ପଥର ମାଫିଆ ଙ୍କ ଠାରୁ ମୁକୁଳିଲା ପାହାଡ଼

ଜୟପୁର: ପଥର ମାଫିଆଙ୍କ ହାତରୁ ମୁକୁଳିଛି ପାହାଡ଼। ପ୍ରଶାସନ ନିଜ ଅଧିନକୁ ଏହି ପାହାଡ଼କୁ ନେଇ ସୁନ୍ଦର ପାର୍କର ପରିକଳ୍ପନା କରି ଏହାର ନିର୍ମାଣ କାର୍ଯ୍ୟ ଜାରୀ ରହିଛି। ଜୟନ୍ତଗିରୀ ଆଦର୍ଶ ବିଦ୍ୟାଳୟ ଓ ବୋରିଗୁମ୍ମା ଭୈରବ ଡିଗ୍ରୀ ମହାବିଦ୍ୟାଳୟ ସମ୍ମୁଖରେ ଥିବା ପାହାଡ଼କୁ ପଥର ମାପିଆ ମାନେ କବଜା କରି ପଥର ବ୍ଲାଷ୍ଟ କରୁଥିଲେ। ଏପରିକି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଥିବା ସତ୍ବେ ଏବଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏହି ପାହାଡରେ ବେନିୟମଭାବେ ପଥର ବ୍ଲାଷ୍ଟ କରାଯାଉଥିଲା। ଏ ନେଇ ଅନେକ ଥର ,ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଜୟପୁର ଓ ବୋରିଗୁମ୍ମା ତହସିଲ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ଏହି ଅଂଚଳଟି ଜୟପୁର ତହସିଲ ଅର୍ନ୍ତଗତ ଜୟନ୍ତଗିରୀ ରାଜସ୍ବ ବିଭାଗ ସୀମା ର ସୀମାନ୍ତ ତଥା ବୋରିଗୁମ୍ମା ତହସିଲକୁ ଲାଗିକି ରହିଛି। ଉଭୟ ତହସିଲ ଚଢ଼ାଉ କରିବା ପରେ ଯେଉଁ ପଥର ମାଫିଆ ସୈରାତର ନିଲାମ ନେଇଥିଲେ ସେହି ସୈରାତ ପାହାଡ ସହ ଆଖ ପାଖର ସବୁ ପାହାଡ଼ରୁ ପଥର ବ୍ଲାଷ୍ଟ କରି ଓ ପଥର ବାହାର କରି ନେଇ ଯାଉଥିଲେ। ଉଭୟ ତହସିଲ ଏଭଳି ଅନିମିୟତତା ଜାଣିବା ପରେ ଉକ୍ତ ସୈରାତ ପାହଡ଼ର ନିଲାମକୁ ବାତିଲ କରିବା ସହ ଅନ୍ୟ ସବୁ ପାହାଡ଼ ନିଜ ଅଧିନକୁ ନେଇଥିଲେ।

ଏହି ପାହାଡଟି ଜୟପୁର ସୀମାନ୍ତକୁ ଲାଗି ବୋରିଗୁମ୍ମା ବ୍ଲକରେ ଥିବାରୁ ଏଠାରେ ସୁନ୍ଦର ପାର୍କ ନିର୍ମାଣ କରିବାକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବୋରିଗୁମ୍ମା ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା ପ୍ରସ୍ତାବ ଦେଇଥିଲେ। ଏହି କ୍ରମରେ ଏବେ ଏହି ପାହାଡ଼କୁ ବୋରିଗୁମ୍ମା ବ୍ଲକ ପ୍ରଶାସନ ନିଜ ଅଧିନକୁ ନେଇ ବିଶାଖାପାଟଣାରେ ଥିବା କୈଳାଶଗିରୀ ପାର୍କ ଭଳି ପାର୍କ ନିର୍ମାଣ କରାଯିବାର ଯୋଜନା କରିଛି। ଏନଏଚ ୨୬ରୁ ପାହଡ଼ର ଶୀର୍ଷଭାଗକୁ ଯିବା ପାଇଁ ଚଲାପଥ ଓ ଗାଡ଼ି ଯାଇ ତଳେ ପାର୍କିଂ କରିବାକୁ ରାସ୍ତା ନିର୍ମାଣ କରିଛି। ପାହାଡର ଶୀର୍ଷ ଭାଗରେ ୧୨ଫୁଟର ବିରାଟ ମହାପ୍ରଭୁ ଶିବ ଓ ପାର୍ବତୀଙ୍କ ମିଳିତ ବିଗ୍ରହ ଏବଂ ଶିବଙ୍କ ଜଟାରୁ ପାଣି ନିର୍ଗତ ହେଉଥିବା ଏଭଳି ମୂର୍ତ୍ତି ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି। ସେଭଳି ପାର୍କ ପରିସରରେ ଡାଇନସୋରର ଅଣ୍ଡାରୁ ବଡ ଡାଇନସୋର ଏବଂ ମୃତ ପରେ ତା କଙ୍କାଳ ଆଦିର ପ୍ରତିକୃତି ରଖାଯିବ। ଏହା ସାଙ୍ଗକୁ ପୁର୍ବେ ଆଦିମ ମଣିଷରୁ ଆଧୁନିକ ମଣିଷ ବିଭିନ୍ନ ସ୍ତରର ମୂର୍ତ୍ତି ବି ବସାଯିବ। ଏହା ସହ କାଫେ , ଫୁଲ ଗଛ, ଛୋଟ ପିଲା ମାନେ ଖେଳିବା ପାଇଁ ମୁକ୍ତ ପାର୍କ ଓ ଜଳକ୍ରୀଡାର ବ୍ୟବସ୍ଥା କରାଯାଇଛି।

ପୂର୍ବରୁ ଯେଉଁ ସବୁ ସ୍ଥାନରେ ପଥର ବ୍ଲାଷ୍ଟ କରିବା ପରେ ପଥର ବାହାର କରାଯାଇଥିଲା, ସେ ସ୍ଥାନରେ ବଡ ବଡ ଗାତ ହୋଇଥିଲେ ହେଁ ସେଠାରେ ସିମେଣ୍ଟ ପ୍ଲାଷ୍ଟରିଂ କରି ବିଭିନ୍ନ ଡିଜାଇନ୍ କରାଯାଇଛି। ସୁନ୍ଦର ନଡିଆ, ଗୁଆ ଗଛ ଠାରୁ ବିଭିନ୍ନ ଫୁଲ ଗଛ ବି ଲଗାଯାଉଛି। ସଂପୁର୍ଣ୍ଣ ପାହାଡ଼କୁ ସୁନ୍ଦର ଆଲୋକସଜ୍ଜା ସହ ଅତ୍ୟାଧୁନିକ ପାର୍କ ନିର୍ମାଣ କରାଯିବ ବୋଲି କହିଛନ୍ତି ଜୟପୁର ବିଧାୟକ। ପ୍ରାପ୍ତ ସୂଚନା ମୁତାବକ ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ଏହାର ସଂପୁର୍ଣ୍ଣ ନିର୍ମାଣ ହେବ। ଏଥିରୁ ବିଧାୟକ ନିଜ ପାଣ୍ଠି ସହ ସରକାରଙ୍କ ବିଭିନ୍ନ ଯୋଜନାକୁ ସମ୍ମିଳିତ କରି ଏହି ପାର୍କ ନିର୍ମାଣ କରୁଥିବା ସୂଚନା ମିଳିଛି। ଏହା ସହ ତଳେ ଥିବା ପଡ଼ିଆରେ ବିଭିନ୍ନ ଖେଳକୁଦର ବି ଆୟୋଜନ କରାଯିବ। ସେଭଳି ଏହି ପାର୍କର ପରିଚାଳନା ଦାୟିତ୍ବ ମହିଳା ସ୍ବୟଂ ସହାୟକ ଦଳକୁ ଦିଆଯିବ। ସେମାନେ ଏହାର ରକ୍ଷଣାବେକ୍ଷଣ ଓ ଦେଖାରଖା ପାଇଁ ଟିକେଟ କରାଯିବ। ପାର୍କ ଆଗାମୀ ଦିନରେ ପର୍ଯ୍ୟଟକଙ୍କୁ ଅଧିକା ଆକୃଷ୍ଟ କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.