ହେବ ନାହିଁ ଆଗୁଆ ନିର୍ବାଚନ ; ରାଜି ହେଉନି ବିଜେପି , ଭରସା କରିପାରୁନି ବିଜେଡି


ଭୁବନେଶ୍ୱର : ରାଜ୍ୟରେ ଆଗୁଆ ବିଧାନସଭା ନେଇ ଚାଲିଥିବା ଚର୍ଚ୍ଚାରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓଡିଶାରେ ଆଗୁଆ ବିଧାନସଭା ନିର୍ବାଚନ କରିବାପାଇଁ କେନ୍ଦ୍ର ବିଜେପି ରାଜି ହୋଇନାହିଁ । ତେବେ କେନ୍ଦ୍ରର ଏଭଳି ମନୋଭାବର ସୁରାକ ପାଇବାପରେ ବିଜେଡି ସେପ୍ଟେମ୍ବର ମାସରେ ବିଧାନସଭା ଭାଙ୍ଗି ନିର୍ବାଚନକୁ ଯିବାକୁ ବି ସାହସ କୁଳାଇ ପାରୁନାହିଁ । କାରଣ କେନ୍ଦ୍ରର ଅମଙ୍ଗ ପରେ ବିଧାନସଭା ଭାଙ୍ଗିଦେଲେ ହୁଏତ କେନ୍ଦ୍ର ସରକାର ଓଡିଶାରେ କୌଣସି କାରଣରୁ ସମ୍ବିଧାନର ଧାରା ୩୫୨ ଲଗାଇ ସମ୍ପୂର୍ଣ୍ଣ ଶାସନ କ୍ଷମତା ନିଜ ହାତକୁ ନେଇଯାଇ ପାରନ୍ତି ।
ଓଡିଶାରେ ଆସନ୍ତା ଡିସେମ୍ବର ମାସରେ ଦେଶର ଅନ୍ୟ ଚାରିଟି ରାଜ୍ୟ ସହିତ ବିଧାନସଭା ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଆଉ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଥିଲା ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ଘନ ଘନ ଜିଲ୍ଲା ଗସ୍ତ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଏକାଧିକ ଯୋଜନାର ଘୋଷଣା । ଉଲ୍ଲେଖନୀୟ ଯେ ଆଗାମୀ ଡିସେମ୍ବର ମାସରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନାରେ ର୍ନିବାଚନ ହେବାକୁ ଯାଉଛି । ଏହି ୪ଟି ରାଜ୍ୟ ସହିତ ଓଡିଶାର ବିଧାନସଭା ନିର୍ବାଚନ କରାଇ ନେବାକୁ ବିଜେଡି ଚାହୁଁଥିଲା ।
ତେବେ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରୀୟ ବିଜେପି ଏ ନେଇ ରାଜି ହୋଇନାହିଁ । ବିଶ୍ୱସ୍ତ ସୂଚନା ଅନୁଯାୟୀ ବିଜେଡିର ଏହି ପ୍ରସ୍ତାବରେ କେନ୍ଦ୍ର ଅରାଜି । କାରଣ ଏବେ ବିଧାନସଭା ନିର୍ବାଚନ ହେଲେ ସେମାନେ ଆଦୌ ଭଲ ପ୍ରଦର୍ଶନ କରିବେ ନାହିଁ । ତେବେ ପରେ ଲୋକସଭା ନିର୍ବାଚନ ହେଲେ ବିଜେଡି ସେମାନଙ୍କୁ କେତେ ସହାୟତା କରିବ ସେ ନେଇ ମଧ୍ୟ ବିଜେପିର କେନ୍ଦ୍ରୀୟ ନେତାମାନେ ସନ୍ଦିହାନ ଅଛନ୍ତି । କାରଣ ବିଜେଡି ଥରେ ବହୁମତରେ ଗାଦିରେ ବସିଲା ପରେ ହୁଏତ ତାହାର ମନୋଭାବ ବଦଳି ଯାଇପାରେ ।
ଅନ୍ୟ ପକ୍ଷରେ ବିଜେଡି ମଧ୍ୟ ବିଜେପିକୁ ଶତ ପ୍ରତିଶତ ବିଶ୍ୱାସକୁ ନେଇ ପାରୁନାହିଁ । ସେପ୍ଟେମ୍ବର ମାସରେ ଯଦି ବିଜେଡି ବିଧାନସଭାକୁ ଭାଙ୍ଗିଦେବ ତେବେ ବିଜେପି ହୁଏତ କୌଣସି ଆଳ ଦେଖାଇ ସମ୍ବିଧାନର ୩୫୨ଧାରା ଲଗାଇ ଦେଇପାରେ । ଏହା ହେଉଛି ସମ୍ବିଧାନରେ ଥିବା ରାଜ୍ୟ ଜରୁରୀ ବ୍ୟବସ୍ଥା । ଏହା ଲାଗିଗଲେ ରାଜ୍ୟର ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ହାତକୁ ଚାଲିଯିବ । ବିଜେଡି ଯେତେ ଯାହା କଲେ ବି କିଛି କରିପାରିବ ନାହିଁ । ଥରେ କେନ୍ଦ୍ର ସରକାରଙ୍କ ହାତକୁ ଶାସନ ଗଲାପରେ ସେମାନେ ନିଜ ଇଚ୍ଛାରେ ରାଜ୍ୟ ଚଳାଇବା ସହିତ ନିର୍ବାଚନ କରିବେ । ଏହାକୁ ଦୃଷ୍ଟିରେ ରଖି ବିଜେଡିର ଗୋଟିଏ ଗୋଷ୍ଠି ବିଧାନସଭା ଭାଙ୍ଗିବା ସପକ୍ଷରେ ନାହାନ୍ତି ।
ଅନ୍ୟ ପକ୍ଷରେ ବିଜେପି ଓଡିଶାରେ ତାହାର ନୂଆ ସଭାପତି ନିଯୁକ୍ତ କରିଥିଲେ ମଧ୍ୟ ଛାମୁଆ ସଂଗଠନଗୁଡିକୁ ନିର୍ବାଚନ ପାଇଁ ସଜବାଜ କରିପାରି ନାହିଁ । ହଠାତ୍‍ ବିଧାନସଭା ର୍ନିବାଚନ ହେଲେ ବିଜେପି ବହୁ ପଛରେ ପଡିଯିବ । ଏପରିକି କଂଗ୍ରେସ ଠାରୁ ପଛରେ ପଡିଯିବ ବୋଲି ରାଜନୈତିକ ସମୀକ୍ଷକମାନେ ବିଚାରୁଛନ୍ତି । କାରଣ କର୍ଣ୍ଣାଟକ ବିଜୟ ପରେ ଉତ୍ସାହିତ ଥିବା କଂଗ୍ରେସ ଓଡିଶାରେ ତାହାର ବଳ ଗୋଟାଇବାରେ ଲାଗିଛି । ଯଦି ଯୋଜନା ମୁତାବକ ଗମାଙ୍ଗ, ପାଙ୍ଗି ଓ ଭୋଇ ପରିବାର ସହିତ ଶ୍ରୀକାନ୍ତ ଜେନାଙ୍କ ଭଳି ଅଭିଜ୍ଞ ନେତା କଂଗେସକୁ ଘରବାହୁଡା କରନ୍ତି ତେବେ ଓଡିଶା ରାଜନୀତିରେ ବଡ ପରିବର୍ତ୍ତନ ହେବ ।
ତେଣେ ଆସନ୍ନ ନିର୍ବାଚନକୁ ଦେଖି ବିଜେଡି ତାହାର ରଣକୌଶଳ ପ୍ରସ୍ତୁତ କରୁଥିବାବେଳେ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଯଦି ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲରେ ନିର୍ବାଚନ ହୁଏ ତେବେ ପୁଣିଥରେ ଦଳକୁ ଦାସେ ଆଇଲେ ମୂଳରୁ ଗା ଭଳି ହେବ । କାରଣ ଏବେ ବିଜେଡି ତାହାର ଛାମୁଆ ସଂଗଠନଗୁଡିକୁ ଅତ୍ୟନ୍ତ ସକ୍ରିୟ କରିବା ସହିତ ନିର୍ବାଚନ ପାଇଁ ପ୍ରସ୍ତୁତ କରି ରଖିଛି । ଏଥିପାଇଁ ଯୋଜନା ପରେ ଯୋଜନା ଘୋଷଣା କରାଯାଉଛି । ର୍ନିବାଚନ ଛ୍ରଅ ମାସ ପରେ ହେଲେ ଏ ଉଷ୍ମତା ଆଉ ରହିବନାହିଁ ବୋଲି ବିଜେଡିର ଛାମୁଆ ନେତାମାନେ କହୁଛନ୍ତି ।
ତେବେ ସିଏ ଯାହା ହେଲେ ବି ଓଡିଶାରେ ଆଗୁଆ ବିଧାନସଭା ନିର୍ବାଚନ ହେବନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହେବାରେ ଲାଗିଛି । ତେଣୁ ଖୁବ୍‍ଶୀଘ୍ର ରାଜ୍ୟ ସରକାର ବିଧାନସଭାର ବର୍ଷାକାଳୀନ ଅଧିବେଶନ ପାଇଁ ବିଜ୍ଞପ୍ତି ଜାରି କରିପାରିନ୍ତି ବୋଲି କୁହାଯାଉଛି ।

Leave A Reply

Your email address will not be published.