ପିପିଲି: ବିଳମ୍ବିତ ରାତିରେ ପୁଲିସ ଗାଡିକୁ ଅଟକାଇଲେ ସ୍ଥାନୀୟ ଲୋକେ ! ପିପିଲି ଥାନା ଅନ୍ତର୍ଗତ ଜୟପୁରଶାସନ ଗ୍ରାମର ଜଣେ ଯୁବକକୁ ପୁଲିସ ଭ୍ୟାନ୍ରେ ବସାଇ ଥାନାକୁ ନେଉଥିବା ବେଳେ ପୁଲିସ ଭ୍ୟାନ୍କୁ ଉକ୍ତ ଗ୍ରାମର କେତେକ ମହିଳା ଓ ପୁରୁଷ ମାନେ ଦୀର୍ଘ ୨ ଘଂଟାରୁ ଉର୍ଦ୍ଧ ସମୟ କାଳ ଅଟକାଇ ରଖିଥିଲେ । ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ତେବେ ଘଟଣାସ୍ଥଳରେ ପିପିଲି ଥାନାଧିକାରୀଙ୍କ ହସ୍ତକ୍ଷେପ ପରେ ଲୋକେ ପୁଲିସ ଭ୍ୟାନ୍କୁ ରାତି ସାଢେ ୧୧ଟାରେ ଛାଡିଥିଲେ। ସୂଚନା ଅନୁସାରେ ଧଉଳି ଥାନା ଅଂଚଳର ଏକ ଉଦଘାଟନୀ ଫଳକ ଭଙ୍ଗାରୁଜା ଘଟଣାରେ ସଂପୃକ୍ତ ଥିବା କେତେକ ଯୁବକ ପିପିଲିର ଜୟପୁରଶାସନ ଗ୍ରାମରେ ରହିଥିବା ନେଇ ପୁଲିସକୁ ଖବର ମିଳିଥିଲା । ତେବେ ଅପରାଧୀ ମାନଙ୍କୁ ଧରିବା ପାଇଁ ଧଉଳି ପୁଲିସ ଶନିବାର ରାତିରେ ପିପିଲି ପୁଲିସ ସହାୟତାରେ ଜୟପୁରଶାସନ ଗ୍ରାମର ମେଳଣ ପଡିଆ ଠାରେ ଚଢାଉ କରିଥିଲା । ଭ୍ୟାନ ଦେଖି ଦୁଇଜଣ ଯୁବକ ଏକ ବାଇକକୁ ଛାଡି ସେଠାରୁ ଫେରାର ହୋଇଯାଇଥିବା ବେଳେ ଜୟପୁର ଶାସନ ଗ୍ରାମର ଜଣେ ଯୁବକକୁ ପୁଲିସ ଧରିଥିଲା । ପରେ ଉକ୍ତ ଯୁବକକୁ ଭ୍ୟାନ୍ରେ ବସାଇ ଥାନାକୁ ନେବାକୁ ପୁଲିସ ଉଦ୍ୟମ କରିବା ସମୟରେ ଉକ୍ତ ଗ୍ରାମର କେତେକ ମହିଳା ଓ ପୁରୁଷ ପୁଲିସ ଭ୍ୟାନ୍କୁ ସେଠାରୁ ଯିବାକୁ ଦେଇନଥିଲେ । ଏହାକୁ ନେଇ ସେଠାରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉକ୍ତ ଯୁବକକୁ ଧଉଳି ପୁଲିସ ମାଡ ମାରିଥିବା ନେଇ ଲୋକେ ଅଭିଯୋଗ କରିବା ସହ ହୋହଲ୍ଲା କରି ଏହାର ପ୍ରତିବାଦ କରିଥିଲେ । ଖବର ପାଇ ପିପିଲି ଥାନାଧିକାରୀ ଦୀପକ କୁମାର ଖଣ୍ଡାୟତରାୟଙ୍କ ସମେତ ଅନ୍ୟ ପୁଲିସ ଅଫିସର ଓ ପୁଲିସ ଫୋର୍ସ ସେଠାରେ ୩ଟି ଭ୍ୟାନ୍ରେ ପହଂଚିଥିଲେ । ଉତ୍ୟକ୍ତ ମହିଳା ଓ ପୁରୁଷଙ୍କୁ ଥାନାଧିକାରୀ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପରେ ଉକ୍ତ ଯୁବକ ସମେତ ଜବତ ବାଇକ୍କୁ ଧରି ପୁଲିସ ସେଠାରୁ ରାତି ସାଢେ ୧୧ଟା ପରେ ଥାନାକୁ ଫେରିଥିଲା । ପରେ ଉକ୍ତ ଯୁବକ ସମେତ ଜବତ ବାଇକ୍କୁ ଧଉଳି ପୁଲିସ ସାଥିରେ ନେଇଥିବା ସୂଚନା ମିଳିଥିବା ବେଳେ ରାତି ରେ ପୋଲିସ ତଦନ୍ତ କରି ଉକ୍ତ ଯୁବକ କୁ ଛାଡ଼ିଦେଇଚି ବୋଲି ଯୁବକ ଙ୍କ ମା ସୂଚନା ଦେଇଛନ୍ତି।