ଭଦ୍ରକ ଧାମନଗରରେ ଆଜି ସମସ୍ତ ସ୍କୁଲ ବନ୍ଦ । ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଅନେକ ସ୍ଥାନରେ ବନ୍ୟା ପାଣି ଜମି ଥିବାରୁ ଛୁଟି ନିଷ୍ପତ୍ତି ନିଆଯାଇଛି । ବନ୍ୟାରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି, ତିହିଡି, ସଦର ବ୍ଳକ୍ର ୬୦ଟି ପଞ୍ଚାୟତର ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୫ଟି ବ୍ଲକ୍ର ପ୍ରାୟ ୮୦ ହଜାର ହେକ୍ଟର ଚାଷଜମି ପାଣିରେ ବୁଡ଼ି ରହିଛି । ଏବେ ମଧ୍ୟ ଭଦ୍ରକ-ଆରଡି, ଆରଡି-ଯାଜପୁର ଓ ଭଣ୍ଡାରିପୋଖରୀ-ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ‘ଭଣ୍ଡାରିପୋଖରୀ ବ୍ଲକ୍ର କଣ୍ଟିଘାଇ ଏସ୍କେପ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଧାମନଗର ବ୍ଲକ୍ର ମଲ୍ଲୀମାହାରା ଓ ଗୌରାଙ୍ଗପୁର ଏସ୍କେପ୍ ଦେଇ ବନ୍ୟାଜଳ ଚାଲିଛି । ଧାମନଗର ବ୍ଲକ୍ର ୨୬ଟି ପଞ୍ଚାୟତରେ ୮୦ରୁ ଅଧିକ ଗାଁ ବନ୍ୟାଘେରରେ ରହିଛି। ଆନନ୍ଦପୁର, ଖଡିପଦା, ସୋହଡ଼ା, କରଦା, ଦୋବଲ, ମୁସ୍ତାଫାପୁର, ପଧାନୀ, ଦଳାଙ୍ଗ, ହସନାବାଦ, ଅର୍ଜୁନପୁର, ଭଟସାହି, କୋଠାର, ବୟାଙ୍ଗଡିହି ଆଦି ପଞ୍ଚାୟତର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛି ।