ବରୀ,୨୦l୭(ନ ନ୍ୟୁ ସ):ଯାଜପୁର ଜିଲ୍ଲା ବରୀ ବ୍ଳକ ଅନ୍ତର୍ଗତ ବାଲିଆ ବଜାରଟି ଏକ ପ୍ରମୁଖ ଏବଂ ପୁରାତନ ବାଣିଜ୍ୟିକ ପେଣ୍ଠସ୍ଥଳୀ ହୋଇଥିଲେ ମଧ୍ୟ ଏହା ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇଛି l ପ୍ରାୟ ୬୦/୭୦ ବର୍ଷର ପୁରୁଣା ଏହା ଏକ ଗ୍ରାମୀଣ ବଜାର ହୋଇଥିଲାବେଳେ ପ୍ରାୟ ଶହେରୁ ଅଧିକ ଛୋଟ ବଡ଼ ବ୍ୟବସାୟୀଙ୍କର ବ୍ୟବସାୟ ପ୍ରତିଷ୍ଠାନ ଏଠାରେ ରହିଛି । ପାଞ୍ଚଟିରୁ ଅଧୁକ ଶିକ୍ଷାନୁଷ୍ଠାନ, ଦୁଇଟି ବ୍ୟାଙ୍କ, ୩ ଗୋଟି ଏଟିଏମ ଓ ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିଲା ବେଳେ ଚଳଚଞ୍ଚଳ ଏବଂ ଗୁରୁତ୍ଵପୂର୍ଣ୍ଣ ଏଇତିହାସିକ ବୌଦ୍ଧ ପୀଠ ରତ୍ନଗିରିକୁ ଏବଂ କେନ୍ଦ୍ରାପଡା ଜିଲ୍ଲାକୁ ସଂଯୋଗ କରୁଥିବା ଗୋଳକୁଣ୍ଡ-ଇନ୍ଦୁପୁର ଓ ଗୋଳକୁଣ୍ଡ ରତ୍ନଗିରି ପୂର୍ତ୍ତ ବିଭାଗର ଦୁଇଟି ରାସ୍ତାର ସଂଯୋଗ ସ୍ଥଳୀ । ସୋମବାର ଓ ଗୁରୁବାର ଦୁଇଦିନ ସାପ୍ତାହିକ ହାଟପାଳି ଏଠାରେ ବସିଥାଏ । ପ୍ରତ୍ୟହ ଶତାଧିକ ଚାଷୀ, ବ୍ୟବସାୟୀ, ସାଧାରଣଲୋକ, ଛାତ୍ରଛାତ୍ରୀ ଏହି ବଜାର ଉପରେ ନିର୍ଭର କରିଥାନ୍ତି । ଏପରିକି ବଡ଼ଚଣା ବ୍ଳକ, ଧର୍ମଶାଳା, ରସୁଲପୁର ଓ ବିଂଝାରପୁର ଅଂଚଳରୁ ବିଭିନ୍ନ କାମରେ ଲୋକମାନେ ଏହି ବଜାର ଉପରେ ନିର୍ଭର କରିବା ସହିତ ଏହି ବାଟଦେଇ ଗନ୍ତବ୍ୟସ୍ଥଳୀକୁ ଯାତାୟତ କରିଥାନ୍ତି । କିନ୍ତୁ ଏହି ପୁରାତନ ବଜାର ଦେଇ ଯାଇଥିବା ବିଭିନ୍ନ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ବଜାରର ମୁଖ୍ୟ ରାସ୍ତା କଲେଜ ଛକରୁ ହାଟ ଛକ ରାସ୍ତା ଖୁବ କମ ଦିନ ତଳେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲେ ମଧ୍ୟ ଠିକାଦାରଙ୍କ ଦୂର ଦୃଷ୍ଟି ଅଭାବରୁ ଛକ ମଝିରେ ପାଣି ଜମି ରହିବା ସହ ବହୁ ସ୍ଥାନରେ କଂକ୍ରିଟ ଉଠି ଖାଲ ଖମା ହୋଇ ଗଲାଣି l ଏହାର ପୁନଃନିର୍ମାଣ ସହିତ ରାସ୍ତାକୁ ଅଧିକ ଉଚ୍ଚା କରି ମଝିରେ ରୋଡ୍ ଡିଭାଇଡ଼ର କରାଯିବା ପାଇଁ ପ୍ରସ୍ତାବ ରହିଥିଲେ ବି ତାହା କାର୍ଯ୍ୟକାରୀ ହେଉନାହିଁ । ବାଲିଆ ବଜାର ଭିତରେ ଟ୍ରାଫିକ ଭିଡ଼ ସାଧାରଣ ଲୋକଙ୍କ ବଡ଼ ସମସ୍ୟା ସୃଷ୍ଟି କରୁଛି । ସାପ୍ତାହିକ ଦୁଇପାଳି ହାଟ ବସିବା ସହିତ ମାହାସୁଲ ଆଦାୟ ହେଉଥିଲେ ମଧ୍ୟ ବାଲିଆର ବହୁ ପୁରାତନ ହାଟର ଅବସ୍ଥା ଶୋଚନୀୟ । ପ୍ରତ୍ୟହ ଶହ ଶହ ଲୋକ ବାଲିଆ ବଜାର ଉପରେ ନିର୍ଭର କରୁଥିଲେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ଶୌଚାଳୟ ଟିଏ ବ୍ୟବସ୍ଥା କରାଯାଇ ନଥିବାରୁ କଲେଜ ହତା ଏକ ରକମ କମ୍ୟୁନିଟି ଲାଟିନ ପାଲଟିଛି । ସେହିଭଳି କଲେଜ ସାମ୍ନାରେ ଥିବା ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ପ୍ରତିମୂର୍ତ୍ତି ନିକଟରେ ଆଲୋକ ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ପରେ ସେଠାରେ ଆସାମାଜିକ ବ୍ୟକ୍ତି ମାନଙ୍କ ଆସର ଜମୁଛି l ବ୍ୟବସାୟିକ ପ୍ରତିଷ୍ଠାନ, ଖାଦ୍ୟଦୋକାନ, ମାଛ ମାସଂ ଦୋକାନ ଓ ପନିପରିବା ଦୋକାନ ଗୁଡ଼ିକରୁ ପ୍ରତିଦିନ ବାହାରୁଥିବା ଆବର୍ଜନା ସବୁ କଲେଜ ହତା ମଧ୍ୟରେ ଥିବା ଗାଡ଼ିଆକୁ ଫୋପଡ଼ା ଯାଉଛି, ଯାହାକି ପରିବେଶ ପ୍ରଦୂଷଣ କରୁଛି । ରାଧିକା ଛନ୍ଦା ଠାରୁ ହାଟ ଛକ ମଧ୍ୟରେ ଶହେରୁ ଅଧିକ ବ୍ୟବସାୟ ପ୍ରତିଷ୍ଠାନ ଥିଲେ ମଧ୍ୟ ବଜାର କମିଟି ଗଠନ ହୋଇପାରିନାହିଁ । ପଂଚାୟତର ନିର୍ବାଚିତ ଲୋକପ୍ରତିନିଧି ଓ ବ୍ୟବସାୟୀମାନେ ଏକାଠି ହେବା ସହ ପ୍ରଶାସନ ପକ୍ଷରୁ ଶୁଭ ଦୃଷ୍ଟି ପଡ଼ିଲେ ଏହି ସମସ୍ୟା ଗୁଡିକର ସମାଧାନ ହୋଇପାରିବ ବୋଲି ମତପ୍ରକାଶ ପାଉଛି ।