ହାଇ ଲେବଲ୍ ବ୍ରିଜ୍ ନିର୍ମାଣ ଦାବି 

ବୁଗୁଡ଼ା : ତା ୧୮/୦୬/୨୩ :  ସ୍ଥାନୀୟ ବାଘୁଆ ଜଳସେଚନ ବିଭାଗ ଅଧିନରେ ଥିବା ବାଘୁଆ କେନାଲ ରାସ୍ତାରେ ନିର୍ମିତ ହାତୀଖାଲ ଶଙ୍ଖର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ବେଳେ ଏହାର ଗାର୍ଡ ଓ୍ବାଲ୍ ଭାଙ୍ଗିଯାଇ ବିପଦକୁ ଆହ୍ବାନ କରୁଛି । ଶହ ଶହ ଶ୍ରଦ୍ଧାଳୁଙ୍କୁ ସେହି ରାସ୍ତା ଦେଇ ପ୍ରସିଦ୍ଧ ଶୈବପୀଠ କୁବେରେଶ୍ବରକୁ ଯିବାକୁ ପଡୁଛି । ଏଥି ସହ ବୁଗୁଡ଼ାକୁ ମୁଖ୍ଯ ସଡକରେ ଯାତାୟତ କରିବା ଠାରୁ ଦୂରତା କମ୍ ପଡୁଥିବାରୁ ପାଣିକେଶ୍ୱର , ମହୁଲପଲ୍ଲୀ , ଭଗବାନପୁର , ଟଭାପଲ୍ଲୀ ଓ ଦଦରାଖୋଲ ଆଦି ଗ୍ରାମର ଲୋକେ ଏହି କେନାଲ ରାସ୍ତାକୁ ଆପଣାଇଛନ୍ତି । ତେବେ ହାତୀଖାଲ ଶଙ୍ଖର ଗାର୍ଡ ଓ୍ବାଲଟି ଭାଙ୍ଗି ଯାଇଥିବାରୁ ଯାନବାହାନରେ ଯାତାୟତ କରୁଥିବା ଲେକେ ପ୍ରମାଦ ଗଣୁଛନ୍ତି । ଯଦି ଯାତାୟତ ସମୟରେ ଲୋକେ କୌଣସି କାରଣରୁ ସାଧାରଣ ଅନ୍ଯମନସ୍କ କିମ୍ବା ଅସାବଧାନ ହୁଅନ୍ତି ତେବେ ସେହି ଭଙ୍ଗା ଗାର୍ଡ ଓ୍ବାଲ୍ ଠାରେ ୮ ମିଟର ଖାଲ ମଧ୍ୟକୁ ଗଳି ପଡିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି । ଯାନବାହାନ ଚାଳକ ତଥା ଅନ୍ୟ ଲୋକଙ୍କ ଜୀବନ ରକ୍ଷା ପାଇଁ ସେହି ଭଗ୍ନ ଗାର୍ଡ ଓ୍ବାଲର ପୁନଃ ନିର୍ମାଣ ପାଇଁ ସାଧାରଣରେ ଦାବି ହେଉଛି । ଅନ୍ଯପକ୍ଷରେ ପ୍ରାୟ ଷାଠିଏ ବର୍ଷ ହେବ ସେହି ଅଙ୍କାବଙ୍କା ହାତୀଖାଲ ଶଙ୍ଖ ତିଆରି ହୋଇଥିବାରୁ ତାହାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡିଲାଣି । ସେହି ଶଙ୍ଖ ରାସ୍ତା ଦେଇ ଦୈନିକ ଅନେକ ମାଲ ବୋଝେଇ ଟ୍ରାକ୍ଟର ଯାଉଥିବାରୁ କେତେବେଳେ ଯେ ତାହା ଭୁଷୁଡି ପଡିବ ସେ ନେଇ ମଧ୍ୟ ଶଙ୍କା ସୃଷ୍ଟି ହୋଇଛି । ଯଦି ସେହି ଶଙ୍କାପ୍ରଦ ଶଙ୍ଖ କୌଣସି କାରଣରୁ ଭାଙ୍ଗିଗଲା ତେବେ ସେହି ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯିବ । ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ସେଠାରେ ଏକ ହାଇ ଲେବଲ୍ ବ୍ରିଜ୍ ନିର୍ମାଣ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇବା ସହ ସାଧାରଣରେ ଦାବି ହେଉଛି । ତେବେ ଏନେଇ ବାଘୁଆ ଜଳସେଚନ ବିଭାଗୀୟ ଏସଡିଓ କୃଷ୍ଣଚନ୍ଦ୍ର ପାଳଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଭଙ୍ଗା ଗାର୍ଡ ଓ୍ବାଲର ପୁନଃ ନିର୍ମାଣ କାର୍ଯ୍ୟ ଏଇ କେତୋଟି ଦିନ ମଧ୍ୟରେ ଅତି ଶୀଘ୍ର ଶେଷ କରାଯିବ ଏବଂ ହାଇ ଲେବଲ୍ ବ୍ରିଜ୍ ନିର୍ମାଣ କାର୍ଯ୍ୟ  ଉଚ୍ଚସ୍ତରୀୟ ପଦକ୍ଷେପ ଅଟେ । ପ୍ରକାଶ ଯୋଗ୍ୟ ଯେ , ସେହି କେନାଲ ରାସ୍ତାଟି କେବଳ ଜଳସେଚନ ବିଭାଗୀୟ ଯାନବାହାନ ଚଳଚଳ ପାଇଁ ଉଦ୍ଦିଷ୍ଟ ଥିଲେ ହେଁ ତାହା ଏବେ ବାଲି , ପଥର ଓ କାଠ ମାଫିଆଙ୍କ ଚୋରା ବାଟ ପାଲଟି ଯାଇଛି ଏବଂ ସେହି ଗାର୍ଡ ଓ୍ବାଲଟି ମଧ୍ଯ ଚୋରା ଚାଲାଣ ବେଳେ ଗାଡି ଧକ୍କାରେ ହିଁ ଭାଙ୍ଗି ଯାଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.