ଏବର୍ଷ ଛାତ୍ର ସଂସଦ ର୍ନିବାଚନ ଅନିଶ୍ଚିତ
ଭୁବନେଶ୍ୱର : ଚଳିତ ବର୍ଷ ବି ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହୋଇନପାରେ । ପ୍ରାୟ ୬ବର୍ଷ ଧରି ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉନାହିଁ । ଏହା ପୂର୍ବର ଆଇନଶୃଙ୍ଖଳା ପରିସ୍ଥିତି ଓ ଅନ୍ୟାନ୍ୟ କାରଣ ଦର୍ଶାଇ ବିଭିନ୍ନ ସ୍ଥାନରେ ଛାତ୍ର ସଂସଦ ନିର୍ବାଚନ ମଧ୍ୟ ସ୍ଥଗିତ ରଖାଯାଉଥିଲା ।
୨୦୨୪ରେ ଲୋକସଭା ସହ ରାଜ୍ୟ ବିଧାନସଭା ପାଇଁ ସାଧାରଣ ନିର୍ବାଚନ ହେବାକୁ ଥିବା ପରିପ୍ରେକ୍ଷୀରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ବେଶ୍ ସରଗରମ୍ ହେବ ବୋଲି ଆଶା କରାଯାଉଥିଲା । ତେବେ ଛାତ୍ର ସଂସଦ ନିର୍ବାଚନ ପାଇଁ ଏଯାବତ୍ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଏବେ କଲେଜ ଓ ବିଶ୍ୱ ବିଦ୍ୟାଳୟ ଗୁଡିକ ଲାଗି ନାମାଙ୍କନ ପ୍ରକ୍ରିୟା ଚାଲିଛି । ଏହା ଶେଷ ହେବା ବେଳକୁ ଅଗଷ୍ଟ ମାସ ହୋଇଯାଇଥିବ ।
ଗ୍ରୀଷ୍ମ ଅବକାଶ ପରେ ଏବେ ବିଶ୍ୱ ବିଦ୍ୟାଳୟ ଓ କଲେଜରେ ପାଠ ପଢା ଆରମ୍ଭ ହୋଇଛି । ସାଧାରଣତଃ କଲେଜ ଖୋଲିବା ପରେ ପରେ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନ ଆରମ୍ଭ କରିଥାନ୍ତି । ବିଭିନ୍ନ ଛାତ୍ର ସଂଗଠନ ମଧ୍ୟ ଗ୍ରୀଷ୍ମ ଛୁଟିରୁ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ସହ ପ୍ରଚାରର ରଣକୌଶଳ ମଧ୍ୟ ସ୍ଥିର କରିଥାନ୍ତି । କିନ୍ତୁ ଏବେ ଏଭଳି କୌଣସି ଘଟଣା ଲକ୍ଷ୍ୟ କରାଯାଉନାହିଁ ।
ପ୍ରାୟ ୬ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିବା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ବି ନିର୍ବାଚନ କଥା ଏକପ୍ରକାର ଭୁଲିଗଲେଣି । ବିଶେଷ କରି ବିଜୁ ଛାତ୍ର ଜନତା, ଏବିଭିପି, ଛାତ୍ର କଂଗ୍ରେସ, ଡିଏସ୍ଓ, ଏସ୍ଏଫଆଇ ଓ ଏଆଇଏସ୍ଏଫ୍ ଭଳି ଛାତ୍ର ସଂଗଠନମାନେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ କ୍ୟାମ୍ପସ୍ରେ ସେମାନଙ୍କ ଦବ୍ଦବା ଜାହିର କରିବା ପାଇଁ ସଭ୍ୟ ଓ ସମର୍ଥକ ଯୋଗାଡ଼ କରିଥାନ୍ତି । କିନ୍ତୁ ଏବେ କଲେଜ କ୍ୟାମ୍ପସ୍ ଗୁଡିକରେ ରାଜନୈତିକ ଦଳ ଗୁଡ଼ିକର ଛାତ୍ର ସଙ୍ଗଠନମାନଙ୍କ ଉପସ୍ଥିତି ଅନୁଭୂତ ହେଉନାହିଁ ।
ଛାତ୍ର ସଂସଦ ନିର୍ବାଚନ ନକରି କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଭିନ୍ନ ପଦବୀ ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ମନୋନୟନ କରିଥାନ୍ତି । ଫଳରେ ନିର୍ବାଚନ ପାଇଁ କଲେଜ କ୍ୟାମ୍ପସ୍ରେ ପୂର୍ବରୁ ସୃଷ୍ଟି ହେଉଥିବା ଉତ୍ତେଜନାମୂଳକ ବାତାବରଣ ଓ ଆଇନଶୃଙ୍ଖଳା ପରିସ୍ଥିତି ଆଉ ସୃଷ୍ଟି ହେଉନାହିଁ । ଛାତ୍ର ସଂସଦ ନିର୍ବାଚନ ମାଧ୍ୟମରେ ଭବିଷ୍ୟତର ରାଜନେତା ସୃଷ୍ଟି ପାଇଁ ଯେଉଁ ସୁଯୋଗ ରହୁଥିଲା ଏବେ କିଛିବର୍ଷ ଧରି ତାହା ଶିଥିଳ ପଡିଯାଇଛି । ଛାତ୍ର ସଙ୍ଗଠନ ଦୁର୍ବଳ ହେବା ଫଳରେ କେତେକ ରାଜନୈତିକ ଦଳର ସ୍ଥିତି ମଧ୍ୟ ଦୁର୍ବଳ ହୋଇପଡୁଛି ।