଦୁଇଟି ନଣଦ ପୁଟୁଳି ଦେବାକୁ କହିଥିଲେ। ନଣଦ ପୁଟୁଳିରେ ସୁନା ଜିନିଷ ଦେବାକୁ କହିଥିଲେ। ଏହା ସହିତ ରୁପାର ଥାଳି ଦେବାକୁ କହିଥିଲେ। ସେମାନଙ୍କ ଦାବି ମୁତାବକ ମୋ ବାପା ସବୁ ଜିନିଷ ଦେଇଥିଲେ।
ବାହାଘର ପରେ ୧୦/୧୨ ପର୍ଯ୍ୟନ୍ତ ଭଲରେ ରହିଲି। ତା’ପରେ ମୋ ଶାଶୁ, ନଣଦ ସୁଶ୍ରୀ ଭାରତୀ ବେହେରା ଓ ମାଉସୀ ଶାଶୁ ମୁଁ ପିନ୍ଧିଥିବା ସୁନା ଅଳଙ୍କାର ଶାଶୁଙ୍କୁ ଦେବା ପାଇଁ କହିଥିଲେ। ମୁଁ ଏକ ସୁନା ଚେନ୍ ଓ ମୁଦି ବ୍ୟତୀତ ଆଉ ସବୁ ଗହଣା ଶାଶୁଙ୍କୁ ଦେଇଦେଲି।
।
ଏହାର କିଛି ଦିନ ପରେ ସେମାନେ ମୋତେ ବ୍ୟାଙ୍କକୁ ନେଇ ମୋ ନାଁରେ ଗୋଟିଏ ଆକାଉଣ୍ଟ ଖୋଲିଥିଲେ। ପାସ୍ବକୁ ଓ ଏଟିଏମ କାର୍ଡ ମୋ ଶାଶୁ ତାଙ୍କ ପାଖରେ ରଖିଲେ। ମୁଁ ପାଉଥିବା ରାଜୀବ ଗାନ୍ଧି ଫେଲୋଶିପ ଟଙ୍କା ଡିପୋଜିଟ କରିବା ପାଇଁ ମୋତେ କହିଥିଲେ। ହେଲେ ସେ ଟଙ୍କା ମୁଁ ଖର୍ଚ୍ଚ କରି ଦେଇଥିବା କହିଥିଲି। ଫଳରେ ପୂର୍ବଭଳି ମୋତେ ଭିକାରୀ, କାଙ୍ଗାଳ ପିଲା କହି ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ। ଏହାର କିଛି ଦିନ ପରେ ବାହାଘର ବେଳେ ଭିଡିଓ ପାଇଁ ଖର୍ଚ୍ଚ ହୋଇଥିବା ୨ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ମୁଁ ଏକଥା ବାପାଙ୍କୁ କହିବାରୁ ସେ ମୋ ବଡ଼ ଭଉଣୀଙ୍କୁ କହି ୬୦ ହଜାର ଟଙ୍କା ମୋ ନଣଦଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ। ଅବଶିଷ୍ଟ ଟଙ୍କା ପରେ ଦେବା ପାଇଁ କହିଥିଲେ। ବାକି ଟଙ୍କା ନଦେଇ ପାରିବାରୁ ସେମାନେ ପୁଣି କାଙ୍ଗାଳିଆ ଝିଅଟା ଆମ ଭାଗ୍ୟରେ ପଡ଼ିଲା ବୋଲି କହି ମୋତେ ଗାଳି କରିଥିଲେ। ଆମକୁ ୟା’ଠୁ ଭଲ ଯୌତୁକ ଦବାବାଲା ମିଳିଥା’ନ୍ତେ ବୋଲି କହି ମୋତେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଥିଲେ। ଏପରିକି ମୋତେ ଖାଇବାରେ ଅସୁବିଧା କଲେ। ମୋତେ ରୋଷେଇ ଘରକୁ ଛାଡ଼ି ଦେଲେ ନାହିଁ।