ବୁଗୁଡ଼ା : ବୁଗୁଡା ପୋଲିସ ଥାନା ଅନ୍ତର୍ଗତ କରସିଙ୍ଗି ଗ୍ରାମର ବନିତା ଗୌଡଙ୍କ ପୁତ୍ର ଦଣ୍ଡପାଣି ଗୌଡ(୨୪) ଗତ ୧୮ ତାରିଖ ଅର୍ଦ୍ଧରାତ୍ରରେ ଘରୁ କେଉଁ ଆଡେ ଚାଲିଯାଇଥିବା ବେଳେ ସେନେଇ ବୁଗୁଡା ଥାନାରେ ନିଖୋଜ ଅଭିଯୋଗ କ୍ରମେ ପୋଲିସ କେସ୍ ନଂ ୩୪/୨୩ରେ ଏକ ନିଖୋଜ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିଲା । ଅନ୍ୟପକ୍ଷରେ ପରିବାର ଲୋକେ ମଧ୍ୟ ଆଖପାଖ ଅଞ୍ଚଳରେ ବହୁତ ଖୋଜାଖୋଜି କରିବା ସତ୍ତ୍ବେ ଦଣ୍ଡପାଣିର କୌଣସି ଖୋଜ ଖବର ନ ପାଇ ନିରାଶ ହୋଇଥିଲେ । ତେବେ ଆଜି ସକାଳେ ଜଣେ ମହିଳା ବିଲକୁ ଯାଉଥିବା ବେଳେ କରସିଙ୍ଗି ଗାଁର ପାଇକ ଭୂଇଁ ତୋଟାରେ ଆଚେତ ଅବସ୍ଥାରେ ଦଣ୍ଡପାଣି ପଡିଥିବାର ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ଏବଂ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ପୋଲିସକୁ ଖବରଦେଇ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲକୁ ଆଣିଥିଲେ । ଦଣ୍ଡପାଣିଙ୍କ ବାମ ହାତ ଓ ବେକରେ କଟା ଦାଗ ଥିବାବେଳେ ମୁଣ୍ଡ ଚୁଟି ଓ ଡ୍ରେସରେ ପୋଡା ଦାଗ ରହିଥିଲା ବେଳେ ସେହି ସ୍ଥାନରୁ ଗୋଟିଏ ଛୁରୀ ଓ ଗୋଟିଏ ଟର୍ଚ ଲାଇଟି ପଡିଥବାର ଦେଖିବାକୁ ମିଳିଥିଲା । ତେବେ ତିନି ଦିନ ଧରି ନିଖୋଜ ଥିବା ଯୁବକ ଦଣ୍ଡପାଣି ଆଜି ତୋଟାରେ ଅଚେତ ଅବସ୍ଥାରେ ପଡିରହିଥିବା ଘଟଣାର ରହସ୍ଯ କ’ଣ ତାହା ଜଣା ପଡିନଥିବା ବେଳେ ପୋଲିସର ତଦନ୍ତ ପରେ ଘଟଣାର ସତ୍ଯତା ବାହାରି ଆସିବ ବୋଲି ଜଣାଯାଇଛି ।