ଭୁବନେଶ୍ୱର : ନିଶା ନିବାରଣ କେନ୍ଦ୍ରରେ ବାରମ୍ବାର ନିଶାଡିଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବାବେଳେ କେନ୍ଦ୍ର ସରକାର ଆଉ ଏହି କେନ୍ଦ୍ରକୁ ଅର୍ଥ ପ୍ରଦାନ କରୁନଥିବା ଜଣାଯାଇଛି । ଗତ ତିନିବର୍ଷ ଧରି କେନ୍ଦ୍ରୀୟ ଅନୁଦାନ ଆଉ ରାଜ୍ୟର ନିଶା ନିବାରଣ କେନ୍ଦ୍ରଗୁଡିକୁ ମିଳୁନାହିଁ ।
ରାଜ୍ୟର ୨୯ଟି ଜିଲ୍ଲାରେ ଏବେ ରହିଛି ୪୧ଟି ନିଶା ନିବାରଣ କେନ୍ଦ୍ର । ପ୍ରତି ନିଶା ନିବାରଣ କେନ୍ଦ୍ରରେ ରହିଛି ୧୫ଟି ଶଯ୍ୟା । ବିଶେଷକରି ମଦ, ଗଞ୍ଜେଇ, ଅଫିମ, ବ୍ରାଉନସୁଗାର, ଚରସ ଆଦି ସେବନ କରୁଥିବା ନିଶାଡି ମାନେ ଏଠାରେ ସୁଧୁରିବା ପାଇଁ ରୁହନ୍ତି । ଅଧିକାଂଶଙ୍କୁ ସେମାନଙ୍କ ପରିବାର ଲୋକେ ଅର୍ଥ ପଇଠ କରି ଏଠାରେ ଦାଖଲ କରିଥାନ୍ତି । ତେବେ ଏହି ନିଶା ନିବାରଣ କେନ୍ଦ୍ରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କିଛି ଅନୁଦାନ ଯୋଗାଇ ଦେଇଥାନ୍ତି ।
କେନ୍ଦ୍ର ସରକାର ୨୦୧୮-୧୯ ମସିହାରେ କେନ୍ଦ୍ର ସରକାର ରାଜ୍ୟରେ ଥିବା ନିଶା ନିବାରଣ କେନ୍ଦ୍ରଗୁଡିକୁ ୧.୩୫ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଥିବାବେଳେ ୨୦୧୯-୨୦ ମସିହାରେ ପ୍ରାୟ ୨.୩ କୋଟି ଟଙ୍କା ଯୋଗାଇ ଦେଇଥିଲେ । ତେବେ ଏହା ପରଠାରୁ କେନ୍ଦ୍ର ସରକାର ଆଉ ଟଙ୍କାଟିଏ ହେଲେ ଅନୁଦାନ ପ୍ରଦାନ କରୁନାହାନ୍ତି ।
ଅନ୍ୟ ପକ୍ଷରେ ନିଶା ନିବାରଣ କେନ୍ଦ୍ରଗୁଡିକରେ ନିଶାଡିଙ୍କ ସଂଖ୍ୟା କିନ୍ତୁ ବଢିବାରେ ଲାଗିଛି । ୨୦୧୭-୧୮ବର୍ଷରେ ରାଜ୍ୟରେ ଥିବା ଏହି କେନ୍ଦ୍ରଗୁଡିକରେ ୧୦ହଜାରରୁ କମ୍ ନିଶାଡି ଭର୍ତ୍ତି ହୋଇଥିବାବେଳେ ୨୦୨୧-୨୨ ରେ ଏମାନଙ୍କ ସଂଖ୍ୟା ୧୫ ହଜାରକୁ ଅତିକ୍ରମ କରିଯାଇଥିଲା । ରାଜ୍ୟରେ ନିଶା କାରବାର ସହିତ ତାଳ ଦେଇ ନିଶାଡିଙ୍କ ସଂଖ୍ୟା ବଢୁଥିବାବେଳେ ପରିବାର ଲୋକେ ସେମାନଙ୍କୁ ସୁଧାରିବାପାଇଁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରୁଛନ୍ତି ।
ତେବେ ନିଶାଡିଙ୍କୁ ସୁଧାରିବା ଲାଗି ସେମାନଙ୍କ ପରିବାର ଠାରୁ ମୋଟା ଅଙ୍କର ଅର୍ଥ ନେଉଥିବା ନିଶା ନିବାରଣ କେନ୍ଦ୍ରଗୁଡିକ ମୁଣ୍ଡରେ କିନ୍ତୁ ହତ୍ୟା ଭଳି ଅଭିଯୋଗ ଲାଗୁଛି । ବହୁ ନିଶା ନିବାରଣ କେନ୍ଦ୍ରରେ ନିଶାଡିଙ୍କୁ ସାବାଡ କରିବାପାଇଁ କେନ୍ଦ୍ର କର୍ତ୍ତୃପକ୍ଷ ଅମାନୁଷିକ ଭାବେ ମାରପିଟ୍ କରୁଛନ୍ତି । ବାଡିଆ ପିଟାରେ ବହୁ ଯୁବକ ମୃତ୍ୟୁବରଣ କରୁଥିବାବେଳେ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ ବି ଜେଲରେ ଭର୍ତ୍ତି ହେଉଛନ୍ତି ।