‘ମୋ ଘର’ ଯୋଜନା; ୩୮ହଜାର ଆବେଦନ ନାକଚ

ଭୁବନେଶ୍ୱର : ‘ମୋ ଘର’ ଯୋଜନାରେ ଘରଟିଏ ପାଇବା ପାଇଁ ସୁପାରିଶ୍‍ ହୋଇଥିବା ଆବେଦନ ମଧ୍ୟରୁ ୩୮ହଜାର ଦରଖାସ୍ତକୁ ବ୍ୟାଙ୍କମାନେ ନାକଚ କରିଦେଇଛନ୍ତି । ଏଥିମଧ୍ୟରୁ ଭାରତୀୟ ଷ୍ଟେଟବ୍ୟାଙ୍କ ସର୍ବାଧିକ ୫୭୮୫ଟି ଆବେଦନ ନାକଚ କରିଛି ।

ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ମୋ ଘର ଯୋଜନାରେ ଆଗାମୀ ୨ବର୍ଷ ମଧ୍ୟରେ ୪ଲକ୍ଷ ଘର ପାଇଁ ଋଣ ମଞ୍ଜୁର କରାଇ ସବ୍‍ସିଡି ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ଚଳିତ ଆର୍ଥିକ ବର୍ଷ ଲାଗି ୧୦୦କୋଟି ଟଙ୍କାର ବ୍ୟବସ୍ଥା ରହିଛି ।

ତେବେ ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା ମୋ ଘର ଯୋଜନାରେ ରାଜ୍ୟରେ ୧,୫୬, ୧୪୯ଟି ଦରଖାସ୍ତକୁ ବ୍ଲକ ଗୁଡିକ ସୁପାରିଶ କରି ବିଭିନ୍ନ ବ୍ୟାଙ୍କକୁ ପଠାଇଛନ୍ତି । ମୋଟ ୪୭ଟି ରାଷ୍ଟ୍ରାୟତ, ଘରୋଇ ଓ ସମବାୟ ବ୍ୟାଙ୍କକୁ ଏହି ଦରଖାସ୍ତ ଯାଇଥିବାବେଳେ ଏଥିମଧ୍ୟରେ ସର୍ବାଧିକ ୫୦, ୦୫୨ ଦରଖାସ୍ତ ଭାରତୀୟ ଷ୍ଟେଟବ୍ୟାଙ୍କକୁ ଯାଇଛି । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ୧୬, ୧୭୫, ୟୁକୋ ବ୍ୟାଙ୍କକୁ ୧୦, ୬୧୬ ଓ କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କକୁ ୧୦, ୫୦୪ଟି ଦରଖାସ୍ତ ପଠାଯାଇଛି । ତେବେ ଓଡ଼ିଶାରେ ଥିବା ଡିବିଏସ୍‍ ବ୍ୟାଙ୍କ, ଫିନୋ ବ୍ୟାଙ୍କ, ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଓ ଏସ୍‍ ବ୍ୟାଙ୍କକୁ ଗୋଟିଏ କରି ଦରଖାସ୍ତ ପଠାଯାଇଛି ।

୫୦ହଜାର ଦରଖାସ୍ତ ମଧ୍ୟରୁ ବ୍ୟାଙ୍କମାନେ ମାତ୍ର ୧୦୨୫ଟି ଦରଖାସ୍ତକୁ ଋଣ ମଞ୍ଜୁର କରିଛନ୍ତି । ଏଥିମଧ୍ୟରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସର୍ବାଧିକ ୩୩୮ଟି ଋଣ ଦେଇଥିବାବେଳେ ପୁରୀ-ନିମାପଡ଼ା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ୨୧୮ଟି ଓ ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ୧୩୦ଟି ମୋ ଘର ଯୋଜନାକୁ ଋଣ ମଞ୍ଜୁର କରିଛନ୍ତି । ୫ହଜାରରୁ ଅଧିକ ଦରଖାସ୍ତ ନାକଚ କରିଥିବା ଏସ୍‍ବିଆଇ ମାତ୍ର ୫୮ଟି ଋଣ ଦେଇଥିବାବେଳେ ବ୍ୟାଙ୍କ ଅଫ୍‍ ବରୋଦା, ଆଇଡିବିଆଇ ବ୍ୟାଙ୍କ, ଆକ୍ସିସ୍‍ ବ୍ୟାଙ୍କ, ଏଚ୍‍ଡିଏଫ୍‍ସି ବ୍ୟାଙ୍କ, ଫେଡେରାଲ୍‍ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ, ବ୍ୟାଙ୍କ ଅଫ୍‍ ମହାରାଷ୍ଟ୍ର, ପଞ୍ଜାବ ଆଣ୍ଡ ସିନ୍ଧ୍‍ ବ୍ୟାଙ୍କ, ଡିସିବି ବ୍ୟାଙ୍କ, ଇଣ୍ଡସ୍‍ଇଣ୍ଡ ବ୍ୟାଙ୍କ, ଆଇଡିଏଫ୍‍ସି ଫାଷ୍ଟ ବ୍ୟାଙ୍କ, କର୍ଣ୍ଣାଟକ ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ଉଜ୍ଜୀବନ ସ୍ମଲ୍‍ ଫାଇନାନ୍ସ ବ୍ୟାଙ୍କ, ଡିବିଏସ୍‍ ବ୍ୟାଙ୍କ, ଫିନୋ ବ୍ୟାଙ୍କ, ଏସ୍‍ ବ୍ୟାଙ୍କ ଓ ସୂର୍ଯ୍ୟୋଦୟ ସ୍ମଲ୍‍ ଫାଇନାନ୍ସ ବ୍ୟାଙ୍କ ଗୋଟିଏ ହେଲେ ଋଣ ମଞ୍ଜୁର କରିନାହାନ୍ତି ।

ସୁପାରିସ ଦରଖାସ୍ତ ମଧ୍ୟରୁ ୧,୧୭,୦୮୯ଟି ଦରଖାସ୍ତ ଏବେ ବ୍ୟାଙ୍କରେ ଯାଞ୍ଚ ପ୍ରକ୍ରିୟାରେ ରହିଛି । ଏସ୍‍ବିଆଇ ନିକଟରେ ୪୪ହଜାରରୁ ଅଧିକ ଦରଖାସ୍ତ ଯାଞ୍ଚ ପ୍ରକ୍ରିୟାରେ ଥିବାବେଳେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କ ନିକଟରେ ୧୦ହଜାରରୁ ଅଧିକ ଦରଖାସ୍ତର ଯାଞ୍ଚ ହେଉଛି । ତେବେ ୧୦ରୁ କମ୍‍ ଦରଖାସ୍ତ ପଠାଯାଇଥିବା ଏପରିକି ଗୋଟିଏ କରି ଦରଖାସ୍ତ ପାଇଥିବା ବ୍ୟାଙ୍କମାନେ ମଧ୍ୟ ଋଣ ନଦେଇ ଯାଞ୍ଚ କରୁଛନ୍ତି । ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କ ବି ଏହି ତାଲିକାରେ ରହିଛି । ଏଠାକୁ ୧୨୫୧ ଦରଖାସ୍ତା ଯାଇଥିବାବେଳେ ବ୍ୟାଙ୍କ ଗୋଟିଏ ହେଲେ ଋଣ ଦେଇନାହିଁ ଏବଂ ୨୮୨ଟି ଦରଖାସ୍ତକୁ ନାକଚ କରିଦେଇଛି ।

ରାଜ୍ୟ ସରକାର ଚଳିତବର୍ଷ ମୋ ଘର ଯୋଜନାରେ ଯେଉଁ ୨ଲକ୍ଷ ଘର ସକାଶେ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ସେଥିମଧ୍ୟରେ ଗଞ୍ଜାମରେ ସର୍ବାଧିକ ୧୫, ୬୮୮ଟି ଘର ଥିବାବେଳେ କଟକରେ ୧୧,୨୮୫, ମୟୂରଭଞ୍ଜରେ ୧୦, ୬୭୭, ଖୋର୍ଦ୍ଧାରେ ୧୦, ୫୦୧ଟି ଘର ରହିଛି । ସବୁଠାରୁ କମ୍‍ ୨୦୦୯ଟି ଘର ଦେବଗଡ଼ ଜିଲ୍ଲା ପାଇଁ ଥିବାବେଳେ ବୌଦ୍ଦରେ ଏହା ୨୧୪୧ ଓ ମାଲକାନଗିରି ପାଇଁ ୨୪୮୭ଟି ରହିଛି ।

Leave A Reply

Your email address will not be published.