ଧାନ ସଂଗ୍ରହ କେନ୍ଦ୍ରରେ ସିସିଟିଭି

ଭୁବନେଶ୍ୱର : ଧାନ ସଂଗ୍ରହ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବାପାଇଁ ନିଜ ନିଜ ଜିଲ୍ଲାରେ ଥିବା ଧାନ ସଂଗ୍ରହ କେନ୍ଦ୍ରରେ ସିସିଟିଭି ଖଞ୍ଜିବାପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ରାଜ୍ୟ ସମବାୟ ନିବନ୍ଧକ ନିକଟରେ ବଲାଙ୍ଗିର ବ୍ୟତିତ ଅନ୍ୟ ସମସ୍ତ ଜିଲ୍ଲାପାଳଙ୍କୁ ଏହି ମର୍ମରେ ପତ୍ରଲେଖିଛନ୍ତି । କାରଣ ବଲାଙ୍ଗିର ଜିଲ୍ଲାର ସମସ୍ତ ଧାନ ସଂଗ୍ରହ କେନ୍ଦ୍ରରେ ସିସିଟିଭି ଲଗାଯାଇ ସାରିଛି ।

ଓଡିଶା ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଂ କମିଟିର ସୁପାରିଶ୍‍ ଆଧାରରେ ସମବାୟ ବିଭାଗ ପକ୍ଷରୁ ସମସ୍ତ ଧାନ ସଂଗ୍ରହ କେନ୍ଦ୍ରରେ ସିସିଟିଭି ଲଗାଇବାପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ସମବାୟ ସମିତିର ଡିଜିଜନାଲ ଡେପୁଟୀ ରେଜିଷ୍ଟ୍ରାରମାନଙ୍କୁ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷାକରି ସିସିଟିଭି କ୍ୟାମେରା ଲଗାଇବାକୁ କୁହାଯାଇଛି ।

୨୦୨୩ ଅଗଷ୍ଟ ୨୮ତାରିଖ ସୁଦ୍ଧା ପ୍ରସ୍ତାବିତ ୩୪୬୩ ଧାନ ସଂଗ୍ରହ କେନ୍ଦ୍ର ମଧ୍ୟରୁ ୧୦୫୬ଟି ପାଇଁ ସିସିଟିଭି କ୍ୟାମେରା ଖରିଦ ହୋଇଛି କିମ୍ବା ଲଗାଯାଇଛି । ଅବଶିଷ୍ଟ ୨୪୦୭ଟି ସଂଗ୍ରହ କେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା ସିସିଟିଭି ଲାଗିନଥିବା ସମବାୟ ନିବନ୍ଧକ ତାଙ୍କ ପତ୍ରରେ ଦର୍ଶାଇଛନ୍ତି । ଅନୁରୂପ ଭାବେ ୩୬ଟି ଧାନ କିଣା କେନ୍ଦ୍ରରେ ଲାଗିଥିବା ସିସିଟିଭି କ୍ୟାମେରା ବର୍ତ୍ତମାନ କାମ କରୁନାହିଁ ।

ଏଭଳି ସ୍ଥିତିରେ ଜିଲ୍ଲାପାଳମାନେ ଏଥିରେ ହସ୍ତକ୍ଷେପ କରି ସିସିଟିଭି ଲଗାଇବା ସହିତ ଅଚଳ ହୋଇପଡିଥିବା ସିସିଟିଭି ଗୁଡିକୁ ୨୦୨୩-୨୪ ଖରିଫ ଧାନ ସଂଗ୍ରହ ପୂର୍ବରୁ ମରାମତି କରିବାକୁ କୁହାଯାଇଛି । ରାଜ୍ୟରେ ଖୁବ୍‍ଶୀଘ୍ର ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।

ବିଭାଗୀୟ ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲାର ସମସ୍ତ ୧୫୮ଟି ଧାନ ସଂଗ୍ରହ କେନ୍ଦ୍ରରେ ସିସିଟିଭି ଲଗା ସରିଥିବାବେଳେ ଗଞ୍ଜାମ ଜିଲ୍ଲାର ଗୋଟିଏ ହେଲେ କେନ୍ଦ୍ରରେ ସିସିଟିଭି ଲାଗିନାହିଁ । ଗଞ୍ଜାମ ଜିଲ୍ଲାରେ ୩୭୨ଟି ଧାନ ସଂଗ୍ରହ କେନ୍ଦ୍ର ରହିଛି । ଅନୁରୂପ ସ୍ଥିତି ଜଗତସିଂହପୁର ଜିଲ୍ଲାରେ । ଜିଲ୍ଲାର ୧୦୫ଟି ଧାନ ସଂଗ୍ରହ କେନ୍ଦ୍ର ମଧ୍ୟରୁ ଗୋଟିଏରେ ହେଲେ ବି ସିସିଟିଭି ଲାଗି ନାହିଁ । ନୟାଗଡ ଜିଲ୍ଲାର କୌଣସି ଧାନ ସଂଗ୍ରହ କେନ୍ଦ୍ରରେ ବି ବର୍ତ୍ତମାନ ସୁଦ୍ଧା ସିସିଟିଭି ଲାଗାଯାଇ ପାରିନାହିଁ ।

କନ୍ଧମାଳ ଓ ଯାଜପୁର ଜିଲ୍ଲାର ଗୋଟିଏ କରି ଧାନ ସଂଗ୍ରହ କେନ୍ଦ୍ରରେ ସିସିଟିଭି ଲାଗିଥିବାବେଳେ ବୌଦ୍ଦ, ଅନୁଗୁଳ, ଗଜପତି, କୋରାପୁଟ, ମାଲକାନଗିରି, ନୂଆପଡା ଏବଂ ସମ୍ବଲପୁର ଜିଲ୍ଲାରେ ସିସିଟିଭି ଲଗାଇବା କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଛି । ନଭେମ୍ବର ପ୍ରଥମ ସପ୍ତାହରୁ ଖରିଫ ଧାନ ସଂଗ୍ରହ ହେବାକୁ ଯାଉଥିବାବେଳେ ଏହା ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାରି ରହିବ । ଗତ କିଛିବର୍ଷ ଧରି ରାଜ୍ୟ ଯୋଗାଣ ନିଗମ ଚାଷୀଙ୍କ ଠାରୁ ସମବାୟ ସମିତି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଏବଂ ପାଣିପଞ୍ଚାୟତ ଜରିଆରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଅଧିକ ପରିମାଣର ଧାନ ସଂଗ୍ରହ କରୁଛି ।

Leave A Reply

Your email address will not be published.