ବୁଗୁଡ଼ା : ତା ୦୪/୦୭/୨୩ : ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିବା ଏକ ପରମ୍ପରାର ଆଖ୍ଯା ପାଇଥିବା ବେଳେ କେଉଁଠି ଦୁଃଖଭରା ବିଦାୟ ସମ୍ବର୍ଦ୍ଧନା ତ କେଉଁଠି ବିଦାୟ ସମ୍ବର୍ଦ୍ଧନା ସହ ଭୋଜିଭାତର ଆସର ଜମୁଥିବା ବେଳେ ଆଉ କେଉଁଠି ଅଭିଭାବକଙ୍କ ସହିତ ଛାତ୍ରଛାତ୍ରୀ ନିଜର ପ୍ରିୟ ଶିକ୍ଷକଙ୍କୁ ବାଦ୍ଯ ବାଜଣା ସହ ସସମ୍ମାନେ ବିଦାୟ ଦେବା ଭଳି ନଜିର ରହିଛି। ତେବେ ଗତ ଜୁନ୍ ୩୦ ତାରିଖ ଦିନ ୨ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ବିଦାୟକାଳୀନ କାର୍ଯ୍ୟକ୍ରମରେ ଡିଜେ ବଜାଇ ଅରୁଚିକର ଆଲବମ୍ ଗୀତର ତାଳେ ତାଳେ ଛାତ୍ରଛାତ୍ରୀ ସ୍କୁଲ ଡ୍ରେସ୍ ପିନ୍ଧି ଗାଁ ଦାଣ୍ଡରେ ଡେଉଁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରଲ୍ ହୋଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପ୍ରକାଶ ଯେ , ବୁଗୁଡା ବ୍ଲକର ତାଳସାକର ଗ୍ରାମସ୍ଥିତ ମହାମାୟୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୋପାଳ ପାତ୍ର ଓ ହିନ୍ଦୀ ଶିକ୍ଷକ ପ୍ରଶାନ୍ତ ଖଟେଇଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଦିନରେ ସ୍କୁଲ ଛାତ୍ରଛାତ୍ରୀ ଡିଜେ ବଜାଇ ବାଜେ ଆଲବମ୍ ଗୀତରେ ଗାଁ ଦାଣ୍ଡରେ ଡେଉଁଥିବା ଭଳି ଅଶୋଭନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଏହାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରଲ୍ ସାଙ୍ଗକୁ ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ବୁଗୁଡ଼ା ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଏଭଳି ବେଢଙ୍ଗିଆ କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀ ସାଙ୍ଗକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି । ଏହି ଘଟଣା ସମ୍ପର୍କେ ଗୋଷ୍ଠୀ ଶିକ୍ଷାଧିକାରୀ ଚିନ୍ମୟ ମହାପାତ୍ର ଅବଗତ ଥିଲାବେଳେ ଆଗାମୀ ଦିନରେ କୌଣସି ବିଦ୍ୟାଳୟରେ ଏଭଳି ଅଶୋଭନୀୟ କାର୍ଯ୍ୟକ୍ରମର ପୁନରାବୃତ୍ତି ଯେଭଳି ନ ଘଟେ ସେଥି ପ୍ରତି ତାଗିଦ୍ କରାଯିବ ବୋଲି ସେ କହିଛନ୍ତି ।