ଭୁବନେଶ୍ୱର : ଗୋଟିଏ ବର୍ଷରେ ରାଜ୍ୟରେ ୧୭ଟି ମଦଦୋକାନ ସ୍ଥାନାନ୍ତର ହୋଇଥିବାବେଳେ ଆଉ ୪୪ଟି ସ୍ଥାନାନ୍ତର ଅପେକ୍ଷାରେ ରହିଛି । ଏଥିରୁ ୧୦ଟିର ନିଷ୍ପତ୍ତି ରାଜ୍ୟ ଅବକାରୀ କମିଶନରଙ୍କ ନିକଟରେ ପଡି ରହିଛି ।
ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପଚାରିଥିବା ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ମଦ ଦୋକାନ ଏକ ମଞ୍ଜୁର ପ୍ରାପ୍ତ ଅଞ୍ଚଳରୁ ଅନ୍ୟ ଏକ ସମ୍ପୂର୍ଣ୍ଣ ନୂତନ ଅଞ୍ଚଳକୁ ସ୍ଥାନାନ୍ତରଣ ନିମନ୍ତେ ଓଡିଶା ଅବକାରୀ ନିମୟ, ୨୦୧୭ ର ଧାରା ୫୩ରେ ବ୍ୟବସ୍ଥା ରହିଛି ।
ତନୁଯାୟୀ ଗତ ଏକ ବର୍ଷ ମଧ୍ୟରେ କେନ୍ଦୁଝର, ଭୁବନେଶ୍ୱର, କଟକ, ବରଗଡ, ବଲାଙ୍ଗିର, ବ୍ରହ୍ମପୁର, ଗଞ୍ଜାମ, ଜଗତସିଂହପୁର, ମାଲକାନଗିରି ଓ ନୂଆପଡା ଅବକାରୀ ଜିଲ୍ଲାରେ ମୋଟ୍ ୧୭ଟି ମଦଦୋକାନ ସ୍ଥାନାନ୍ତର ହୋଇଛି । ଏଥି ମଧ୍ୟରେ ବିଦେଶୀ ମଦନୋକାନ, ଦେଶୀ ଭାଟି ଓ ବିୟର ପାର୍ଲର ଆଦି ରହିଛି । ସେହିଭଳି ଜିଲ୍ଲା ସ୍ତରରେ ୩୪ଟି ମଦଦୋକାନ ସ୍ଥାନାନ୍ତର ପାଇଁ ପ୍ରସ୍ତାବ ଥିବାବେଳେ ରାଜ୍ୟ ସ୍ତରରେ ୧୦ଟି ଦୋକାନ ସ୍ଥାନାନ୍ତର ପ୍ରସ୍ତାବ ଅବକାରୀ କମିଶନରଙ୍କ ନିକଟରେ ପଡି ରହିଛି ।
ଜିଲ୍ଲା ସ୍ତରରେ ସ୍ଥାନାନ୍ତର ପାଇଁ ଥିବା ୩୪ଟି ମଦଦୋକାନ ମଧ୍ୟରୁ ଯାଜପୁର ଓ କେନ୍ଦୁଝରରେ ସର୍ବାଧିକ ୪ଟି କରି ଥିବାବେଳେ କେନ୍ଦ୍ରାପଡାରେ ୩ଟି ରହିଛି । ବ୍ରହ୍ମପୁର, ଭୁବନେଶ୍ୱର, ଜଗତ୍ସିଂହପୁର, ଖୋରଧା, ମୟୁରଭଞ୍ଜ ଓ ରାୟଗଡାରେ ୨ଟି କରି ରହିଛି । ଅନୁଗୁଳ, ବାଲେଶ୍ୱର, ବରଗଡ, କଟକ, ଗଞ୍ଜାମ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନୂଆପଡା ଓ ପୁରୀରେ ଗୋଟିଏ କରି ରହିଛି ।
ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ର ଅବାକରୀ ନୀତି ଅନୁଯାୟୀ ଠପି ବନ୍ଦ ବିଦେଶୀ ମଦ ଦୋକାନ, ଠିପି ଖୋଲା ବିଦେଶୀ ମଦ ଦୋକାନ, ତଥା ସ୍ଥାନାନ୍ତର ନିମନ୍ତେ ୨.୫୦ଲକ୍ଷ ଟଙ୍କା ସ୍ଥାନାନ୍ତର, ଦେଶୀ ମଦ ଭାଟି ସ୍ଥାନାନ୍ତର ପାଇଁ ୨.୫୦ଲକ୍ଷ ଟଙ୍କା ତଥା ଦେଶୀ ମଦ ଦୋକାନ ନିମନ୍ତେ ୭୫ହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି । ତେଣୁ ଏହି କାର୍ଯ୍ୟ ପାଇଁ ରାଜ୍ୟ ସରକାର କୌଣସି ରାଜସ୍ୱ ହରାଉନଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।
ସେହିଭଳି ଅବକାରୀ ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ମଦ ଦୋକାନଗୁଡିକ ସ୍ଥାନାନ୍ତର ପାଇଁ ଚିହ୍ନଟ ହୋଇଥିବା ଅଞ୍ଚଳଟି ବିବାଦମୁକ୍ତ ଓ ଆପତ୍ତିବିହୀନ ହୋଇଥିବା ଜରୁରୀ । ଏହାଛଡା ସମ୍ପୃକ୍ତ ସ୍ଥାନଟି ହୋଇନଥିବ ଏବଂ ଜାତୀୟ ରାଜପଥର ୨୨୦ ମିଟର ଓ ରାଜ୍ୟ ରାଜପଥର ୫୦୦ ମିଟର ଠାରୁ ଦୂରରେ ଥିବା ଆବଶ୍ୟକ ।