ଦିଦିଙ୍କ ଅଣ୍ଡା ଚିନ୍ତା

ଭୁବନେଶ୍ୱର : ବଜାରରେ ଏବେ ଅଣ୍ଡା ଦର ଗୋଟା ପିଛା ୭ଟଙ୍କା ଥିବାବେଳେ ଅଙ୍ଗନବାଡି କର୍ମୀମାନେ କେଉଁଠୁ କିପରି ୫ଟଙ୍କାରୁ କମ୍‍ ଦରରେ ଅଣ୍ଡା କିଣି ପିଲାମାନଙ୍କୁ ଖୋଇବେ ସେ ଚିନ୍ତାରେ ଘାରି ହେଉଛନ୍ତି ।

ଅଙ୍ଗନବାଡିରେ ପିଲାମାନଙ୍କ ରୋଷେଇ ପାଇଁ ଚାଉଳକୁ ଛାଡି ଦୈନିକ ମୁଣ୍ଡପିଛା ୫ଟଙ୍କା ୬୪ପଇସା ସରକାର ଦେଉଛନ୍ତି । ଏହାରି ଭିତରେ ତେଲ, ଲୁଣ, ଡାଲି, ପରିବା, ମସଲାଠାରୁ ଆରମ୍ଭ କରି ସପ୍ତାହରେ ୫ଦିନ ପିଲାଙ୍କୁ ଅଣ୍ଡା ତରକାରୀ ଖୋଇବା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଛି । ଏ ପରିପ୍ରେକ୍ଷୀରେ ଅଙ୍ଗନବାଡି କର୍ମୀମାନେ ହରଡ଼ଘଣାରେ ପଡ଼ିଛନ୍ତି । ପିଲାମାନଙ୍କୁ ସପ୍ତାହରେ ୫ଦିନ ଅଣ୍ଡା ତରକାରୀ ନଦେଲେ ଅଭିଭାବକଙ୍କ ସମେତ ଗାଁର କୁଜି ନେତାମାନେ ହଲାପଟା କରୁଛନ୍ତି । ତେଣେ ଅଧିକ ପିଲା ଦେଖାଇଲେ କମ୍‍ ଅଣ୍ଡା କିଣିଲେ ଭବିଷ୍ୟତରେ ଚାକିରି ଚାଲିଯିବାର ଆଶଙ୍କା ରହିଛି ।

ଏଠାରେ ଉଲ୍ଲେଖନୀୟ ଯେ, ଶିଶୁ ଓ ପ୍ରସୂତି ମହିଳାମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବା ଲାଗି ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଏବଂ ଅନ୍ୟାନ୍ୟ ଔଷଧ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯାଉଛି । ଏହାଫଳରେ ପୁଷ୍ଟିହୀନତା ଓ ରକ୍ତହୀନତାକୁ ଅନେକ ମାତ୍ରାରେ ରୋଗାଯିବା ସହିତ ଶିଶୁ ଓ ମାତୃ ମୃତ୍ୟୁହାର ମଧ୍ୟ କମାଯାଇପାରୁଛି । କେବଳ ସେତିକି ନୁହେଁ ଅଙ୍ଗନବାଡି କେନ୍ଦ୍ରଗୁଡିକ ଯୋଗୁ ବିଦ୍ୟାଳୟରେ ପ୍ରାଥମିକ ଶ୍ରେଣୀରେ ପିଲାମାନଙ୍କର ନାମାଙ୍କନ ହାର ମଧ୍ୟ ବଢୁଛି । ଏହାର ମୁଖ୍ୟ ଆକର୍ଷଣ ହେଉଛି ଅଙ୍ଗନବାଡି କେନ୍ଦ୍ରରେ ଯୋଗାଯାଉଥିବା ଅଣ୍ଡାଯୁକ୍ତ ଖାଦ୍ୟ ।

ଅଙ୍ଗନବାଡି କର୍ମୀମାନଙ୍କ ଉପରେ ଅନ୍‍ଲାଇନ୍‍ ଓ ଅଫ୍‍ଲାଇନ୍‍ରେ ଅନେକ କାମ ଲଦି ଦିଆଯାଉଛି । ଏଥିରେ ଏପଟସେପଟ ହେଲେ ସୁପରଭାଇଜର, ସିଡିପିଓ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସମେତ ଅନ୍ୟ ପଦସ୍ଥ ଅଧିକାରୀଙ୍କ ରୋଷର ଅଙ୍ଗନବାଡି କର୍ମୀମାନେ ଶିକାର ହେଉଥିବା ଘେନି ଅଭିଯୋଗ ଆସୁଛି ।

ଅଙ୍ଗନବାଡି କର୍ମୀମାନେ ନିୟମିତ ସରକାରୀ କର୍ମଚାରୀ ନୁହଁନ୍ତି ଅଥଚ ନିୟମିତ ସରକାରୀ କର୍ମଚାରୀଙ୍କ ତୁଳନାରେ ଏମାନଙ୍କ କାମ ଓ ଦାୟିତ୍ୱ କିଛି କମ୍‍ ନୁହେଁ । ସ୍ୱଳ୍ପ ପାରିଶ୍ରମିକରେ ଏହି କର୍ମୀମାନେ ଗଭୀର ମାନସିକ ଚାପ ସହିତ ହାଡଭଙ୍ଗା ଖଟଣି ଖଟିଥାନ୍ତି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କ୍ଷେତ୍ରରେ ବି ଏମାନେ ମୂଳଦୁଆ ଭାବେ କାମ କରନ୍ତି । ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ କାର୍ଯ୍ୟକ୍ରମର ସଫଳତା ଏମାନଙ୍କ ଯୋଗୁ ହିଁ ସମ୍ଭବପର ହୋଇଥାଏ । ତେବେ ବଜାରରେ ଅଣ୍ଡାଦର ୭ଟଙ୍କାରୁ ଅଧିକ ହୋଇଥିବାବେଳେ ଏମାନଙ୍କୁ ୫ଟଙ୍କାରୁ କମ୍‍ ଦାମରେ ଅଣ୍ଡା କିଣିବା ପାଇଁ ଯେଭଳି ବାଧ୍ୟ କରାଯାଉଛି ତାହା ଅତ୍ୟନ୍ତ ଅସମ୍ଭବପର କାମ ।

ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ସହ ଅଙ୍ଗନବାଡି କର୍ମୀମାନଙ୍କୁ ଅଣ୍ଡା ବିବାଦରୁ ମୁକ୍ତ କରିବା ଲାଗି ସରକାର ଅଙ୍ଗନବାଡି କେନ୍ଦ୍ରମାନଙ୍କୁ ଆବଶ୍ୟକ ସଂଖ୍ୟକ ଅଣ୍ଡା ଯୋଗାଇ ଦେବା ସଙ୍ଗେ ସଙ୍ଗେ ଉନ୍ନତମାନର ସଂକ୍ରମଣମୁକ୍ତ ତଟକା ଛତୁଆ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ବ୍ୟବସ୍ଥା କରିବା ଏବଂ ପିଲାମାନଙ୍କ ଲାଗି ମୁଣ୍ଡପିଛା ଖାଇବା ଖର୍ଚ୍ଚ ବଜାର ଦରକୁ ଆଖି ଆଗରେ ରଖି ବଢାଇବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । 

Leave A Reply

Your email address will not be published.