ପଦ୍ମପୁର,୨୮ା୭ (ନନ୍ଦିନୀ) ଭାରତୀୟ ଗଣତନ୍ତ୍ରକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ପଦ୍ମପୁର ଉପଖଣ୍ଡ ପ୍ରଶାସନ ସ୍ବତନ୍ତ୍ର ଭାବରେ ପ୍ରୟାସ ଆରମ୍ଭ କରିଛି। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟିକା ବର୍ଷା ସିଂ ବରିହାଙ୍କ ସମେତ ଅନେକ ରାଜନୈତିକ ଦଳୀୟ ବ୍ୟକ୍ତି ମାନେ ଭାଗନେଇ ନିଜ ନିଜର ପ୍ରସ୍ତାବ ରଖିଛନ୍ତି।
ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରତିଟି ଭୋଟକୁ ଗୁରୁତ୍ବ ଦେଇ ପଦ୍ମପୁର ଉପଖଣ୍ଡ ପ୍ରଶାସନ ସ୍ବତନ୍ତ୍ର ଉଦ୍ୟମ ଆରମ୍ଭ କରିଛି । ସେଥିପାଇଁ ଏହି ବୈଠକରେ ସମସ୍ତ ରାଜନୈତିକ ଦଳ ମାନଙ୍କୁ ନିଜ ନିଜର ପ୍ରସ୍ତାବ ଦେବାପାଇଁ ଅନୁରୋଧ କରାଯାଇଥିଲା। ସମସ୍ତଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରି ନିୟମ ଅନୁସାରେ ସେସବୁକୁ କାର୍ଯ୍ୟକାରୀ କରାଯିବ ବୋଲି ଉପଜିଲ୍ଲାପାଳ ମତ ରଖିଛନ୍ତି। ଯେଉଁ ଭଳି ଭାବରେ ପୋଲିଂ ଷ୍ଟେସନ ଗୁଡ଼ିକୁ ଜନସାଧାରଣ ସୁବିଧାରେ ଭୋଟଦାନ ପାଇଁ ଆସି ପାରିବେ ସେ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ଶ୍ରୀ କୁମ୍ଭାର ସୂଚାଇ ଦେଇଛନ୍ତି। ୩୦୦ ଭୋଟର ବିଶିଷ୍ଟ ଗ୍ରାମରୁ ପୋଲିଂ ଷ୍ଟେସନ ୩ କିଲୋମିଟରରୁ ଅଧିକ ଦୂରତାରେ ଥିଲେ ତା ପାଇଁ ସ୍ବତନ୍ତ୍ର ପୋଲିଂ ଷ୍ଟେସନର ପ୍ରସ୍ତାବ ଦିଆଯାଇ ପାରିବ ବୋଲି ଉପଜିଲ୍ଲାପାଳ ସୂଚାଇଛନ୍ତି। ଜଙ୍ଗଲ, ନାଳ ଆଦି ଭଳି ପ୍ରାକୃତିକ ଅସୁବିଧା ରହିଥିଲେ ସେଭଳି ଗ୍ରାମର ଭୋଟରମାନଙ୍କ ପାଇଁ ସ୍ବତନ୍ତ୍ର ପୋଲିଂ ଷ୍ଟେସନର ବ୍ୟବସ୍ଥା କରାଯାଇ ପାରିବ ବୋଲି ସେ କହିଛନ୍ତି।
ଆଜିର ସଭା ପୂର୍ବରୁ ଉପଜିଲ୍ଲାପାଳ ଶ୍ରୀ କୁମ୍ଭାର ଗାଇସିଲେଟ ବ୍ଲକର ଡଙ୍ଗରମୁଣ୍ଡା ଗ୍ରାମକୁ ଯାଇ ସେଠାରେ ନୂତନ ବୁଥ୍ ପ୍ରସ୍ତାବର ସମୀକ୍ଷା କରିଛନ୍ତି। ଉକ୍ତ ଗ୍ରାମର ଉଦାହରଣ ଦେଇ ସଭାରେ ସେ ସମସ୍ତଙ୍କୁ ପ୍ରସ୍ତାବ ଦେବାକୁ ଅନୁରୋଧ କରିଥିଲେ। ପ୍ରତିଟି ଭୋଟ ଗଣତନ୍ତ୍ରର ସୁଦୃଢ଼ୀକରଣ ପାଇଁ ଜରୁରୀ ଓ ପ୍ରଶାସନ ଦୁର୍ଗମ ଅଞ୍ଚଳ ମାନଙ୍କୁ ମଧ୍ୟ ପହଞ୍ଚି ତାଙ୍କୁ ଭୋଟଦାନର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାର ସବୁ ଆନୁସଙ୍ଗିକ ବ୍ୟବସ୍ଥା କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ଛଡା ଏବେ ଚାଲିଥିବା ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମକୁ ନିର୍ଭୁଲ୍ କରିବା ପାଇଁ ସେ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି। ସଭାରେ ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା ଓ ଅନ୍ୟାନ୍ୟ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନେ ନିଜ ନିଜର ପ୍ରସ୍ତାବ ରଖିଛନ୍ତି। ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକଙ୍କ ଦ୍ଵାରା ସଂଯୋଜିତ ଏହି ସଭାରେ ରାଜବୋଡ଼ାସମ୍ବର ବିଡ଼ିଓ ଶ୍ରୀ ବିଶ୍ଵନାଥ ସାହୁ ଯୋଗ ଦେଇ ଅନେକ ପ୍ରଶାସନିକ ଦିଗ ବିଷୟରେ ଆଲୋଚନା କରିଛନ୍ତି