ମହାପ୍ରଭୁଙ୍କ ଅବଢ଼ା ନାଁରେ ବିକ୍ରି ହେଉଛି ନକଲି ଅବଢ଼ା। ଶ୍ରୀମନ୍ଦିରରେ ଯେପରି କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରସ୍ତୁତ ହୁଏ ଏହାର ଅବିକଳ ନକଲ କରାଯାଇଛି। ଚୋରଘର ସର୍ବଦା ଅନ୍ଧାର ରୁହେନି, ଠିକ୍ ସେହିପରି ଆଜି ରୋଷେଇ ହୋଇ ବିକ୍ରି କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ଏହି ନକଲି ମହାପ୍ରସାଦ ଧରାପଡ଼ିଛି। ପୁରୀ ଲୋକନାଥରୋଡ୍ ଅନ୍ତର୍ଗତ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ଏହି ରାକେଟ ଚାଲିଥିବା ଅନୁମାନ କରାଯାଉଛି।
ସାହିରେ ଥିବା ସାପୁଆ ମଠ ନାମକ ସ୍ଥାନରେ ରୋଷେଇ ନିମନ୍ତେ ସମସ୍ତ ସାମଗ୍ରୀ ଏକାଠି କରାଯାଇଥିଲା। ନଡ଼ିଆ କୋରାଯିବା ସହ ପରିବା କାଟି ଏଠାରେ ରଖା ଯାଇଥିଲା। ଏହି ମଠ ନିକଟ ଏକ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରାଯାଇଛି। ଖୁବ୍ ଅପରିଷ୍କାର ପରିବେଶରେ ଏହି ରୋଷେଇ ଚାଲିଥିଲା। ଗଣମାଧ୍ୟମ ପହଞ୍ଚିବା ବେଳକୁ ବହୁ ସଂଖ୍ୟକ କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରଭୃତି ପ୍ରସ୍ତୁତ ହୋଇ ପଶି ସାରିଥିବା ବେଳେ ଆହୁରି ଅନେକ କୁଡ଼ୁଆରେ ଭାତ, ଡାଲି, ସାଦାବେସର, ମହୁର ପ୍ରଭୁତି ପ୍ରସ୍ତୁତ କରିବାକୁ ରୋଷେୟା ଓ ଯୋଗାଣିଆ କାମରେ ଲାଗିଥିଲେ। ଟପ୍ ଓ କରେଇରେ ରୋଷେଇ କରାଯିବା ପରେ ଏହାକୁ କୁଡୁଆରେ ପ୍ୟାକ୍ କରାଯାଉଥିଲା।