ସରକାରୀ ଯୋଜନାରୁ ବଞ୍ଚିତ ପରିବାରକୁ ବେସରକାରୀ ସହାୟତା 

ବୁଗୁଡ଼ା :  ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ଯତମ । ଚାଳ ଝୁପୁଡି ଘରେ ଆଉ ଯେପରି କେହି ରହିବେ ନାହିଁ ସେହି ଲକ୍ଷ୍ୟରେ ଏହି ସରକାରୀ ଯୋଜନା ପ୍ରଣୟନ ହୋଇଥିଲେ ହେଁ ବୁଗୁଡ଼ା ବ୍ଲକରେ ଏହା ଲକ୍ଷ୍ଯଭ୍ରଷ୍ଟ ହୋଇଛି । ନୀତିହୀନ ପ୍ରଶାସନିକ ନିଷ୍ପତ୍ତି ଯୋଗୁଁ ଧନୀକ ସରକାରୀ ଯୋଜନାରେ ଆବାସ ହାତେଇ ନେଉଥିବା ବେଳେ ଗରୀବ ନିରାଶ ହୋଇ ନିଜ ଭାଗ୍ୟକୁ ନିନ୍ଦୁଛି । ଆବାସ ଯୋଜନାରୁ ବଞ୍ଚିତ ହୋଇ ସେ ତା’ର ପରିବାର ସହ ଚାଳ ଛପର ଉଡା ଭଙ୍ଗା ଦଦରା ଘରେ ଜୀବନ ବିତାଇବାକୁ ବାଧ୍ଯ ହେଉଛି । ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ବିରଞ୍ଚିପୁର ପଞ୍ଚାୟତର ବରଡ଼ିପଲ୍ଲୀ ଗାଁ ପିପୁଲ୍ସ କଲେଜ ନିକଟରେ ଦେଖିବାକୁ ମିଳିଛି  । ସେଠାରେ ଜନୈକ ଦିନ ମଜୁରିଆ ରାଜେଶ ପାତ୍ର ତା’ର ସ୍ତ୍ରୀ ଓ ଚାରି ଛୁଆଙ୍କୁ ନେଇ ଚାଳ ଛପର ଉଡା ଭଙ୍ଗା କୁଡିଆରେ ମୁଣ୍ଡ ଗୁଞ୍ଜି ଦୟନୀୟ ଅବସ୍ଥାରେ କାଳ କାଟୁଛି । ତା’ର ସ୍ତ୍ରୀ ସୁକାନ୍ତି ପାତ୍ର ସରକାରୀ ଯୋଜନାରେ ଆବାସ ପାଇଁ ଆବେଦନ କରି ଯୋଗ୍ଯ ହିତାଧିକାରୀ ଭାବେ ତାଲିକାଭୁକ୍ତ ହୋଇଛି । ତେବେ ସେହି ତାଲିକାର ଶେଷ ଭାଗରେ ସୁକାନ୍ତିଙ୍କ ନାମ ରହିବା ସହ ତାଙ୍କଠାରୁ ସ୍ବଚ୍ଛଳ ଅବସ୍ଥାରେ ଥିବା ଲୋକଙ୍କ ନାମ ତାଲିକାର ଉପର ଭାଗରେ ରହି ଆବାସ ପାଇବାକୁ ଥିବାବେଳେ ଏହାଙ୍କ ପାଇଁ ସରକାରୀ ଆବାସ ସାତ ସପନ ପାଲଟିଛି । କେଉଁ କାରଣରୁ ସୁକାନ୍ତିଙ୍କ ନାମ ତାଲିକାର ଶେଷ ଭାଗକୁ ଚାଲିଯାଇଛି ସେନେଇ ଜନପ୍ରତିନିଧି ଏବଂ ସରକାରୀ ବାବୁମାନେ ନିରୁତ୍ତର ରହିଥିବା ଜଣାଯାଇଛି । ଏ ନେଇ ବିଭିନ୍ନ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବୁଗୁଡା ବ୍ଳକରେ ଆବାସ ଯୋଜନାର କାର୍ଯ୍ୟକାରିତା ସମ୍ପର୍କେ ଅଦ୍ଯାବଧି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଗଣମାଧ୍ୟମରୁ ଏହି ବହୁ ଚର୍ଚ୍ଚିତ ଖବରଟି ପାଇ ବ୍ରହ୍ମପୁର ଅଞ୍ଚଳର ଏକ ଚାରିଟେବଲ୍ ଟ୍ରଷ୍ଟ ସେହି ଗରୀବ ପରିବାର ପ୍ରତି ସହାୟତାର ହାତ ବଢାଇଥିଲା । ବୁଗୁଡାର କିଛି ବ୍ଯକ୍ତି ଏବଂ ପିପୁଲ୍ସ କଲେଜର ସ୍ବେଚ୍ଛାସେବୀଙ୍କ ଜରିଆରେ ଜରିପାଲ , ଖାଦ୍ୟ ଓ ବସ୍ତ୍ର ଆଦି ସହାୟତା ସେହି ପରିବାରକୁ ଯୋଗାଇ ଦେଇଥିବାର ଦେଖିବାକୁ ମିଳିଥିଲା ।  ସରକାରୀ ଯୋଜନାରେ ଆବାସ ଖଣ୍ଡେ ପାଇନପାରି ବିପଦପୂର୍ଣ୍ଣ ଭଙ୍ଗା କୁଡିଆରେ ଦୁର୍ଭିସହ ଜୀବନ କାଟୁଥିବା ଗରୀବ ପରିବାରକୁ ଅନ୍ଯ ଅଞ୍ଚଳର ଏକ ସଂସ୍ଥା ସହାୟତା ଯୋଗାଇ ଦେଇଥିବା ବେଳେ ସ୍ଥାନୀୟ ଏନଜିଓ ଏବଂ ପ୍ରଶାସନର ଭୂମିକା ପ୍ରତି ସାଧାରଣରେ ଭିନ୍ନ ମତ ପ୍ରକାଶ ପାଉଥିବା ଜଣାଯାଇଛି ।

Leave A Reply

Your email address will not be published.