ଭଞ୍ଜନଗର, :କିଛି ଦିନର ବ୍ୟବଧାନ ପରେ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ରେ ହାତୀପଲ ଙ୍କ ଉପଦ୍ରବ ଦେଖିବାକୁ ମିଳିଛି।ଗୁରୁବାର ବିଳମ୍ବିତ ରାତ୍ର ସମୟରେ ହାତୀପଲ ମୁଜାଗଡ ବନାଞ୍ଚଳର ମହାଗୁଡା ଗ୍ରାମର ଚାଷ ଜମି ଗୁଡିକରେ ପଶି ବ୍ୟାପକ ଧାନତଳି ନଷ୍ଟ କରିଛନ୍ତି।ଖବର ପାଇ ବନ ବିଭାଗର ଅଧିକାରୀ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ହେଲେ ରୁଆ ପାଇଁ ଜମିରେ ଥିବା ଧାନତଳି ନଷ୍ଟ ହୋଇ ଯାଇଥିବା ରୁ ଚଳିତବର୍ଷ ର ଖରିଫ ଚାଷକୁ ନେଇ ଚାଷୀ ଚିନ୍ତାରେ ପଡିଛି। ଚଳିତବର୍ଷ ର ଖରିଫ୍ ଧାନ ଚାଷ ପାଇଁ ବର୍ଷା ନଥିବାରୁ ଚାଷୀ ହାତ ବାନ୍ଧି ବସିଥିଲେ ।ହେଲେ ଗତ ଦୁଇ ଦିନର ବର୍ଷା ପରେ ଚାଷ କାମକୁ ଆଗେଇ ନେଇଛି ଚାଷୀ।ଏଭଳି ସମୟରେ ହାତୀପଲଙ୍କ ଉପଦ୍ରବ ଚାଷୀ ଙ୍କ ଚିନ୍ତା ବଢାଇ ଦେଇଛି।୫୦ ଏକର ଜମିରେ ଧାନ ରୁଆ ପାଇଁ ତଳି ପକାଇଥିବା ମହାଗୁଡା ଗ୍ରାମର ୪୦ ରୁ ଉର୍ଦ୍ଧ୍ଵ ଚାଷୀଙ୍କ ତଳିକୁ ହାତୀପଲ ଦଳି ନଷ୍ଟ କରିଛନ୍ତି।ଯାହାକି ରୁଆ ପାଇଁ ଉପଯୋଗୀ ହେବ ନାହିଁ। କିଛି ଦିନ ପରେ ଜମିରେ ଧାନ ତଳି ରୁଆ ହେବାକୁ ଥିବା ବେଳେ ହାତୀପଲ ଙ୍କ ଦ୍ବାରା ନଷ୍ଟ ହେବା ଚାଷୀ ମୁଣ୍ଡରେ ଚଡକ ପକାଇଛି। ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇ କ୍ଷୟକ୍ଷତି ଯୋଗାଇ ଦେବାକୁ ଚାଷୀ ନିବେଦନ କରିଛନ୍ତି।