ଗାଡି ଧକ୍କାରେ କଲରା ପତରିଆ ବାଘ ମୃତ

ଭଞ୍ଜନଗର, : ଅଜଣା ଗାଡି ଧକ୍କାରେ କଲରା ପତରିଆ ବାଘର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ବନାଞ୍ଚଳର ଭଞ୍ଜନଗର-ଫୁଲବାଣୀ ମୁଖ୍ୟ ରାସ୍ତାର ବୁଦୁଲି ଓ ମୁଜାଗଡ ମଧ୍ୟରେ। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଦୁର୍ଘଟଣା ଘଟିଥିବା ବନ ବିଭାଗ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି। ଜାତୀୟ ରାଜପଥ ୧୫୭ରେ ଏକ କଲରା ପତରିଆ ବାଘ ଆଘାତ ହୋଇ ପଡିଥିବା ଖବର ପାଇଁ ମୁଜାଗଡ ନିକଟରେ ରହିଥିବା ଏକ ପୁଲିସ୍‌ କର୍ମଚାରୀ ବନ ବିଭାଗ ଓ ପୁଲସ୍‌କୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ବାଘକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିବା ଉତ୍ତର ଘୁମୁସର ବନଖଣ୍ଡ ଅଧୀକାରୀ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି। ବୁଧବାର ସକାଳ ସମୟରେ ଡିଏଫ୍ଓ ଏବଂ ବନ କର୍ମଚାରୀ ମାନେ ସେଠାରେ ପହଞ୍ଚି ପାଦ ଚିହ୍ନ ଚିହ୍ନଟ କରିବା ସହ ଅନ୍ୟ ବାଘ ଅଛନ୍ତି ନା ନାହିଁ ତାହା ତଦନ୍ତ କରି ଫେରିଛନ୍ତି। ବର୍ତ୍ତମାନ ଉକ୍ତ ଇଲାକାରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ମୁଜାଗଡ ଜଙ୍ଗଲରେ ଆହୁରି ବାଘଙ୍କ ଚଳପ୍ରଚଳ ରହିଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ମୃତ ବାଘକୁ ଅପରାହ୍ନରେ ଗାଇଡଲାଇନ୍ ଅନୁଯାୟୀ ମାଜିଷ୍ଟ୍ରେଟ୍ ତଥା ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କ ଉପସ୍ଥିତିରେ ତାର ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର କରାଯାଇଛି। ତାର ବୟସ ଆନୁମାନିକ ୩ରୁ ୪ ବର୍ଷ ବୟସ ହୋଇଥିବା ବେଳେ ଏହା ଏକ ମାଈ ବାଘ ବୋଲି ବନ ବିଭାଗ ସ୍ପଷ୍ଟ କରିଛି। ଯାହାର ଉଚ୍ଚତା ୬୭ ସେମି ହୋଇଥିବା ବେଳେ ୯୬ ସେମି ଲମ୍ବା ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ଡ଼ା.ପ୍ରଦିପ୍ତ କୁମାର ସାହୁଙ୍କ ନେତୃତ୍ବରେ ଡା.ନିଶିକାନ୍ତ ବଳ,ଅଶୋକ କୁମାର ପତି,ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ବବଧାରକ ଅନୁପମ ବାନାର୍ଜି ପ୍ରମୁଖ ବ୍ୟବଚ୍ଛେଦ କରିଥିବା ବେଳେ ଆରର୍ସିସିଏଫ୍ କାର୍ଯ୍ୟାଳୟର ଡିସିଏଫ୍ ରମା ରଞ୍ଜନ ପଟ୍ଟନାୟକ,ଏସିଏଫ୍ ବିକ୍ରମ ଦେବ ପଟ୍ଟନାୟକ,ଶୂଳପାଣୀ ଶତପଥୀ,ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ,କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା,ମୁଜାଗଡ ବନପାଳ ଚନ୍ଦ୍ରମଣୀ ଦୋରା,ଭଞ୍ଜନଗର ବନପାଳ ବଂଶୀଧର ବିଶୋୟୀ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରକାଶ ଥାଉକି,ଉତ୍ତର ଘୁମୁସର ବନଖଣ୍ଡରେ ଗତ ୨୦୧୬ ମସିହାରେ ହୋଇଥିବା ବାଘ ଗଣନାରେ ୧୭ ଗୋଟି କଲରା ପତରିଆ ବାଘ ରହିଥିବା ଜଣାପଡିଥିଲା। ଏଥିରେ ୬ ଟି ପୁରୁଷ ବାଘ,୧୦ ଟି ମାଇ ବାଘ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଗୋଟିଏ ବାଘ ଛୁଆ ରହିଥିବା ତଥ୍ୟ ରହିଥିଲା। ଏହାପରେ ଗତ ୨୦୧୮ ମସିହାରେ ହୋଇଥିବା ବାଘ ଗଣନାରେ ଏହି ସଂଖ୍ୟା ୬ କୁ ଖସି ଆସିଥିଲା।

Leave A Reply

Your email address will not be published.