ଡିପ୍ଲୋମା ବେକାରୀ ହାର ୩୦ ପ୍ରତିଶତ

ଭୁବନେଶ୍ୱର : ଓଡିଶାରେ ଡିପ୍ଲୋମା ସାର୍ଟିଫିକେଟଧାରୀଙ୍କ ବେକାରୀ ହାର ଅଧିକ ରହିଛି । ଏହି ସାର୍ଟିଫିକେଟଧାରୀଙ୍କ ମଧ୍ୟରୁ ୩୦ ପ୍ରତିଶତର ଅଧିକ ବେକାର ଥିବାବେଳେ ସ୍ନାତକୋ ଡିଗ୍ରୀଧାରୀ ବେକାରଙ୍କ ସଂଖ୍ୟା ୨୩.୭ ପ୍ରତିଶତ ରହିଛି ।

କେନ୍ଦ୍ର ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ରାଜ୍ୟସଭାରେ ଦେଇଥିବା ଏକ ଉତ୍ତରରୁ ଏହି ସୂଚନା ମିଳିଛି । କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଓଡିଶାରେ ୧୫ବର୍ଷ ବୟସରୁ ଉର୍ଦ୍ଧ୍ୱ ଯେତିକି ଡିପ୍ଲୋମା ସାର୍ଟିଫିକେଟଧାରୀ ରହିଛନ୍ତି ସେମାନଙ୍କ ମଧ୍ୟରୁ ୩୦.୭ ପ୍ରତିଶତ କୌଣସି ନିଯୁକ୍ତି ପାଇ ନାହାନ୍ତି । ସ୍ନାତକ ଡିଗ୍ରୀଧାରୀଙ୍କ ମଧ୍ୟରେ ଏହି ହାର ୨୩.୭ ପ୍ରତିଶତ ଥିବାବେଳେ ମାଟ୍ରିକ ସାର୍ଟିଫିକେଟଧାରୀଙ୍କ ମଧ୍ୟରେ ଏହି ହାର ୧୨.୭ ପ୍ରତିଶତ ରହିଛି ।

ତେବେ ଆଦୌ ପାଠପଢିନଥିବା ୧୫ବର୍ଷରୁ ଉର୍ଦ୍ଧ୍ୱ ଯେତିକି ଯୁବଗୋଷ୍ଠି ରହିଛନ୍ତି ସେମାନଙ୍କ ମଧ୍ୟରେ ବେକାରଙ୍କ ହାର ମାତ୍ର ୦.୧ ପ୍ରତିଶତ ରହିଛି । ସେହିଭଳି ପ୍ରାଥମିକ ଶ୍ରେଣୀ ଉତ୍ତୀର୍ଣ୍ଣଙ୍କ ମଧ୍ୟରେ ୧.୮ ପ୍ରତିଶତ ବେକାର ରହିଥିବାବେଳେ ମାଧ୍ୟମିକ ଉତ୍ତୀର୍ଣ୍ଣଙ୍କ ମଧ୍ୟରେ ଏହି ହାର ୫.୩ ପ୍ରତିଶତ ରହିଛି ।

ତେବେ ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ସମଗ୍ର ଦେଶରେ ଡିପ୍ଲୋମା ସାର୍ଟିଫିକେଟଧାରୀ ସର୍ବାଧିକ ବେକାରୀ ହାର ମେଘାଳୟରେ ରହିଛନ୍ତି । ଏମାନଙ୍କ ହାର ୪୬.୭ ପ୍ରତିଶତ ରହିଛି । ସେହିଭଳି ଆଦୌ ପାଠପଢିନଥିବା ସର୍ବାଧିକ ବେକାର ଲକ୍ଷାଦ୍ୱୀପରେ ଥିବା ରେକର୍ଡ ହୋଇଛି । ସେଠାରେ ଏହି ବେକାରଙ୍କ ସଂଖ୍ୟା ସର୍ବାଧିକ ୬୨.୪ ପ୍ରତିଶତ ରହିଛି । ସ୍ନାତକ ଡିଗ୍ରୀଧାରୀ ସର୍ବାଧିକ ୩୦୧ ପ୍ରତିଶତ ବେକାର ଅରୁଣାଚଣ ପ୍ରଦେଶରେ ରହିଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି ।

ସେହିଭଳି କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଲକ୍ଷାଦ୍ୱୀପରେ ସର୍ବାଧିକ ୩୫.୨ ପ୍ରତିଶତ ମହିଳା ନିଯୁକ୍ତି ଠାରୁ ଦୂରରେ ରହିଛନ୍ତି । ଓଡିଶାରେ ୧୫ବର୍ଷ ବୟସରୁ ଅଧିକ ବୟସର ମହିଳାଙ୍କ ବେକାର ହାର ୪.୪ ପ୍ରତିଶତ ରହିଛି । ଗୋଆରେ ଏହା ୧୯.୭ ପ୍ରତିଶତ ଥିବାବେଳେ ଆନ୍ଧ୍ରପ୍ରଦେଶରେ ଏହା ୩.୫, ଛତିଶଗଡରେ ୧.୮, ଝାଡଖଣ୍ଡରେ ୦.୮ ଏବଂ ପଶ୍ଚିମବଙ୍ଗରେ ଏହା ୧.୮ ପ୍ରତିଶତ ରହିଛି ।

Leave A Reply

Your email address will not be published.