ନିଶ୍ଚିନ୍ତକୋଇଲି ୨୦.୯ : ନିଶ୍ଚିନ୍ତକୋଇଲି ବଜାରସ୍ଥ ସାପ୍ତାହିକ ହାଟ ଦୁଇ ବର୍ଷ ତଳେ ନବକଳେବର ହୋଇଥିଲା ବେଳେ ସାପ୍ତାହିକ ହାଟକୁ ଲାଗି ବହୁ ବର୍ଷ ପୂର୍ବରୁ ରହିଛି ମହାବୀର ହନୁମାନ ମନ୍ଦିର, ରଘୁନାଥଜୀଉ ମନ୍ଦିର, ମା’ ତାରିଣୀଙ୍କ ମନ୍ଦିର । ହାଟପରିସରଟି ଟାଇଲ ବିଛାଯାଇ ସଫା ସୁତୁରା ରଖାଯାଇଥିଲା ବେଳେ ବର୍ଷା ଜଳନିଷ୍କାସନ ପାଇଁ ଡ୍ରେନେଜର ସୁବିଧା ରହିଛି । କିନ୍ତୁ ସାମାନ୍ୟ ବର୍ଷା ହେଲେ ହାଟର ସମସ୍ତ ଜଳ ଉକ୍ତ ମନ୍ଦିର ନିକଟସ୍ଥ ଡ୍ରେନେଜ ଦେଇ ଯିବା କଥା । ହେଲେ ବର୍ଷା ଜଳ ନିଷ୍କାସନ ହେବା ପରିବର୍ତ୍ତେ ମନ୍ଦିର ସମ୍ମୁଖରେ ଜମିରହୁଥିବାର ଦେଖିବାକୁ ମିଳୁଛି । ଏପରିକି ହାଟର ସମସ୍ତ ପଚାସଢା ଦ୍ରବ୍ୟ ଡ୍ରେନେଜ ବାଟ ଦେଇ ଆସି ମନ୍ଦିର ସମ୍ମୁଖରେ ଜମି ରହିବାରୁ ଏକ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଫଳରେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତମାନେ ଦୁର୍ଗନ୍ଧମୟ ପରିବେଶରେ ପୂଜାର୍ଚ୍ଚନା କରି ଯିବା ସହ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଅପରପକ୍ଷରେ ସାପ୍ତାହିକ ହାଟ ହେଉଥିଲା ବେଳେ ବିଭିନ୍ନ ଅଂଚଳରୁ ବହୁ ବ୍ୟବସାୟୀ ଓ ଗ୍ରାହକମାନେ ହାଟକୁ ଆସୁଥିଲା ବେଳେ ଦୁର୍ଗନ୍ଧମୟ ପରିବେଶ ଯୋଗୁ ପ୍ରଶାସନ ଓ ପଂଚାୟତ କର୍ତ୍ତୃପକ୍ଷକୁ ଅଙ୍ଗୁଳିନିଦେ୍ର୍ଦଶ କରୁଛନ୍ତି । ଦୀର୍ଘ ଦିନ ହେଲା ହାଟ ମଧ୍ୟରେ ଯାଇଥିବା ଡ୍ରେନେଜଟି ପୋତି ହୋଇଯାଇଥିବା ବେଳେ ବର୍ଷାଜଳ ନିଷ୍କାସନ ପାଇଁ ସେପରି କିଛି ସୁବିଧା ନଥିବାର ଅନୁମେୟ ହେଉଛି । ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ହାଟ ପରିସର ମଧ୍ୟରେ ଥିବା ଡ୍ରେନେଜକୁ ପରିଷ୍କାର କରିବା ସହ ମନ୍ଦିର ସମ୍ମୁଖରେ ଜମି ରହୁଥିବା ବର୍ଷାଜଳ ନିଷ୍କାସନ ପାଇଁ ସୁବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।
Prev Post
Next Post