ବରୀ,(ସ ମି ସ): ଚଳିତ ବର୍ଷ ସଦ୍ୟ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ପଞ୍ଚାୟତ ହାଇସ୍କୁଲ, ରାମପୁରର ଛାତ୍ରୀ ଶେୟଶ୍ରୀ ଜେନା ସର୍ବୋଚ୍ଚ ୫୯୦ ନମ୍ବର ରଖି ରାଜ୍ୟର ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ଉକ୍ତ ବିଦ୍ୟାଳୟର ୪୭ ଜଣ ଛାତ୍ର ଛାତ୍ରୀ ଏ-୧ ସ୍ଥାନ ଅଧିକାର କରିଛନ୍ତି l ସେହିପରି ଯାଜପୁର ଜିଲ୍ଲାର ସମୁଦାୟ ୩୫୩ ଜଣ ଛାତ୍ର ଛାତ୍ରୀ ଏ-୧ ପ୍ରାପ୍ତ ହୋଇଥିବାବେଳେ ସେଥି ମଧ୍ୟରୁ କେବଳ ବରୀର ୧୫୫ ଜଣ ପାଇବା ଏକ ଉଲେକ୍ଷନିୟ ଘଟଣା l ଆଜି ଓଡିଶା ଟପର ଶେୟଶ୍ରୀଙ୍କ ସମେତ ବରୀର ସମସ୍ତ ଛାତ୍ର ଛାତ୍ରୀଙ୍କୁ ନାଥପୁରସ୍ଥିତ ମହାବୀର କ୍ଲବ ପ୍ରାଙ୍ଗଣରେ ମହା ଆଡମ୍ବର ସହକାରେ ସମ୍ବର୍ଦ୍ଧିତ କରାଯାଇଛି ।ପୂର୍ବତନ ସରପଞ୍ଚ ବିଜୟାନନ୍ଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲା ପରିଷଦ ଅଧକ୍ଷା ନଳିନୀ ପ୍ରଭା ଯେନା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରୀ ବିଡିଓ ନମିତା ବାରିକ, ସମ୍ମାନିତ ଅତିଥି ବରୀ ତହସିଲଦାର ଟିଳୋତମା ପୃଷ୍ଟି, ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଭାରତୀ ବିଶ୍ୱାଳ, ବିନୋଦ ମାଝୀ, ନହଣ ସମବାୟ ସମିତି ସଭାପତି ଅଭିନ୍ନ କୁମାର ଜେନା, ଧାରପୁର ସରପଞ୍ଚ କୁନା ମଲିକ, ସମିତିସଭ୍ୟ ଶ୍ରୀଧର ସେଠି ଯୋଗଦେଇଥିଲେ l ବିଦ୍ୟାଳୟ ମାନଙ୍କର ଶିକ୍ଷକ ଶିକ୍ଷିକା ମାନଙ୍କ କର୍ମଠ ପ୍ରଚେଷ୍ଟା ସଫଳତାର ମୂଳମନ୍ତ୍ର, ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ପୂର୍ଣ୍ଣାଙ୍ଗ ବିକାଶର କ୍ଷେତ୍ର ବିଦ୍ୟାଳୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁଷ୍ପ ଗୁଚ୍ଛ, ମାନପତ୍ର ଓ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ ପରିଚାଳନା କରିଥିଲେ l