କଟକ : ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଆଜି ମନୋରମା ମହାପାତ୍ରଙ୍କ ସ୍ମାରକୀ ହଲ୍ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ତଥା ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକାଶ ଦାସନାୟକ, ଚୌଦ୍ଵାର-କଟକ ବିଧାୟକ ଶ୍ରୀଯୁକ୍ତ ସୌଭିକ୍ ବିଶ୍ଵାଳ, ରେଭେନ୍ସା କୂଳପତି ଶ୍ରୀଯୁକ୍ତ ପ୍ରଫେସର ସଞ୍ଜୟକୁମାର ନାୟକ, ମୋ କଲେଜ ଅଭିଯାନ ସଂଯୋଜକ ଶ୍ରୀଯୁକ୍ତ ଶିବବ୍ରତ ଦାସ ତଥା ସ୍ଵର୍ଗତ ମନୋରମା ମହାପାତ୍ରଙ୍କ ପୁତ୍ର ଶ୍ରୀଯୁକ୍ତ ପ୍ରଦୀପକୁମାର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ରେଭେନ୍ସା ଉପକୂଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ସ୍ଵାଗତ ଭାଷଣ ଦେବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।
ଉଚ୍ଚଶିକ୍ଷା ତଥା ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ତାଙ୍କ ବକ୍ତବ୍ୟରେ ଡକ୍ଟର ମହାପାତ୍ରଙ୍କ ସ୍ମୃତିଚାରଣ କରି କହିଥିଲେ, ଶ୍ରୀମତୀ ମନୋରମା ମହାପାତ୍ରଙ୍କ ଭଳି ବାଗ୍ମି ଲେଖିକା ଓ ସମାଜସେବୀ ଆମ ରାଜ୍ୟରେ ବିରଳ। ତାଙ୍କ ଭଳି ମହିୟସୀ ମହିଳାଙ୍କ ନାଁରେ ଏହି ହଲ୍ ଉଦ୍ଘାଟନ କରି ସେ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି, ଏବଂ ରେଭେନ୍ସା ମହାବିଦ୍ୟାଳୟରେ ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ ଏବଂ ପ୍ରାଣକୃଷ୍ଣ ପରିଜାଙ୍କଠାରୁ ଆରମ୍ଭ କରି ଅନେକ ମହାମନିଷିମାନେ ପାଠପଢ଼ିଯାଇଛନ୍ତି। ରେଭେନ୍ସା ଏକ ବିଶ୍ଵ ବିଦ୍ୟାଳୟ ନୁହେଁ ବରଂ ଏହା ଓଡିଶା ଇତିହାସର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ। ଏହି ବିଶ୍ଵବିଦ୍ୟାଳୟର ସାମଗ୍ରୀକ ଉନ୍ନତି ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଏହି ଅବସରରେ ଶ୍ରୀଯୁକ୍ତ ଆକାଶ ଦାସନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ‘ମୋ କଲେଜ ଅଭିଯାନ’ ଓଡିଶାର ଉଚ୍ଚଶିକ୍ଷାର ସାମଗ୍ରୀକ ବିକାଶ ଦିଗରେ କାର୍ୟ୍ୟ କରୁଅଛି। ଆଜିର ଦିନରେ ମନୋରମା ସ୍ମାରକୀ ହଲ୍ର ଲୋକାର୍ପଣ ଏକ ମାଇଲ ଖୁଣ୍ଟ ହୋଇ ରହିବ। ମୋ କଲେଜ ଅଭିଯାନକୁ ଏହି ସ୍ମାରକୀ ହଲ୍ ପାଇଁ ମନୋରମା ମହାପାତ୍ରଙ୍କ କନ୍ୟା ଶ୍ଵେତପଦ୍ମା ଦାସ ଓ ପୁତ୍ର ପ୍ରଦୀପ କୁମାର ମହାପାତ୍ରଙ୍କର ଆଥିର୍କ ସହାୟତା ପାଇଁ ସେ ଧନ୍ୟବାଦ ଦେଇଥିଲେ ତଥା ଏହାର ଦୁଇଗୁଣିତ ଅର୍ଥ ମୋ କଲେଜ ଅଭିଯାନ ମାଧ୍ୟମରେ ଦିଆଯାଇଥିବା ଜଣାଇଥିଲେ।
ମନୋରମା ମହାପାତ୍ରଙ୍କ ଭଳି ପ୍ରେରଣାଦାୟୀ ମହିଳାଙ୍କର ଓଡ଼ିଶା ସାହିତ୍ୟ, ଗଣମାଧ୍ୟମ ଓ ନାରୀ ସଶକ୍ତିକରଣ ପ୍ରତି ଅନେକ ଅବଦାନ ରହିଛି। ରେଭେନ୍ସା ବିଶ୍ଵବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ହିଁ ହେଉଛନ୍ତି ଏହାର ପ୍ରକୃତ ସମ୍ପଦ। ତେଣୁ ରେଭେନ୍ସା ବିଶ୍ଵ ବିଦ୍ୟାଳୟକୁ ବିଶ୍ଵ ସ୍ତରୀୟ କରିବା ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସେ ଆହ୍ବାନ ଦେଇଥିଲେ।
ଚୌଦ୍ଵାର-କଟକ ବିଧାୟକ ଶ୍ରୀଯୁକ୍ତ ସୌଭିକ୍ ବିଶ୍ଵାଳ ଉଦ୍ଘାଟନ ଉତ୍ସବରେ ଯୋଗ ଦେଇ ମନୋରମା ମହାପାତ୍ରଙ୍କ ସ୍ମାରକୀ ହଲ୍ ପାଇଁ ରାଜ୍ୟ ସରକାର ଓ ମୋ କଲେଜ ଅଭିଯାନକୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ନିଶ୍ଚିତ ଭାବେ ଅନେକ ଛାତ୍ରଛାତ୍ରୀଙ୍କ କାର୍ୟ୍ୟରେ ଲାଗିବ ବୋଲି ସେ କହିଥିଲେ। ଏହି ହଲ୍ଟି ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ।