ଧାମନଗରରେ ବନ୍ୟା:ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ 

ଧାମନଗର ୩/୮ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ହେତୁ ବିଭିନ୍ନ ଏସ୍କେଫ ବାଟଦେଇ ଉଦବୃତ ପାଣି ପ୍ରବାହିତ ହୋଇ ଏକ ବଡ଼ ଧରଣର ବନ୍ୟା ସୃଷ୍ଟି ହୋଇଛି। ଧାମନଗର – ଦୋବଲ, ଧୂଷୁରୀ – ପାୟାସାହି, କୋଠାର – ଧୂଷୁରୀ ଓ ଧୂଷୁରୀ – ହସନାବାଜ, ଧାମନଗର- ଫଳପୁର ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେତୁ ଯୋଗାଯୋଗ ବିଚ୍ଛିନ୍ନ। ବହୁ ଗ୍ରାମ ବାହ୍ୟ ଜଗତରୁ ଅଲଗା ହୋଇଥିବା ବେଳେ ଏଯାଏ ୩୧ ହଜାର ୧୬୫ ଜଣ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରା ଯାଇଥିବା ବେଳେ କେହି କଚାଘରେ ନଥିବା ସ୍ପଷ୍ଟ କରିଛି ପ୍ରଶାସନ। ବ୍ଲକ ଅଞ୍ଚଳର ସୋହଡା, ନଦୀଗାଁ, ରାମେଶ୍ବରପୁର, କଞ୍ଜିଆପାଳ ଇତ୍ୟାଦି ବହୁ ଗ୍ରାମ ସମେତ ୨୬ ପଞ୍ଚାୟତର ପ୍ରାୟ ସମସ୍ତ ଗାଁ ବନ୍ୟା ପ୍ରପୀଡ଼ିତ ହୋଇଥିବାବେଳେ କେବଳ ଧାମନଗର, କଲ୍ୟୀଣି,ଗୋବିନ୍ଦପୁର, ଚୁଡାକୁଟି,ଭଗବାନପୁର ଓ ରାଧାବଲଭପୁର ପଞ୍ଚାୟତମାନଙ୍କରେ କୌଣଷି ବନ୍ୟା ସମସ୍ୟା ନଥିବା ଵେଳେ ଆଉ ପ୍ରାୟ ସମସ୍ତ ୨୬ ପଞ୍ଚାୟତ ଓ ରାଧାବଲଭପୁର ପଞ୍ଚାୟତର ଷୋଳଙ୍ଗା ସଂପୂର୍ଣ୍ଣ ଜଳମଗ୍ନ ଅଛି। ସେହିପରି ଦୋବଲ ପଡ଼ିଆରେ ଗତ ୨ ତାରିଖରୁ ୫ ତାରିଖ ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଯାତ୍ରା ଶ୍ରୀ ବିଶ୍ଵଦରବାର ପେଣ୍ଡାଲ ବନ୍ୟାଜଳରେ ବୁଡି ଯାଇଛି। ଟିକେଟ କଟା ସରିଥିଲେ ମଧ୍ୟ ବନ୍ୟା ପାଣି ମାଡ଼ି ଆସିବାରୁ ଟେଣ୍ଟରେ ପାଣି ପଶି ପ୍ରଭୂତ କ୍ଷତି ହୋଇଥିବା ଜଣାଯାଇଛି। କଞ୍ଜିଆପାଳ ଗ୍ରାମର ସୁରଜ ଦାସଙ୍କ ୮ ବର୍ଷର ପୁତ୍ର ଆକାଶ ଦାସ ବନ୍ୟାରେ ଭାସିଯାଇ ନିଖୋଜ ଥିବାବେଳେ ଏଯାଏ କୌଣସି ସନ୍ଧାନ ମିଳିନାହିଁ। ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ ପାଣି ଘେରରେ ଥିବା ଗ୍ରାମ ଗୁଡ଼ିକୁ ଯାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବିଜେଡ଼ି ବ୍ଲକ ସଭାପତି ଉମେଶ ମହାନ୍ତି, ସାଂସଦଙ୍କ ପ୍ରତିନିଧି ହରେକୃଷ୍ଣ ପାଢ଼ୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ ପ୍ରମୁଖ ବୋଟ ମାଧ୍ୟମରେ ବିପନ୍ନ ଲୋକଙ୍କ ପାଖରେ ପହଞ୍ଚି ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି। ତେବେ ବୈତରଣୀର ଆଖୁଆପଦା ଠାରେ ବିପଦ ସଂକେତ ଉର୍ଦ୍ଧ୍ବରେ ଥିବା ଜଳସ୍ତର କମି ସନ୍ଧ୍ୟା ୬ ଟା ସୁଦ୍ଧା ୧୯.୩୮ ରେ ପହଞ୍ଚିଛି। ଉପର ମୁଣ୍ଡରେ ପାଣି କମିଥିବା  ବେଳେ ତଳ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ବନ୍ୟା ସ୍ଥିତି ଉପରେ ନଜର ରଖିବାକୁ ଧାମନଗର ବ୍ଲକରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁ, ଉପ ଜିଲ୍ଲାପାଳ ମନୋଜ ପାତ୍ର, ବିଡ଼ିଓ ବନବିହାରୀ ଦିଣ୍ଡା, ଏବିଡ଼ିଓ ଶର୍ମିଷ୍ଠା ମଲ୍ଲିକ, ଅତିରିକ୍ତ ତହସିଲଦାର ସାଇ ସିଲୋନା, ସହକାରୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ହେମ୍ରମ ଓ ଯୋଗାଣ ଅଧିକାରିଣୀ ଅନିବେଶାନ୍ତି ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି। ଏଥି ସହ ୧ ଟି ଏନନଡିଆରଏଫ ୨ଟି ଓଡ୍ରାଫ୍ଟ ଏବଂ ୩ ଟି ଫାୟାର ଟିମ ଉପସ୍ଥିତ ଅଛନ୍ତି।

Leave A Reply

Your email address will not be published.