ଇସ୍ରୋର ବହୁ ପ୍ରତୀକ୍ଷିତ ମୁନ୍ ମିଶନ ଚନ୍ଦ୍ରଯାନ-3ର ଉତକ୍ଷେପଣ ସଫଳ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ରକେଟର ଉତକ୍ଷେପଣ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଦିନ 2ଟା 35ରେ LVM3-M4 ରକେଟ୍ ଯୋଗେ ଉଡାଣ ଭରିଛି ଚନ୍ଦ୍ରଯାନ-3। ଇସ୍ରୋ ସୂଚନା ମୁତାବକ, ଉତକ୍ଷେପଣର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସଫଳ ହୋଇଛି। ଭୂପୃଷ୍ଠ ଛାଡିବାର 16 ମିନିଟ ପରେ 180 କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଛି। ଆସନ୍ତା ଅଗଷ୍ଟ 23 କିମ୍ବା 24ରେ ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲ୍ଯାଣ୍ଡିଂ ହେବ, ଯାହା ଉପରେ ପୁରା ବିଶ୍ୱର ନଜର। ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଲ୍ୟାଣ୍ଡିଂ ପାଇଁ ସ୍ଥାନ ଚୟନ କରିଛି ଇସ୍ରୋ। ଅବତରଣ ସଫଳ ହେଲେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ପରିଗଣିତ ହେବ।