ଶପଥ ନେବେ ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‍. ମୁରଲିଧରଙ୍କ କାର୍ଯ୍ୟକାଳ ସମାପ୍ତ ହେଉଥିବାରୁ ନୂଆ ମୁଖ୍ୟ ବିଚାରପତି ଭାବେ ଶୁଭାଶିଷ ତାଳପତ୍ର ଚଳିତ ମାସ ୮ ତାରିଖରେ ଶପଥ ନେବେ । ତେବେ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀରେ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ।

ଜଷ୍ଟିସ୍‍ ଡ. ଏସ୍‍. ମୁରଲିଧରଙ୍କ ଅବସର ଗ୍ରହଣ ପରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୨୦କୁ କମିଯିବ । ଆସନ୍ତା ମାସରେ ଆଉ ଜଣେ ବିଚାରପତି ଅବସର ନେଉଥିବାରୁ ଏହି ସଂଖ୍ୟା ପୁଣି ୧୯କୁ ହ୍ରାସ ପାଇବ । ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ମୁଖ୍ୟ ବିଚାରପତିଙ୍କୁ ମିଶାଇ ୩୩କୁ ବୃଦ୍ଧି କରାଯାଇଥିଲେ ମଧ୍ୟ ପଦବୀ ପୁରଣରେ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଶିଥିଳତା ଯୋଗୁ ଓଡ଼ିଶା ହାଇକୋର୍ଟରେ ପ୍ରାୟ ୪୦ ପ୍ରତିଶତ ବିଚାରପତି ପଦବୀ ଖାଲି ପଡିଥିବା ଯୋଗୁ ମାମଲା ପରିଚାଳନା ଓ ଫଇସଲା କ୍ଷେତ୍ରରେ ଗୁରୁତର ସମସ୍ୟା ଲାଗି ରହୁଥିବା ଆଇନଜୀବୀମାନେ କହୁଛନ୍ତି ।

ଏବେ ଓଡ଼ିଶା ହାଇକୋର୍ଟରେ ପ୍ରାୟ ୧ଲକ୍ଷ ୪୫ହଜାର ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ତେବେ ଗତ ୬ମାସ ମଧ୍ୟରେ ଏଠାରେ ଯେତେ ସଂଖ୍ୟକ ମାମଲା ରୁଜୁ ହୋଇଛି ଫଇସଲା ହୋଇଥିବା ମାମଲା ସଂଖ୍ୟା ତାହାଠାରୁ ଢେର୍‍ ଅଧିକ ରହୁଥିଲେ ବି ୧୦ ବର୍ଷରୁ ୩୦ବର୍ଷ ଓ ତଦ୍ଦୁର୍ଦ୍ଧ୍ୱ ସମୟ ଧରି ହଜାର ହଜାର ମାମଲା ବି ବିଚାରପତି ଅଭାବ ଓ ଅନ୍ୟାନ୍ୟ କାରଣରୁ ଗଡୁଛି । କାର୍ଯ୍ୟକାଳର ଶେଷ ଦିବସରେ ମୁଖ୍ୟ ବିଚାରପତି ଡ. ମୁରଲୀଧର ଓ ଜଷ୍ଟିସ୍‍ ତାଳପତ୍ରଙ୍କ ସହ ଏକ ଖଣ୍ଡପୀଠରେ ତିନୋଟି ଜନସ୍ୱାର୍ଥ ସମ୍ମିଳିତ ମାମଲାର ଶୁଣାଣି କରିବାକୁ ଯାଉଛନ୍ତି ।

ଜଷ୍ଟିସ୍‍ ଡ. ଏସ୍‍ ମୁରଲିଧର ୧୯୮୪ରେ ମାଡ୍ରାସ୍‍ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଓ ୧୯୯୦ରେ ନାଗପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ୨୦୦୩ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପିଏଚ୍‍ଡି ଉପାଧି ଲାଭ କରିଥିଲେ । ଜଣେ ସଫଳ ଓକିଲ ଭାବେ କାର୍ଯ୍ୟ କରୁଥିବାବେଳେ ସେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ୨୦୦୬ ମସିହାରେ ନିଯୁକ୍ତ ହୋଇଥିଲେ ଏବଂ ପରେ ତାଙ୍କୁ ୨୦୨୦ରେ ପଞ୍ଜାବ ଓ ହରିଆନା ହାଇକୋର୍ଟର ବିଚାପତି ଭାବେ ଦାୟିତ୍ୱ ମିଳିଥିଲା । ଏହାପରେ ୨୦୨୧ ମସିହାରେ ସେ ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇ ଚଳିତ ମାସ ୭ ତାରିଖରେ ୬୨ବର୍ଷ ବୟସରେ ଅବସର ଗ୍ରହଣ କରୁଛନ୍ତି ।

ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଭାବେ ଜଷ୍ଟିସ୍‍ ତାଳପତ୍ର ୨୦୨୨ ଜୁନ୍‍ରେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୧ରେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିବା ଜଷ୍ଟିସ୍‍ ତାଳପତ୍ର ପରେ ତ୍ରିପୁରା ହାଇକୋର୍ଟର ବିଚାରପତି ଓ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି । ୧୯୬୧ ଅକ୍ଟୋବର ୪ ତାରିଖରେ ତ୍ରିପୁରାର ଉଦୟପୁରରେ ଜନ୍ମିତ ଜଷ୍ଟିସ୍‍ ତାଳପତ୍ର ଚଳିତ ବର୍ଷ ଅକ୍ଟୋବର ୩ ତାରିଖରେ ୬୨ବର୍ଷରେ ପଦାର୍ପଣ କରୁଥିବାରୁ ସେହିଦିନ ସେ ଅବସର ଗ୍ରହଣ କରିବେ ।

Leave A Reply

Your email address will not be published.