‘ସଂକଳ୍ପ ସପ୍ତାହ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ମଣ୍ଡପମ୍ ଠାରେ ଦେଶର ଆକାଂକ୍ଷୀ ବ୍ଲକମାନଙ୍କ ପାଇଁ ‘ସଂକଳ୍ପ ସପ୍ତାହ’ ନାମକ ଏକ ଅନନ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆକାଂକ୍ଷୀ ବ୍ଲକ ପ୍ରୋଗ୍ରାମ ପୋର୍ଟାଲର ଶୁଭାରମ୍ଭ କରିବା ସହ ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ସେ ଉଦ୍‌ଘାଟନ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ, ଜାମ୍ମୁ କାଶ୍ମୀର ଓ ମେଘାଳୟର ୩ ଜଣ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

ସଭାକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ‘ଭାରତ ମଣ୍ଡପମ୍‌’ ଏବଂ ‘ସମାବେଶରେ ଥିବା ଲୋକ ମାନଙ୍କ’ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁମାନେ ଦୂରଦୂରାନ୍ତ ଅଞ୍ଚଳରେ ବିକାଶର ଯତ୍ନ ନେଉଛନ୍ତି ।

ଏହା ସରକାରଙ୍କ ଚିନ୍ତାଧାରାର ସଙ୍କେତ ଯେ ଜି – ୨୦ ଶିଖର ସମ୍ମିଳନୀ ସ୍ଥଳରେ ଏଭଳି ଏକ ସମାବେଶ ହେଉଛି, ଯେଉଁଠାରେ ବିଶ୍ୱ ବ୍ୟାପାରର ଦିଗ ନିର୍ଦ୍ଧାରଣ କରୁଥିବା ଲୋକମାନେ ମାସକ ପୂର୍ବରୁ ଏକାଠି ହୋଇଥିଲେ । ତୃଣମୂଳ ସ୍ତରର ପରିବର୍ତ୍ତନକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ମୋ ପାଇଁ ଏହି ସମାବେଶ ଜି – ୨୦ ସମ୍ମିଳନୀ ଠାରୁ କମ୍ ନୁହେଁ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମ ଟିମ୍ ଇଣ୍ଡିଆର ସଫଳତା ଏବଂ ସମସ୍ତଙ୍କ ପ୍ରୟାସର ଭାବନାର ପ୍ରତୀକ ବୋଲି ସେ କହିଛନ୍ତି । ଭାରତର ଭବିଷ୍ୟତ ପାଇଁ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିରେ ‘ସଂକଳ୍ପ ସେ ସିଦ୍ଧି’ (ସଙ୍କଳ୍ପ ଦ୍ୱାରା ସିଦ୍ଧିପ୍ରାପ୍ତି) ଅନ୍ତର୍ନିହିତ ।

ସ୍ୱାଧୀନ ଭାରତର ଶ୍ରେଷ୍ଠ ୧୦ଟି କାର୍ଯ୍ୟକ୍ରମ ମଧ୍ୟରୁ ଯେକୌଣସି ତାଲିକାରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସୁବର୍ଣ୍ଣ ଅକ୍ଷରରେ ସ୍ଥାନ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ୧୧୨ ଟି ଜିଲ୍ଲାର ପ୍ରାୟ  ୨୫ କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଏହି କାର୍ଯ୍ୟକ୍ରମର ସଫଳତା ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମର ଆଧାର ପାଲଟିଛି ବୋଲି ସେ କହିଛନ୍ତି ଏବଂ ଏହି କାର୍ଯ୍ୟକ୍ରମ ପାଇଁ ବିଶ୍ୱସ୍ତରୀୟ ପ୍ରଶଂସା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ କେବଳ ଏହି ଯୋଜନା ଅଭୂତପୂର୍ବ ହୋଇଥିବାରୁ ନୁହେଁ ବରଂ ଏଥିପାଇଁ କାର୍ଯ୍ୟ କରୁଥିବା ଲୋକମାନେ ବିସ୍ମୟଜନକ ହୋଇଥିବାରୁ ଏହା ଏକ ବିରାଟ ସଫଳତା ପାଇବା ନିଶ୍ଚିତ ।

କିଛି ସମୟ ପୂର୍ବରୁ ୩ ଜଣ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ତାଙ୍କର ବାର୍ତ୍ତାଳାପକୁ ମନେ ପକାଇ ପ୍ରଧାନମନ୍ତ୍ରୀ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଲୋକଙ୍କ ମନୋବଳ ଦେଖି ତାଙ୍କ ଆତ୍ମବିଶ୍ୱାସ ବହୁଗୁଣିତ ହୋଇଛି ବୋଲି ଉଲ୍ଲେଖ କରିଥିଲେ । ତୃଣମୂଳ ସ୍ତରର ଅଧିକାରୀ ମାନଙ୍କୁ ସେମାନଙ୍କ ଟିମ୍‌ର ସଦସ୍ୟ ଭାବେ ନେଇ କାମ କରିବାକୁ ଚାହୁଁଛନ୍ତି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିବା ସହ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ସମୟ ପୂର୍ବରୁ ହାସଲ ହୋଇଯିବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଉପରେ ସେ ତୀକ୍ଷ୍ଣ ନଜର ରଖିବେ,  କାରଣ ସେ ସେମାନଙ୍କ ଦକ୍ଷତା ପରୀକ୍ଷା କରିବାକୁ ଚାହାଁନ୍ତି ନାହିଁ ବରଂ ତୃଣମୂଳ ସ୍ତରରେ ସଫଳତା ତାଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ଅଧିକ ଶକ୍ତି ଏବଂ ଉତ୍ସାହ ପ୍ରଦାନ କରିଥାଏ । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଅଗ୍ରଗତି ଚାର୍ଟ ମୋ ପାଇଁ ପ୍ରେରଣା ପାଲଟିଛି ବୋଲି ସେ କହିଛନ୍ତି ।

ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମର ତୃତୀୟ ପକ୍ଷ ମୂଲ୍ୟାୟନକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମର ସରଳ ରଣନୀତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶାସନର ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ଗୁଡିକର ମୁକାବିଲା କରିବା ପାଇଁ ଏଗୁଡ଼ିକ ଶିକ୍ଷା ଅଟେ । ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ସମସ୍ତ ଅଞ୍ଚଳ ଏବଂ କ୍ଷେତ୍ରର ଯତ୍ନ ନିଆଯିବା ଉଚିତ୍ ।

 ସର୍ବାଙ୍ଗୀନ ବିକାଶ, ସମସ୍ତଙ୍କୁ ଛୁଇଁବା ଭଳି ବିକାଶ , ସମସ୍ତଙ୍କୁ ଉପକୃତ କରିବା ଭଳି ବିକାଶର ଅନୁପସ୍ଥିତି ସଂଖ୍ୟାତ୍ମକ ବିକାଶ ପ୍ରଦର୍ଶିତ କରିପାରେ,  କିନ୍ତୁ ଏଥିରେ ମୌଳିକ ବିକାଶ ହୋଇ ନଥାଏ ।  ସେଥିପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ପ୍ରତ୍ୟେକ ତୃଣମୂଳ ସ୍ତରର ମାନଦଣ୍ଡକୁ ଅନ୍ତର୍ଭୁକ୍ତ କରି ଆଗକୁ ବଢ଼ିବା ଉଚିତ୍ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ବିଭାଗୀୟ ସଚିବ ମାନଙ୍କୁ ଦୁଇଟି ନୂତନ ଦିଗ, ଯଥା – ପ୍ରତ୍ୟେକ ରାଜ୍ୟର ଦ୍ରୁତ ବିକାଶ ଏବଂ ପଛୁଆ ଜିଲ୍ଲା ଗୁଡ଼ିକୁ ସମ୍ଭାଳିବା ପାଇଁ  କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଦେଶର ୧୦୦ଟି ବ୍ଲକ୍‌କୁ ଚିହ୍ନଟ କରିବାକୁ ସେ ସେମାନଙ୍କୁ ଆହ୍ୱାନ ଦେଇଥିଲେ, ଯାହା ନିଜ ନିଜ ବିଭାଗରେ ପଛରେ ରହିଛି ଏବଂ ଏହି ସ୍ଥିତିରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବାକୁ ସେ ସେମାନଙ୍କୁ କହିଥିଲେ । ଚିହ୍ନଟ ହୋଇଥିବା ୧୦୦ଟି ବ୍ଲକ୍ ଦେଶର ହାରାହାରି ସ୍ତର ଠାରୁ ଅଧିକ ହେବା ପରେ ବିକାଶର ସମସ୍ତ ମାନଦଣ୍ଡ ବଦଳିଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

 ଉନ୍ନତିର ଅବକାଶ ଥିବା ବ୍ଲକ୍‌ର ବିକାଶ ଉପରେ କେନ୍ଦ୍ରର ସମସ୍ତ ବିଭାଗ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୧୦୦ଟି ଅତି ପଛୁଆ ଗ୍ରାମକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଉନ୍ନତ କରିବା ପାଇଁ ଏକ ମଡେଲ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ ଯାହାକୁ ପରବର୍ତ୍ତୀ ୧୦୦୦ ଗ୍ରାମର ବିକାଶ ପାଇଁ ଆହୁରି ଅନୁକରଣ କରାଯାଇପାରିବ ।

୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ପ୍ରୟାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିତ ହେବାର ଅର୍ଥ ବିକଶିତ ମହାନଗର ଏବଂ ପଛୁଆ ଗ୍ରାମ ଗୁଡିକ ନୁହେଁ । “ଆମେ ସେହି ମଡେଲକୁ ଅନୁସରଣ କରୁନାହୁଁ, ଆମେ ୧୪୦ କୋଟି ଲୋକଙ୍କ ସହିତ ଯିବାକୁ ଚାହୁଁଛୁ” ବୋଲି ସେ କହିଥିଲେ ।

ସେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ସମୟରେ ଜିଲ୍ଲା ମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଗୁଜରାଟର କଚ୍ଛ ଜିଲ୍ଲାର ଉଦାହରଣ ଦେଇଥିଲେ,  ଯାହା ଏକଦା ଅଧିକାରୀମାନଙ୍କ ପାଇଁ ଦଣ୍ଡ ସ୍ୱରୂପ ପୋଷ୍ଟିଂ ପାଇଁ ଏକ ସ୍ଥାନ ଭାବରେ ବିବେଚନା କରାଯାଉଥିଲା କିନ୍ତୁ ଭୂମିକମ୍ପ ପରେ ସେଠାରେ ନିୟୋଜିତ ଅଧିକାରୀ ମାନଙ୍କ ନିଷ୍ଠା ଏବଂ ପରିଶ୍ରମ ଯୋଗୁଁ ବର୍ତ୍ତମାନ ଏହା ସବୁଠାରୁ ସମ୍ମାନଜନକ ସ୍ଥାନ ପାଲଟିଛି । ଦେଶର ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ହୋଇଥିବା ବିକାଶ ପାଇଁ ସେ ଯୁବ ଅଧିକାରୀ ମାନଙ୍କୁ ଶ୍ରେୟ ଦେଇଛନ୍ତି । ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ବ୍ଲକ୍ ସ୍ତରରେ ସଫଳ ହୋଇଥିବା ଅଧିକାରୀ ମାନଙ୍କୁ ଉତ୍ସାହିତ କରି ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସରକାରଙ୍କ ବଜେଟର କେବଳ ଉତ୍ପାଦନ ଅଭିମୁଖୀତାରୁ ପରିଣାମ ଆଡକୁ ପରିବର୍ତ୍ତିତ ହେବା  ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ଏହା ଦ୍ୱାରା ଗୁଣାତ୍ମକ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି । ଶାସନର ଅନେକ ଅଭିଜ୍ଞତାରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଜେଟ୍ ପରିବର୍ତ୍ତନର ଏକମାତ୍ର କାରଣ ନୁହେଁ । ବିନା ବଜେଟରେ ସମ୍ବଳର ସର୍ବୋତ୍ତମ ଉପଯୋଗ ଓ ସମନ୍ୱୟ ବିକାଶର ଆଧାର ବୋଲି ସେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଯୋଜନା ଗୁଡ଼ିକର ସମନ୍ୱୟ ଏବଂ ପରିପୂରକତାକୁ ଉପଯୋଗ କରାଯିବା ଉଚିତ୍ ।

ଉତ୍ତମ ପ୍ରଦର୍ଶନ ଦିଗ ଗୁଡିକ ଏବଂ ସେମାନଙ୍କ ଆଡକୁ  ସମ୍ବଳ ଗୁଡିକୁ ପ୍ରେରିତ କରିବାର ପରିଣତି ଉପରେ ଅତ୍ୟଧିକ ନିର୍ଭରଶୀଳତାର ତ୍ରୁଟି ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ସମ୍ବଳକୁ ପ୍ରଚୁର ପରିମାଣରେ ଠେଲିଦେଲେ ଅପଚୟ ହେଉଥିବା ବେଳେ ଆବଶ୍ୟକତା ଥିବା ସ୍ଥାନକୁ ଦିଆଗଲେ ଉପଯୋଗ ବହୁତ ଭଲ ହୋଇଥାଏ । ଅଭାବୀ ଅଂଚଳ ଉପରେ ବିଶେଷ ଧ୍ୟାନ ଦେଇ ସମ୍ବଳକୁ ସମାନ ଭାବରେ ବଣ୍ଟନ କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ଉପରେ ନିର୍ଭରଶୀଳତାର ମାନସିକତାରୁ ବାହାରକୁ ବାହାରି ଆସିବା ଉପରେ ଗୁରୁତ୍ୱାରୋପ କରିବା ସହ ମହାନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସମାଜର ଶକ୍ତି ଉପରେ ଆଲୋକପାତ କରିଥିଲେ । ‘ଜନ ଭାଗିଦାରୀ’ର ଆବଶ୍ୟକତା ବିଷୟରେ କହିବା ସହ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ କ୍ଷେତ୍ରରେ ଜଣେ ନେତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ‘ସଂକଳ୍ପ ସପ୍ତାହ’ କାର୍ଯ୍ୟକ୍ରମରେ ଦଳୀୟ ଭାବନା ସୃଷ୍ଟି ହେଉଥିବା ଦିଗ ଉପରେ ଆଲୋକପାତ କରିଥିଲେ , ଯାହା ଜନ ଭାଗିଦାରୀ ପାଇଁ ନେତା ଏବଂ ନୂତନ ଚିନ୍ତାଧାରାର ଆବିର୍ଭାବ ଆଣିବ ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମାଜ ଏକାଠି ହୋଇ ପରସ୍ପରକୁ ସହଯୋଗ କରିବାର ଉଦାହରଣ ଦେଇଥିଲେ । ଜନସାଧାରଣଙ୍କ ଭାଗିଦାରୀ ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ବ୍ଲକ୍ ସ୍ତରରେ ସାମୂହିକ ଭାବେ କାର୍ଯ୍ୟ କରିବା ଉପରେ ଆଲୋକପାତ କରିବା ସହ ଆଞ୍ଚଳିକ ଅନୁଷ୍ଠାନର ବାର୍ଷିକୀ ପାଳନ ଏବଂ ପୁଷ୍ଟିହୀନତା ଦୂର କରିବା ପାଇଁ ଏଭଳି ଅବସରରେ ସ୍କୁଲ ପିଲାଙ୍କୁ ଖାଦ୍ୟ ବଣ୍ଟନର ଉଦାହରଣ ଦେଇଥିଲେ ସମସ୍ୟାର ସମାଧାନ ଖୋଜିବାରେ ଜନଭାଗିଦାରୀ କିମ୍ବା  ଲୋକଙ୍କ ଭାଗିଦାରୀର ଯଥେଷ୍ଟ କ୍ଷମତା ରହିଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।

ସେହିଭଳି ଦେଶର ବୃଦ୍ଧି ପାଉଥିବା ବୈଶ୍ୱିକ ପ୍ରୋଫାଇଲରେ ପ୍ରବାସୀ ମାନଙ୍କର ଭୂମିକା ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ ସାମାଜିକ ଅଂଶଗ୍ରହଣର ଶକ୍ତିକୁ ବର୍ଣ୍ଣନା କରିଥିଲେ, କାରଣ ସେମାନଙ୍କ ସକ୍ରିୟତା ସରକାରଙ୍କ କୂଟନୈତିକ ପ୍ରୟାସକୁ ସମର୍ଥନ କରିଛି । ସଂକଳ୍ପ ସପ୍ତାହର ସର୍ବାଧିକ ଉପଯୋଗ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିନିଧ ôମାନଙ୍କୁ କହିଥିଲେ । ଅଧିକରୁ ଅଧିକ ପ୍ରଭାବ ପାଇଁ ସମ୍ବଳ ସଂଗ୍ରହ ଏବଂ ପ୍ରୟାସକୁ କେନ୍ଦ୍ରୀଭୂତ କରିବାକୁ ସେ ସେମାନଙ୍କୁ କହିଥିଲେ । ଏହା ଦ୍ୱାରା ତୃଣମୂଳ ସ୍ତରର ସମସ୍ୟା ଦୂର ହେବା ସହ ସରକାରଙ୍କ ସମଗ୍ର ଆଭିମୁଖ୍ୟ ସୃଷ୍ଟି ହେବ ।

Leave A Reply

Your email address will not be published.