ପ୍ରବଳରୁ ଅତି ପ୍ରବଳ ବର୍ଷିବ

ସାରା ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଆହୁରି ସକ୍ରିୟ କରିଛି । ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଲଘୁଚାପ କ୍ଷେତ୍ରଟି ଆସନ୍ତା ୨ ଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତର ଓଡ଼ିଶା ଓ ଝାଡ଼ଖଣ୍ଡ ଦେଇ ଗତି କରିବାର ସମ୍ଭାବନା ରହିଛି ।

ଫଳରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନବରଙ୍ଗପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସେଥିପାଇଁ ଏସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ।

ଏହାବ୍ୟତୀତ ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ରାୟଗଡ଼ା, ମାଲକାନଗିରି, କୋରାପୁଟ, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଥିବା ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିବା ସହ ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.