ଶପଥ ନେଲେ ନବୀନଙ୍କ ନୂଆ ଟିମ୍

ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତିନିଜଣଙ୍କୁ ବିଭାଗ ବଣ୍ଟନ କରାଯାଇଛି ।ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥମନ୍ତ୍ରୀ ପଦ ମିଳିଛି । ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ ଲଗାତର ୬ ଥର ଜିତିଥିବା ବିକ୍ରମ କେଶରୀ ଆରୁଖ ୨୦୦୯ ମସିହାରୁ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସୁଥିଲେ । ଗତ ବର୍ଷ ଜୁନ୍‌ ମାସରେ ମନ୍ତ୍ରିମଣ୍ଡଳର ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ । ତାଙ୍କୁ ବାଚସ୍ପତି କରାଯାଇଥିଲା । ବାଚସ୍ପତି ପଦବିରେ ଗୋଟିଏ ବର୍ଷ ନ ପୂରୁଣୁ ଗତ ୧୨ ତାରିଖରେ ସେ ଇସ୍ତଫା ଦେଇଥିଲେ ।

ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ବଣ୍ଟନ କରାଯାଇଛି । ପୂର୍ବରୁ ସମୀର ଦାଶ ଏହି ପଦରୁ ଇସ୍ତଫା ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲା ରାଜନୀତିରେ ସୁଦାମ ମାର୍ଣ୍ଡିଙ୍କ ଦବ୍‌ଦବା ଜୋର୍‌ ରହିଛି।

ଅନ୍ୟପକ୍ଷରେ ଶାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ୱ ଦିଆଯାଇଛି । ରାଉରକେଲା ବିଧାୟକ ଶାରଦା ନାୟକ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.