କଟକ, ୧/୮ ଅବିଶ୍ରାନ୍ତ ବର୍ଷାରେ କଟକ ସହର ଜଳମଗ୍ନ । ନାଳନର୍ଦ୍ଦମା, ରାସ୍ତାଘାଟ ବର୍ଷା ଜଳରେ ଏକାକାର ହୋଇଯାଇଛି । ଖାଲଖମାରେ ପାଣି ଭର୍ତ୍ତି ହୋଇ ଯାତାୟତରେ ଅନେକ ଅସୁବିଧା ସୃଷ୍ଟି କରିଛି । କଟକ ସହରରେ ଲୋକଙ୍କ ଘର ବୁଡି ପାଣି ଆଣ୍ଠୁଏ ହେଲାଣି । ଗଲା ତିନି ଦିନ ହେବ ଲଗାତର ବର୍ଷାରେ କଟକରେ ପୁଣି ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ଲୋକେ ନାହିଁନଥିବା ଦୁର୍ଦ୍ଦଶାରେ ରହିଛନ୍ତି । ହେଲେ ସିଏମସି କର୍ତ୍ତୃପକ୍ଷ ଜଳବନ୍ଦୀ ଅବସ୍ଥା ସୁଧାରିବାର ବିକଳ୍ପ ପନ୍ଥା ଆପଣାଉନଥିବା ଅଭିଯୋଗ ହୋଇଛି । ସିଏମସି ପକ୍ଷରୁ ବର୍ଷା ଜଳ ନିଷ୍କାସନର ବ୍ୟବସ୍ଥା ଠିକ୍ ସମୟରେ କରାନଯିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ସହରବାସୀ କ୍ଷୋଭର ସହ କହିଛନ୍ତି । ସୋମବାରଠୁ ଆରମ୍ଭ ହୋଇଥିବା ଲଘୁଚାପ ଜନିତ ବର୍ଷାରେ କଟକ ସହରରେ ଲୋକଙ୍କ ଘର ଭିତରେ ପାଣି ପଶି ଅବସ୍ଥା ଶୋଚନୀୟ ହୋଇପଡିଛି । ବାଦାମବାଡି, ରକ୍ସିଲେନ, ନିମସାହି, ମକରବାଗ ସାହି, ନୂଆ ରାଉସାପାଟଣା, ପଟ୍ଟାପୋଲ, ମେରିଆବଜାର, ହାଇକୋର୍ଟ ଛକ, ଝୋଲାସାହି, ପିଠାପୁର, ମହାନଦୀବିହାର, ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସର, କଟକ ବଡ ମେଡିକାଲ ପରିସର, ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ପରିସର, ସିଡିଏ, ତୁଳସୀପୁର ପୋଲିସ କଲୋନୀ, ରାଜାବଗିଚା ଲେବର କଲୋନୀର ଅବସ୍ଥା ସାଙ୍ଘାତିକ ହୋଇପଡିଛି । ଗଳିକନ୍ଦିରେ ନର୍ଦ୍ଦମା ପାଣି ଲହଡି ଭାଙ୍ଗୁଛି । କିଛି ଜାଗାରେ ଘରେ ମଧ୍ୟ ନର୍ଦ୍ଦମା ପାଣି ପ୍ରବେଶ କରିଛି । ଏଭଳି ହିନସ୍ଥା ପାଇଁ ଲୋକେ ସିଧାସଳଖ ମେୟର ଓ କମିଶନରଙ୍କୁ ଦାୟୀ କରିଛନ୍ତି । ଗତ ପୈାର ନିର୍ବାଚନରେ କଟକର ଜଳବନ୍ଦୀ ଅବସ୍ଥାର ସମାଧାନ ପାଇଁ ଦୃଢ ପ୍ରତିଶ୍ରୁତି ଦେଇଥିବା ମେୟର ସୁବାସ ସିଂହଙ୍କୁ ଏଭଳି ସମସ୍ୟା ପାଇଁ ସମାଲୋଚନାର ଶିକାର ହେବାକୁ ପଡିଛି । ସମସ୍ୟାର ସମାଧାନ କରିବା ତ ଦୂରର କଥା, ଏଭଳି ସମୟରେ ମେୟର ଘଟଣାସ୍ଥଳକୁ ଆସୁନଥିବା ଲୋକେ ଅଭିଯୋଗ କରିଛନ୍ତି । ସିଏମସି ପକ୍ଷରୁ ଜଳ ନିଷ୍କାସନ ପାଇଁ ୨୫୦ଟି ପମ୍ପ ଲଗାଯାଇଛି । କିନ୍ତୁ ଆଜି ପୁଣି ତୁହାକୁ ତୁହା ବର୍ଷା ହୋଇଥିବାରୁ ସହରର ଜଳବନ୍ଦୀ ସମସ୍ୟା ଆହୁରି ଗୁରୁତର ହୋଇପଡିଛିି ।