ସଫେଇ ଦାୟିତ୍ୱରେ ସଂସ୍ଥା ଘାସ କାଟିବାକୁ ପଛଘୁଞ୍ଚା

ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ବିଭିନ୍ନ ମାଧ୍ୟମରେ ନାଗରିକମାନଙ୍କୁ ସଚେତନ କରୁଥିବାବେଳେ ସହରରେ ସଫେଇ ଦାୟିତ୍ୱରେ ଥିବା ସଂସ୍ଥାମାନେ କିନ୍ତୁ ଘାସ କାଟିବାକୁ ପଛଘୁଞ୍ଚା ଦେଉଛନ୍ତି । ଘାସ କାଟିବାପାଇଁ ସେମାନଙ୍କର ଅଧିକ ଅର୍ଥ ଖର୍ଚ୍ଚ ହେଉଥିବାରୁ ବାରମ୍ବାର ଅନୁରୋଧ କଲେ କାଁ ଭାଁ ଘାସ କାଟି ନିଜର କାମ ସାରିଦେଉଛନ୍ତି ।

ବର୍ତ୍ତମାନ ବର୍ଷାଋତୁରେ ସହରରେ ଚାରିଆଡେ ଘାସ ଉଠି ବଣର ଭ୍ରମ ସୃଷ୍ଟି ହେଉଛି ଯାହାକି ମଶାମାନଙ୍କ ଆଶ୍ରୟସ୍ଥଳୀ ପାଲଟୁଛି । ଏଗୁଡିକୁ ନିୟମିତ ଭାବେ କାଟିବାପାଇଁ ବିଏମ୍‍ସି ପକ୍ଷରୁ ସଫେଇ ସଂସ୍ଥାମାନଙ୍କୁ କୁହାଯାଇଛି । ହେଲେ ଲକ୍ଷ୍ୟ କରାଯାଉଛି ଯେ ସଫେଇ ସଂସ୍ଥାମାନେ କେବଳ ରାସ୍ତାଘାଟରେ ଝାଡୁମାରି ପଳାଉଥିବାବେଳେ ପୂର୍ବଭଳି ଆଉ ଘାସ କାଟୁ ନାହାନ୍ତି । ପୂର୍ବରୁ ଶ୍ରମିକମାନେ ଘାସକଟା ଛୁରି ସହାୟତାରେ ରାସ୍ତାପାଶ୍ୱର୍ରେ ଉଠୁଥିବା ଘାସକୁ କାଟିଦେଉଥିବାବେଳେ ଆଉ କେତେକ ସ୍ଥାନରେ ମେସିନ ଲଗାଇ ଘାସ କଟାଯାଉଥିଲା ।

ହେଲେ ବର୍ତ୍ତମାନ ସହରରେ ମଶା ଉପଦ୍ରବ ଚାଲିଥିବାବେଳେ ସଫେଇ ଦାୟିତ୍ୱରେ ଥିବା ସଂସ୍ଥାମାନେ କିନ୍ତୁ ଆଉ ପୂର୍ବଭଳି ଘାସ କାଟୁନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ଘାସ କାଟିବାପାଇଁ ବ୍ୟବହୃତ ଯନ୍ତ୍ରରେ ପେଟ୍ରୋଲ ପକାଇବା ଆବଶ୍ୟକ ହେଉଥିବାବେଳେ ଏ ବାବଦରେ ଖର୍ଚ୍ଚ କରିବାକୁ ସଫେଇ ଦାୟିତ୍ୱରେ ଥିବା ସଂସ୍ଥାମାନେ ନାରାଜ ।

ସହରର କେଉଁ ୱାର୍ଡରେ କେଉଁଠି ଘାସ ରହୁଛି ତାହାର ତଦାରଖ ଦାୟିତ୍ୱ ହେଉଛି ସମ୍ପୃକ୍ତ ୱାର୍ଡର ୱାର୍ଡଅଫିସର ଓ ସାନିଟାରୀ ଇନ୍ସପେକ୍ଟରମାନଙ୍କର । ହେଲେ ସହରର ହାତଗଣତି କେତୋଟି ୱାର୍ଡକୁ ବାଦ୍‍ ଦେଲେ ଅନ୍ୟସ୍ଥାନରେ ସାନିଟାରୀ ଇନ୍ସପେକ୍ଟରମାନଙ୍କର ଦେଖାଦର୍ଶନ ମିଳୁନାହିଁ । ୱାର୍ଡ ପରିଦର୍ଶନରେ ଆସିବା ବଦଳରେ ସେମାନେ ସବୁକିଛି ସଫେଇ ସଂସ୍ଥା ଉପରେ ଛାଡି ଦେଉଛନ୍ତି ।

ରାଜଧାନୀରେ ଏବେ ସଫେଇ କାର୍ଯ୍ୟ ତଦାରଖ ପାଇଁ ଜୋନ୍‍ ଅଫିସରଙ୍କ ଠାରୁ ଆରମ୍ଭ କରି ୱାର୍ଡ ଅଫିସର ଓ ସାନିଟାରୀ ଇନ୍ସପେକ୍ଟରମାନେ ଅଛନ୍ତି । ଏମାନଙ୍କ ବ୍ୟତିତ ସଫେଇ ଦାୟିତ୍ୱ ନେଇଥିବା ସଂସ୍ଥାମାନେ ମଧ୍ୟ ନିଜ ନିଜର ସୁପରଭାଇଜର ନିଯୁକ୍ତ କରିଛନ୍ତି । ହେଲେ ଏମାନଙ୍କ ମଧ୍ୟରୁ ଅଧିକାଂଶ କେହି ୱାର୍ଡ ପରିଦର୍ଶନରେ ଆସୁନାହାନ୍ତି କି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରୁନାହାନ୍ତି ।

ଅବସ୍ଥା ଏଭଳି ହୋଇଛି ଯେ ବାରମ୍ବାର ଅଭିଯୋଗ କରିବାପରେ ଘାସ କଟା ଯାଉଛି । ହେଲେ ଯେଉଁ ସ୍ଥାନପାଇଁ ଅଭିଯୋଗ ହେଉଛି ତାହା ଆଖପାଖରେ ଥିବା ଘାସକୁ ବି କଟାଯାଉ ନାହିଁ । ଏଭଳି ସ୍ଥିତିରେ କିଭଳି ମଶା ନିୟନ୍ତ୍ରଣ ହେବେ ବୋଲି ପ୍ରଶ୍ନ କରୁଛନ୍ତି ରାଜଧାନୀବାସୀ । ସହରର ଅନ୍ୟ କୌଣସି ସ୍ଥାନ ନୁହେଁ ଲୋକସେବାଭବନ, ରାଜଭବନ, ବିଧାୟକ କଲୋନୀ ଆଖପାଖରେ ଥିବା ଅଞ୍ଚଳରେ କିଭଳି ଘାସ ଉଠି ବଣ ଅବସ୍ଥା ସୃଷ୍ଟି ହେଲାଣି ବିଏମ୍‍ସି ଅଧିକାରୀମାନେ ଥରେ ବୁଣି ଆସିଲେ ଦେଖିପାରିବେ ।

Leave A Reply

Your email address will not be published.