ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ନୂତନ ମୁଖ୍ୟ କାର୍ଯ୍ୟାଳୟ ସୌଧ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ୧୯୫୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।
ଏହି ନିଗମ ରାଜ୍ୟର ୩୦ଟି ଜିଲ୍ଲାର ୬୮ଟି ସ୍ଥାନରେ ମୋଟ ୫,୨୧,୪୦୦ ମେଟ୍ରିକ ଟନ କ୍ଷମତାବିଶିଷ୍ଟ ଗୋଦାମଘର ପରିଚାଳନା କରି ମୁଖ୍ୟତଃ କୃଷିଜାତ ଦ୍ରବ୍ୟର ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ ଓ ସୁଷମ ବଣ୍ଟନର ଆନୁଷଙ୍ଗିକ ବ୍ୟବସ୍ଥାକୁ ସହାୟତା ଯୋଗାଇଥାଏ । ଭୁବନେଶ୍ୱରସ୍ଥିତ ପ୍ଲଟ ନମ୍ବର-୨, କଟକ ରୋଡର ଏକ ପ୍ରମୁଖ ସ୍ଥାନରେ ଅବସ୍ଥିତ ଥିବା ନିଗମର ମୁଖ୍ୟ କାର୍ଯ୍ୟାଳୟ ପଣ୍ୟାଗାରଗୁଡିକର ସମସ୍ତ ବ୍ୟବସାୟିକ କାର୍ଯ୍ୟକୁ ପରିଚାଳନା କରିଥାଏ ।
ନିଗମର ବ୍ୟବସାୟିକ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ଏହାର କାର୍ଯ୍ୟ ପରିସରର ଆବଶ୍ୟକତାକୁ ପୂରଣ କରିବା ପାଇଁ ମୌଳିକ ସୁବିଧାଯୁକ୍ତ ଭିତ୍ତିଭୂମି ସୃଷ୍ଟି ନିମନ୍ତେ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ନୂତନ ୪ ମହଲା ବିଶିଷ୍ଟ ଅଫିସ ସୌଧ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ୧୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ଇଡକୋ, ଭୁବନେଶ୍ୱରକୁ
ଦିଆଯାଇଛି ।
କର୍ପୋରେଟ ଅଫିସର କାର୍ଯ୍ୟ ପାଇଁ ଗ୍ରାଉଣ୍ଡ ଓ ପ୍ରଥମ ମହଲା (୧୪,୨୦୮ ବର୍ଗଫୁଟ ) ବ୍ୟବହାର କରାଯିବ ଓ ଦ୍ୱିତୀୟ ଓ ତୃତୀୟ ମହଲା (୧୯,୧୯୭ ବର୍ଗଫୁଟ) ଭଡାସୂତ୍ରରେ ଅନ୍ୟ ସଂସ୍ଥାମାନଙ୍କୁ ଦିଆଯିବ ଯେଉଁଥିରୁ ବହୁ ପରିମାଣର ରାଜସ୍ୱ ମିଳିପାରିବ । ଏହି ଅଟ୍ଟାଳିକାଟି କାର୍ଯ୍ୟକ୍ଷେତ୍ରର ଆବଶ୍ୟକତା ଅନୁଯାୟୀ ନିଗମର ଅଧ୍ୟକ୍ଷ, ପରିଚାଳନା ନିର୍ଦ୍ଦେଶକ, ଅନ୍ୟାନ୍ୟ ଅଧିକାରୀ ଏବଂ ସହକାରୀ କର୍ମଚାରୀମାନଙ୍କୁ ଉତ୍ତମ ପରିବେଶ ଯୋଗାଇବା ସଙ୍ଗେ ସଙ୍ଗେ ଅଭ୍ୟର୍ଥନା କକ୍ଷ, ନିର୍ଦ୍ଦେଶକମଣ୍ଡଳୀ ପ୍ରକୋଷ୍ଠ, ପରିଦର୍ଶକ ବିଶ୍ରାମ କକ୍ଷ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇପାରିବ । ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି ।
ଓଡିଶା ରାଜ୍ୟ ଯୋଗାଣ ନିଗମ ଓ ଭାରତୀୟ ଖାଦ୍ୟ ନିଗମ ମୁଖ୍ୟତଃ ପଣ୍ୟାଗାର ନିଗମର ଗୋଦାମଘରଗୁଡିକୁ ଖାଦ୍ୟଶସ୍ୟ ସଂରକ୍ଷଣ ପାଇଁ ବ୍ୟବହାର କରନ୍ତି । ଏତଦ୍ବ୍ୟତୀତ ନିଗମ ନାଫେଡ୍, ସ୍ୱତନ୍ତ୍ର ରିଲିଫ କମିଶନର, ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା, ମେକନ ଲିମିଟେଡ, ଓଡିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ, ସାର କମ୍ପାନୀ ଓ ଅନ୍ୟାନ୍ୟ ବେସରକାରୀ ଜମାକାରୀଙ୍କର ବିଭିନ୍ନ ସାମଗ୍ରୀର ବୈଜ୍ଞାନିକ ସଂରକ୍ଷଣ ସୁବିଧା ଉପଲବ୍ଧ କରାଇଥାଏ ।
ଗୋଦାମଗୁଡିକର ଉପଯୁକ୍ତ ଉପଯୋଗ ଏବଂ ହିତାଧିକାରୀମାନଙ୍କୁ ଉନ୍ନତ ସେବା ପ୍ରଦାନ ଯୋଗୁଁ ନିଗମ କ୍ରମାଗତ ଭାବରେ ଲାଭ କରୁଅଛି ଏବଂ ଏହାର ଅଂଶୀଦାର ରାଜ୍ୟ ସରକାର ଓ କେନ୍ଦ୍ରୀୟ ପଣ୍ୟାଗାର ନିଗମକୁ ନିୟମିତ ଭାବରେ ଲାଭାଂଶ ପ୍ରଦାନ କରିଆସୁଛି ।