ଲଘୁଚାପ ବର୍ଷା ଆଣିଲା ଆଶ୍ଵସ୍ତି;ବିଭିନ୍ନ ସ୍ଥାନରେ ଧାନ ରୁଆ ଆରମ୍ଭ 

ଭଞ୍ଜନଗର : ଅକ୍ଷୟ ତୃତୀୟା ପରଠୁ ଗଞ୍ଜାମ ଜିଲ୍ଲାରୁ ବର୍ଷା ଉଭାନ ହୋଇ ଯାଇଥିଲା । ବର୍ଷା ଅଭାବରୁ ଜମି ଫାଟି ଆଁ କରିଥିବା ବେଳେ ଖରିଫ ଧାନ ଚାଷ କାମ ଆଗେଇ ନଥିଲା। ଚାଷୀ ଚାତକ ଭଳି ବର୍ଷାକୁ ଅନାଇ ରହିଥିଲା। ଲଘୁଚାପ ଜନିତ ବର୍ଷା ଗତ ୫ ଦିନରୁ ଉର୍ଦ୍ଧ୍ବ ହେବା ଭଞ୍ଜନଗର ଉପଖଣ୍ଟରେ ଭଲ ବର୍ଷା ହୋଇ ଥିବା ବେଳେ ବିଭିନ୍ନ ସ୍ଥାନରେ ଧାନ ରୁଆ କାଯ୍ୟ ଆରମ୍ଭ ହୋଇଛି । ଫଳରେ ଚାଷୀ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଛି । କିନ୍ତୁ ଚାଷ କାଯ୍ୟ ସମ୍ପୂର୍ଣ୍ଣ ଅନୁକୂଳ ହୋଇପାରିନି। ଖରିଫ୍ ଋତୁ ରେ ଗଞ୍ଜାମ ଜିଲ୍ଲାରେ ଯେତିକି ଧାନ ଉତ୍ପାଦିତ ହୋଇଥାଏ ବାହାର ୪୦ ପ୍ରତିଶତ ଧାନ ଭଞ୍ଜନଗର ଉପଖଣ୍ଡରୁ ଅମଳ ହୋଇଥାଏ । ସେଥିପାଇଁ ଏହି ଉପଖଣ୍ଡକୁ ଗଞ୍ଜାମ ଜିଲ୍ଲାର ଭାତ ହାଣ୍ଡି କୁହାଯାଏ। ହେଲେ ଚଳିତ ବର୍ଷ ବିଳମ୍ବିତ ବର୍ଷା କାରଣ ରୁ ଚାଷୀ କୂଳର ଧାନ ଉତ୍ପାଦନ କମିବାର ଆଶଙ୍କା କରାଯାଉଛି । ବର୍ଷା ଅଭାବରୁ ଚଳିତ ବର୍ଷର ଚାଷ କାମ ପଛେଇଛି। ଆଷାଢ ଯାଇ ଶ୍ରାବଣର ୧୫ ଦିନ ବିତି ଯାଇଥିଲେ ସୁଦ୍ଧା ଉପଖଣ୍ଡର ୮୦ ଭାଗ ଜମି ପଡିଆ ପଡିଛି । ଗତ ୫ ରୁ ଉର୍ଦ୍ଧ୍ବ ଦିନ ହେବ ଲାଗି ରହିଥିବା ଲଘୁଚାପ ବର୍ଷା ଯୋଗୁ ଖାଲୁଅ ଜମି ଗୁଡିକରେ ରୁଆ ଓ ବେଉଶା ଆରମ୍ଭ ହୋଇଛି। ଆଗକୁ ବର୍ଷା ହେଲେ ଧାନ ରୁଆ ମଧ୍ୟ ବ୍ୟାପକ ଭାବେ ସ୍ୱାଭାବିକ ହେବ। ଏପରି ସ୍ଥଳେ କୃଷି ବିଭାଗ ପକ୍ଷରୁ ଉପଖଣ୍ଡର ବିଭିନ୍ନ ସ୍ଥାନରେ ସାର ବିକ୍ରି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସରକାରୀ ଧାର୍ଯ୍ୟ ଦରରେ ସାର ବିକ୍ରି କରିବାକୁ ବିଭାଗ ପକ୍ଷରୁ ସମବାୟ ସମିତି ଗୁଡିକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଯଦି କେହି ଖିଲାଫ କରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବର୍ଷା ଅଭାବ ଯୋଗୁଁ ତଳି ଗୁଡିକ ମରି ଯାଇଥିବା ବେଳେ ଚାଷୀ ପୁନର୍ବାର ତଳି ପକାଇଛନ୍ତି। ବ୍ଳକର  ତୁରୁମୁ,ଗାଲେରୀ, କୁଲାଡ଼, ମୁଦୁଲିପଲି ପଂଚାୟତର ବିଭିନ୍ନ ସ୍ଥାନରେ ପତ୍ରପଡା ରୋଗ ମାଡି ଥିବା ଅଭିଯୋଗ ଆସିବା ପରେ କୃଷି ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯିବା ସହ ଚାଷୀଙ୍କୁ କୀଟ ନାଶକ ସିଞ୍ଚନ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଧାନ ରୁଆ କାଯ୍ୟକୁ ଆଗେଇ ନେବାକୁ ହେଲେ କେନାଲ ମାଧ୍ୟମରେ ତୁରନ୍ତ ପାଣି ଛାଡିବାକୁ ଚାଷୀ ଦାବି କରିଛନ୍ତି।

Leave A Reply

Your email address will not be published.