କଟକ-୧୨/୦୬- କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘର ସମେତ ମୋଟ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ଚାଲିଛି। କଟକର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଏହି ଚଢ଼ଉ କରାଯାଉଛି। ଶ୍ରୀ ଭୂୟାଁଙ୍କ ନାମରେ ଆଗରୁ ଦୁର୍ନୀତିର ଅଭିଯୋଗ ଥିଲା। ସୂଚନା ଅନୁଯାୟୀ, କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କର ଭୁବନେଶ୍ୱରର ସୌଭାଗ୍ୟ ନଗର ସ୍ଥିତ ଘର, କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଲେହେଙ୍ଗା ଗ୍ରାମ ସ୍ଥିତ ତାଙ୍କ ପୈତୃକ ଘର, ଭୁବନେଶ୍ୱର ଚକେଇସିଆଣି ସ୍ଥିତ ତାଙ୍କର ଜଣେ ସଂପର୍କୀୟଙ୍କ ଘର ଓ କଟକ ସଦର ବ୍ଲକ୍ ସ୍ଥିତ ତାଙ୍କ ଅଫିସ ରୁମ୍ରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୩ ଜଣ ଡିଏସ୍ପି, ୪ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ଭିଜିଲାନ୍ସ ପକ୍ଷରୁ ଚଢ଼ଉ ବେଳେ ଶ୍ରୀ ଭୂୟାଁଙ୍କ ସୌଭାଗ୍ୟନଗରର ଆଲିସାନ ଘରୁ ହୀରା ହାର ମିଳିଛି । ଭୁବନେଶ୍ୱର ସୌଭାଗ୍ୟନଗରରେ ରହିଛି ଦୁଇ ମହଲା ବିଶିଷ୍ଟ ଘର, କଟକ ଓ ଭୁବନେଶ୍ୱରରେ ୪ଟି ଜାଗା, ୩୮ ଲକ୍ଷ ଟଙ୍କାର ସୁନା ଓ ରୂପା ଗହଣା, ଗୋଟିଏ ୪ ଚକିଆ ଗାଡ଼ି ସହିତ ୩ଟି ଦୁଇ ଚକିଆ ଗାଡ଼ି ରହିଥିବା ସୂଚନା ମିଳିଛି । ୧୨ ଲକ୍ଷ ୬୨ ହଜାର ଟଙ୍କାର ବ୍ୟାଙ୍କ ଜମା ରହିଛି । ସେହିପରି କ୍ରିପ୍ଟୋ କରେନ୍ସିରେ ୧ ଲକ୍ଷ ୨୩ ହଜାର ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି । ସେହିପରି ତାଙ୍କ ପୁଅ ଏବଂ ଝିଅର ପାଠପଢ଼ା ପାଇଁ ସେ ୧ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।