ସ୍ୱଚ୍ଛତା ପାଇଁ ଓଡିଶାକୁ ୧୧୯୩ କୋଟି ମଞ୍ଜୁର

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳକୁ ପରିଷ୍କାର ପରିଚ୍ଛନ ରଖିବାପାଇଁ ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ) ର ଦୁଇଟି ପର୍ଯ୍ୟାୟରେ ଓଡିଶାକୁ ୧୧୯୩ କୋଟି ଟଙ୍କା ମଞ୍ଜୁର ହୋଇଛି । ମିଶନର ପ୍ରଥମ ପର୍ଯ୍ୟାୟ ଅବଧି ୨୦୧୪ ରୁ ୨୦୨୧ ପର୍ଯ୍ୟନ୍ତ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ୨୦୨୧ ରୁ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଛି ।

ବିଜେଡି ସାଂସଦ ମହେଶ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ)ର ପ୍ରଥମ ପର୍ଯ୍ୟାୟରେ ଓଡିଶାକୁ ୩୭୨ କୋଟି ୨ଲକ୍ଷ ଟଙ୍କା ମିଳିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୮୨୪ କୋଟି ୪୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ସେହିଭଳି ଏହି ଯୋଜନାରେ ୨୦୨୦-୨୧ ରେ ୨୨.୧୨ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ୨୦୨୧-୨୨ରେ ୧୮୫.୧୩ କୋଟି ଟଙ୍କା ବ୍ୟୟ ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ସମ୍ବିଧାନର ୭ ପରିଚ୍ଛେଦରେ ଥିବା ବ୍ୟବସ୍ଥା ଅନୁଯାୟୀ ପରିମଳ ହେଉଛି ରାଜ୍ୟର ବ୍ୟାପାର । ସହରାଞ୍ଚଳରେ କିଭଳି ପରିମଳ ବ୍ୟବସ୍ଥା ରହିବ ସେ ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଯୋଜନା, ଡିଜାଇନ୍‍ ପ୍ରସ୍ତୁତ ସହିତ ଏହାକୁ କାର୍ଯ୍ୟକାରୀ କରିବେ । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ କେବଳ ଅତିରିକ୍ତ ଆର୍ଥିକ ଓ ବୈଷୟିକ ସହାୟତା ପ୍ରଦାନ କରିବ । ଓଡିଶା ସମେତ ଦେଶର ସମସ୍ତ ରାଜ୍ୟର ସହରାଞ୍ଚଳରେ ଶତ ପ୍ରତିଶତ ବୈଜ୍ଞାନିକ ପଦ୍ଧତିରେ ପୌର ସଂସ୍ଥାର କଠିନ ବର୍ଜ୍ୟବସ୍ତୁ ପରିଚାଳନା କରାଯାଉଛି ।

ସହରାଞ୍ଚଳଗୁଡିକୁ ବର୍ଜ୍ୟମୁକ୍ତ କରି ପରିଷ୍କାର ପରିଚ୍ଛନ୍ନ ରଖିବା ଲାଗି ୨୦୨୨ ମାର୍ଚ୍ଚ ୩ ତାରିଖରୁ ସ୍ୱଚ୍ଛ ଭାରତ ମିଶନ -୨ ଅଧିନରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଯୋଜନାରେ ସହରାଞ୍ଚଳରେ କଠିନ ବର୍ଜ୍ୟ ପରିଚାଳନା ପାଇଁ ଦକ୍ଷତା ବିକାଶ କରାଯିବ । ତେବେ ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ପ୍ରଦାନ କରୁଥିବା ଅର୍ଥ କେବଳ ରାଜ୍ୟ ଓ କେନ୍ଦ୍ର ସରକାରମାନଙ୍କୁ ପ୍ରଦାନ କରାଯାଉଛି । ଏହି ଅର୍ଥ ଜିଲ୍ଲାକୁ ମିଳିବ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.