ଫୁଲୁଛି ଡହ ଜଳଭଣ୍ଡାର 

ଭଞ୍ଜନଗର,: ଫୁଲିବାରେ ଲାଗିଛି ଭଞ୍ଜନଗର ଜଳସେଚନ ବିଭାଗ ଅଧୀନରେ ଥିବା ଡହ ଜଳଭଣ୍ଡାର। ସ୍ପଳ୍ପବୃଷ୍ଟି ଯୋଗୁ ଜଳଭଣ୍ଡାର ପାଣି କମ୍ ରହିଥିବା ବେଳେ ଗତ କିଛି ଦିନର ବର୍ଷାରେ ପୁଣି ଜଳଭଣ୍ଡାର ଭର୍ତ୍ତି ହେବାରେ ଲାଗିଛି। ବର୍ତ୍ତମାନ ପ୍ରାୟ ୯୦ ପ୍ରତିଶତ ଜଳପୂର୍ଣ୍ଣ ହୋଇଯାଇଛି। ଏଭଳିକି ଆଉ କିଛି ସମୟ ଲଗାତାର ବର୍ଷା ହେଲେ ଜଳଭଣ୍ଡାର ଶତପ୍ରତିଶତ ପୂର୍ଣ୍ଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଆଗକୁ ଆହୁରି ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ସର୍ତକ କରିଛି। ଏଭଳି ସ୍ଥିତିରେ ଜଳଭଣ୍ଡାରର ସୁରକ୍ଷା ପାଇଁ ଯେ‌କୌଣସି ମୁହୂର୍ତ୍ତରେ ଡହ ଜଳଭଣ୍ଡାରରୁ ନଦୀ ମଧ୍ୟକୁ ପାଣି ଛଡାଯାଇପାରେ। ତେଣୁ ଜଳଭଣ୍ଡାରର ନିମ୍ନ ଅବବାହିକା ସହ ନଦୀ କୂଳରେ ବସବାସ କରୁଥିବା ଜନସାଧାରଣ ସର୍ତ୍ତକତା ଅବଲମ୍ବନ କରିବା ପାଇଁ  ଜଳସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମରେ ସଚେତନ କରାଯିବା ସହ ସର୍ତକ ସୂଚନା ଜାରି କରାଯାଇଛି। ଡହ ଜଳଭଣ୍ଡାରରେ ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ଲୋହରାଖଣ୍ଡି ନଦୀ‌ ମଧ୍ୟକୁ ପାଣି ଛଡାଯିବା ନେଇ ନି‌ଷ୍ପତି କରାଯାଇଥିବା ବେଳେ ନଦୀରେ ଗାଧୋଇବା ପାର ହେବା ସମୟରେ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି। ଏଥିସହ ଗୃହପାଳିତ ପଶୁ ଓ ଛୋଟ ପିଲାମାନଙ୍କୁ ନଦୀକୁ ଯିବାକୁ ସଂପୂର୍ଣ୍ଣ ବାରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଭଞ୍ଜନଗର ଜଳ ସମ୍ପଦ ବିଭାଗ ବନ୍ୟା ନିୟନ୍ତ୍ରଣ କକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଡହ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୨୧୯୫.୦୦ ହେକ୍ଟୋ ମିଟର ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଳଭଣ୍ଡାରରେ ସର୍ବାଧିକ ୯୦ ପ୍ରତିଶତ ଅର୍ଥାତ୍‌ ୧୯୩୫.୦୦ ହେକ୍ଟୋମିଟର ପାଣି ରହିଥିବା ଜଳସେଚନ ବିଭାଗର ରେର୍କଡରୁ ଜଣାପଡିଛି। ସେହିପରି ଭଞ୍ଜନଗର ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୫୭୬୬.୦୦ ହେକ୍ଟ ମିଟର ରହିଥିବା ବେଳେ ଏବେ ୮୬.୮୧ ପ୍ରତିଶତ ତଥା ୫୦୦୫.୫୯ ହେକ୍ଟ‌ୋମିଟର ଜଳ ରହିଥିବା ରେର୍କଡ କରାଯାଇଛି। ବିଶେଷ କରି ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ତାର ପ୍ରଭାବରେ ଡହ ଜଳଭଣ୍ଡାର ଭର୍ତ୍ତି ହେବାରେ ଲାଗିଛି।

Leave A Reply

Your email address will not be published.