ଭୁବନେଶ୍ୱର : ସହରାଞ୍ଚଳରେ ବସ୍ତି ବାସିନ୍ଦାମାନଙ୍କୁ ଯେଉଁ କାଗଜ ଖଣ୍ଡିଏ ଦିଆଯାଉଛି ସେହି କାଗଜରେ ଲେଖାଯାଇଛି ଯେ, ଏହା ଏକ ଫର୍ମ ବୋଲି । ତା ତଳକୁ ଲେଖା ହୋଇଛି ଏହା ଏକ ପ୍ରମାଣ ପତ୍ର ବୋଲି । ଆଉ ଏହାକୁ ରାଜ୍ୟ ସରକାର କହୁଛନ୍ତି ଏହା ପଟ୍ଟା ବୋଲି । ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ ଏହା ଫର୍ମ ନା ପ୍ରମାଣ ପତ୍ର ନା ପଟ୍ଟା ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ ସହରାଞ୍ଚଳରେ ନବେ ଦଶକରେ ବସ୍ତି ବାସିନ୍ଦାଙ୍କୁ ଯେଉଁ ପଟ୍ଟା ମିଳିଛି ସେଥିରେ ସ୍ପଷ୍ଟ ଭାବରେ ଲେଖାହୋଇଛି ଯେ, ବସ୍ତିବାସିନ୍ଦାଙ୍କ ଥଇଥାନ ଯୋଜନା ଅନୁସାରେ ମିଳିଥିବା ପଟ୍ଟା ବୋଲି । ହେଲେ ଏବେ ରାଜ୍ୟ ସରକାର ଯେଉଁ କାଗଜ ଧରାଉଛନ୍ତି ସେଥିରେ କେଉଁଠି ବି ପଟ୍ଟା ଶବ୍ଦର ଲେଖାନାହିଁ । ରାଜ୍ୟ ସରକାରଙ୍କର ଯେଉଁ ସମବାୟ ବ୍ୟାଙ୍କ ଅଛି ସେମାନେ ବି ଏହି କାଗଜକୁ ସ୍ୱୀକାର କରୁନାହାନ୍ତି । ଏଥିରୁ ସ୍ପଷ୍ଟ ବୁଝାପଡୁଛି ଯେ,ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କ ସହିତ ଛଳନା କରିଛନ୍ତି ।
୨୦୧୨ ରୁ ୨୦୨୩ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବାରମ୍ବାର କହି କହି ଆସୁଛନ୍ତି ଯେ, ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦିଆଯିବ । କେବଳ ପ୍ରତିଶୃତି ଦେଇ ଜାଣନ୍ତି ନବୀନ ବାବୁ, କିନ୍ତୁ ତାହା କେବେ ପୂରଣ କରନ୍ତି ନାହିଁ । ୨୦୧୩ ମସିହାରେ ପୌର ନିର୍ବାଚନ ଏବଂ ୨୦୧୪ର ସାଧାରଣ ନିର୍ବାଚନ ପୂର୍ବରୁ ବସ୍ତି ବାସିନ୍ଦାଙ୍କ ଭୋଟ ହାତେଇବା ପାଇଁ ରାଜ୍ୟ ସରକାର ଆଣିଥିଲେ ଓଡିଶା ପ୍ରପର୍ଟି ରାଇଟ୍ସ ଟୁ ସ୍ଲମ ଡ୍ୱେଲର ଏଣ୍ଡ ପ୍ରିଭେନସନ ଅଫ ନ୍ୟୁ ସ୍ଲମ ବିଲ -୨୦୧୨ । ପ୍ରତିଶୃତି ଦେଇଥିଲେ କି ବସ୍ତି ବାସିନ୍ଦାଙ୍କୁ ଯୋଗାଇଦେବେ ସ୍ଥାୟୀ ଜମି ପଟା ଓ ଘର । ହେଲେ ୨୦୧୨ରୁ ୨୦୧୭ ମଧ୍ୟରେ ସହରାଂଚଳର କେଉଁ ଗୋଟିଏ ଲୋକଙ୍କୁ ସ୍ଥାୟୀ ଜମି ପଟା ମିଳିନଥିଲା ।
ପୁଣି ୪ ବର୍ଷ ପରେ ୨୦୧୭ ମସିହାରେ ଆଉଥରେ ସେହି ବିଲ୍ର ଏକ ଅଧ୍ୟାଦେଶ ଆଣି ମୁଖ୍ୟମନ୍ତ୍ରୀ ପୁଣି ଘୋଷଣା କଲେ କି ଆମେ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟା ଏବଂ ଘର ଯୋଗାଇ ଦେବୁ । ତାହା ବି କେବଳ ପାଣିର ଗାର ପାଲଟିଲା । ପୁଣି ୨୦୨୨ରେ ଆଉ ଏକ ସଂଶୋଧିତ ଆଇନ ଆଣିଲେ । କେବଳ ଆଇନ ଆସୁଛି କିନ୍ତୁ ବସ୍ତି ବାସିନ୍ଦାଙ୍କୁ ଦୁଃଖ ଯାଉନି । ଏବେ ପୁଣି ୨୦୨୩ରେ ସେହି ପୁରୁଣା ନାଟକର ପୁନ୍ନତାବୃତି । ବିଜୁ ଜନତା ଦଳର ସରକାର କେବଳ ବସ୍ତି ବାସିନ୍ଦାଙ୍କ ଭୋଟ ନେଇଛି କିନ୍ତୁ ସେମାନଙ୍କୁ ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।