ଭୁବନେଶ୍ୱର : ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ (ଡିଆଇଏଲ୍ଆର୍ଏମ୍ପି)ର ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ‘ଭୂମି ସମ୍ମାନ’ ପୁରସ୍କାର ପ୍ରଦାନ କରିଛନ୍ତି ।
ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଦେଶର ସମୁଦାୟ ୭୬୬ ଜିଲ୍ଲା ମଧ୍ୟରୁ ୬୮ଟି ଜିଲ୍ଲାକୁ ଡିଆଇଏଲ୍ଆର୍ଏମ୍ପି ଅନ୍ତର୍ଗତ ଛଅଗୋଟି ବର୍ଗରେ ପ୍ଲାଟିନମ୍ ପୁରସ୍କାର ମିଳିଛି । ତନ୍ମଧ୍ୟରୁ ଓଡ଼ିଶାର ୧୯ଟି ଜିଲ୍ଲା ଏହି ପୁରସ୍କାର ପାଇବା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଗୌରବର ବିଷୟ ।
ଓଡ଼ିଶାର ଅନୁଗୁଳ, ବୌଦ୍ଧ, ବରଗଡ, ଭଦ୍ରକ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା ଓ ସମ୍ବଲପୁର ଆଦି ୧୯ଟି ଜିଲ୍ଲା ଏହି ପ୍ଲାଟିନମ ପୁରସ୍କାର ନିମନ୍ତେ ବିବେଚିତ ହୋଇଥିଲେ । ରାଷ୍ଟ୍ରପତି ଏହି ଜିଲ୍ଲାମାନଙ୍କର ଜିଲ୍ଲାପାଳ ବା ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ‘ଭୂମି ସମ୍ମାନ’ ପୁରସ୍କାର ପ୍ରଦାନ କରିଥିଲେ ।
ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀୟୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ୫-‘ଟି’ କାର୍ଯ୍ୟାନ୍ୱୟନ ତଥା ‘ମୋ ସରକାର’ ନିୟମାବଳୀ ମାଧ୍ୟମରେ ଜମିଜମା ରେକର୍ଡ ଏବଂ ଜନସେବାକୁ ଡିଜିଟାଇଜେସନ୍ କରିବାରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି ।
ରାଜସ୍ୱ କାର୍ଯ୍ୟାଳୟମାନଙ୍କରେ ନାଗରିକମାନଙ୍କ ବ୍ୟକ୍ତିଗତ ଉପସ୍ଥିତିକୁ ଯଥାସମ୍ଭବ କମ କରିବା ସହ ମଧ୍ୟସ୍ଥିମାନଙ୍କ ଭୂମିକାକୁ ନ୍ୟìନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ବିଭାଗ ଦ୍ୱାରା ନାଗରିକମାନଙ୍କୁ ଯୋଗାଇ ଦିଆଯାଉଥିବା ୩୪ଟି ପ୍ରମୁଖ ସେବାକୁ ଅନ୍ଲାଇନ୍ କରାଯିବା ଦ୍ୱାରା ଲୋକମାନେ ଅନଲାଇନ ମାଧ୍ୟମରେ ଆବେଦନ ଏବଂ ସ୍ଥିତି ଜାଣିପାରୁଛନ୍ତି ।