୧୧୫ ପୌରାଞ୍ଚଳ କର୍ମଚାରୀଙ୍କୁ ଜାତୀୟ ପେନ୍‍ସନ ବ୍ୟବସ୍ଥା

ଭୁବନେଶ୍ୱର : ଅବସର ପରେ କର୍ମଚାରୀମାନଙ୍କ ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବାପାଇଁ ରାଜ୍ୟ ସରକାର ୧୧୫ ପୌରାଞ୍ଚଳ କର୍ମଚାରୀଙ୍କୁ ଜାତୀୟ ପେନ୍‍ସନ ବ୍ୟବସ୍ଥା (ଏନପିଏସ୍‍)ରେ ସାମିଲ କରିବେ । ରାଜ୍ୟରେ ଏନ୍‍ପିଏସ୍‍ କାର୍ଯ୍ୟକାରିତା ନେଇ ହୋଇଥିବା ସର୍ବଶେଷ ସମୀକ୍ଷାରୁ ଏହି ସୂଚନା ମିଳିଛି ।

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମୀକ୍ଷାରୁ ଜଣାଯାଇଛି ଯେ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟରେ ଦୁଇ ପ୍ରକାରର ପେନ୍‍ସନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ଅର୍ଥ ବିଭାଗ ପକ୍ଷରୁ ଏନ୍‍ପିଏସ୍‍ରେ ସାମିଲ କର୍ମଚାରୀଙ୍କ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ନୂତନ ଭାବେ ସାମିଲ ହେଉଥିବା କର୍ମଚାରୀଙ୍କ ପାଇଁ ବିଭାଗ ପକ୍ଷରୁ ଅନ୍‍ଲାଇନ୍‍ ବ୍ୟବସ୍ଥା କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ପୁରୁଣା ପେନସନ ବ୍ୟବସ୍ଥା ଓଡିଶା ସିଭିଲ ସର୍ଭିସ୍‍ ପେନସନ୍‍ ରୁଲ୍‍ ୧୯୯୨ ଅନୁଯାୟୀ କାର୍ଯ୍ୟକାରୀ ହେଉଥିବାବେଳେ ଅନ୍ୟଟି ଜାତୀୟ ପେନ୍‍ସନ ବ୍ୟବସ୍ଥା (ଏନପିଏସ୍‍)ଅନୁଯାୟୀ ହେଉଛି ଯାହାକି ୨୦୦୫ ଜାନୁୟାରୀ ୧ତାରିଖ ପରେ ସରକାରୀ ଚାକିରିରେ ଯୋଗ ଦେଉଥିବା କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ଅଟେ ।

ବର୍ତ୍ତମାନ ୩ଲକ୍ଷ ସରକାରୀ କର୍ମଚାରୀ ଏନ୍‍ପିଏସ୍‍ରେ ସାମିଲ ହୋଇଥିବାବେଳେ ଅନ୍ୟ ୨ଲକ୍ଷ କର୍ମଚାରୀ ପୁରୁଣା ପେନ୍‍ସନ ବ୍ୟବସ୍ଥାରେ ଅଛନ୍ତି । ରାଜ୍ୟରେ ଥିବା ସମସ୍ତ ସରକାରୀ ରାଷ୍ଟ୍ରାୟତ ସଂସ୍ଥା (ପିଏସ୍‍ୟୁ)ରେ ପୁରୁଣା ପେନସନ କାର୍ଯ୍ୟକାରୀ ହେଉଥିବାବେଳେ ୨୦୦୫ ଜାନୁୟାରୀ ପହିଲାରୁ ଏଠାରେ ଏନ୍‍ପିଏସ୍‍ ବାଧ୍ୟତାମୂଳକ ହୋଇଛି । ସେମାନେ ଯେତେବେଳେ ଚାହିଁବେ ଏନ୍‍ପିଏସ୍‍ରେ ସାମିଲ ହୋଇପାରିବେ ।

ତେଣୁ ରାଜ୍ୟର ୩୫ଟି ସରକାରୀ ଉଦ୍ୟୋଗ ଏନ୍‍ପିଏସ୍‍ ଯୋଜନା ଅଧିନରେ ଆସୁଛନ୍ତି । ରାଜ୍ୟରେ ଥିବା ସ୍ୱୟଂଶାସିତ ସଂସ୍ଥା ଏବଂ ରାଜ୍ୟ ସରକାରୀ ଉଦ୍ୟୋଗମାନଙ୍କରେ ଏନପିଏସ୍‍ ଲାଗୁ କରିବାପାଇଁ ଇତି ମଧ୍ୟରେ ଅନେକ କର୍ମଶାଳା ଓ ଆଲୋଚନଚକ୍ର ଆୟୋଜିତ ହୋଇଯାଇଛି । 

Leave A Reply

Your email address will not be published.