ଧାମନଗର, ୩/୧୦ ଦୋବଲ ଅଞ୍ଚଳର ଦିବ୍ୟାଙ୍ଗ କରୁଣାକର ସାହୁଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଦୋବଲ ବଜାର କମିଟି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ସୋମବାର ସଂଧ୍ୟାରେ ଦୋବଲ ବଜାର କମିଟିରୁ ୨୦ରୁ ୨୫ଜଣ ସଦସ୍ୟ ଧାମନଗର ଥାନାରେ ପହଞ୍ଚି ଆଇଆଇସି ଫନୀନ୍ଦ୍ର ଭୂଷଣ ନାଇକଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏହାସହ ଆଜି ଭଦ୍ରକ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ମିଳିତ ଅଭିଯୋଗ ଶୁଣାଣିରେ ଏନେଇ ଅଭିଯୋଗ କରିଛନ୍ତି। ଦିବ୍ୟାଙ୍ଗ କରୁଣାକରଙ୍କ ବିରୋଧରେ ତଦନ୍ତ କରି ପଦକ୍ଷେପ ନେବାଲାଗି ଆଇଆଇସି ପ୍ରତିଶ୍ରୁତି ଦେଇଥିଲେ। ସେପଟେ ଆଜି ଜିଲ୍ଲାପାଳ ଓ ଏସପି ଏନେଇ ଧାମନଗର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ତଦନ୍ତ କରି ପଦକ୍ଷେପ ନେବାକୁ କହିଛନ୍ତି।
ବଜାର କମିଟିର ଅଭିଯୋଗ ଅନୁସାରେ, ଏକ ଜମିବାଡ଼ି ବିବାଦକୁ ନେଇ ଘର ପାଖର ଲୋକଙ୍କ ଆକ୍ରମଣରେ କିଛି ବର୍ଷ ପୂର୍ବରୁ କରୁଣାକର ଗୋଡ଼ ହରାଇଥିଲେ। ଏହାପରେ ସେ ସରକାରଙ୍କ ନିୟମ ଅନୁସାରେ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଥିଲେ। ଯେବେଠୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଲେଣି, ସେବେଠାରୁ ସରକାରଙ୍କ ପକ୍ଷରୁ ଥିବା ସମସ୍ତ ସୁବିଧା ନେବାକୁ ସେ ପ୍ରୟାସ କରି ଆସୁଛନ୍ତି। ଏହାସହ ଦିବ୍ୟାଙ୍ଗଙ୍କ ପାଇଁ ଥିବା ଆଇନକୁ ଢାଲ କରି ଲୋକଙ୍କ ଉପରେ ଜୁଲମ କରି ଚାଲିଛନ୍ତି। ଦିନକୁ ଦିନ ତାଙ୍କ ବ୍ୟବହାରରେ ଦୋବଲ, ମୁସ୍ତଫାପୁର, ଧାମନଗର ବ୍ଲକ ଏପରିକି ଭଦ୍ରକ ଜିଲ୍ଲା ହେଡକ୍ବାର୍ଟର ଅଞ୍ଚଳରେ ଲୋକେ ଅତିଷ୍ଠ ହୋଇଗଲେଣି।
ଦିବ୍ୟାଙ୍ଗ ହୋଇଥିବାରୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଓ ସମସ୍ତ ସୁବିଧା ନେବା ଲାଗି ସେ ଗୋଟିଏ ମାନସିକତା ନିଜ ଭିତରେ ତିଆରି କରି ଦେଇଛନ୍ତି। ଏଣୁ ଏଥିରେ ବ୍ୟତିକ୍ରମ ହେଲେ ସେ ଭୟଙ୍କର ହୋଇ ଉଠୁଛନ୍ତି। ଅନ୍ୟକୁ ହଇରାଣ ହରକତ କରୁଛନ୍ତି। ସାଧାରଣତଃ କୌଣସି ଦୋକାନକୁ ଆସିଲେ ଦୋକାନୀକୁ ବିଭିନ୍ନ ପ୍ରକାର ଆଇନର ପାଠ ପଢ଼ାଉଛନ୍ତି। ଦୋକାନ ଦୁଆରେ କାହିଁକି ରାଂପ ହୋଇନାହିଁ। ଯଦି ରାମ୍ପ କରିନା, ତା ହେଲେ ମୋର ଯାହା ଜିନିଷ ଦରକାର ଆସିକି ବାହାରେ ମୋତେ ଦେଇକି ଯିବ ବୋଲି ଯୁକ୍ତି କରୁଛନ୍ତି। ଯଦି ଦୋକାନୀ ଏଥିରେ ରାଜି ନ ହୁଅନ୍ତି, ତା ହେଲେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରନ୍ତି। ଆଉ ଥାନାରେ ଯାଇ ତାଙ୍କ ବିରୋଧରେ ଏଫ୍ଆଇଆର ଦେଉଛନ୍ତି।
ସେହିପରି ବସରେ ଅନ୍ୟ କୌଣସି ଜାଗାକୁ ଯିବାକୁ ହେଲେ ବସ୍ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାରର ହଇରାଣ ହରକତ କରୁଛନ୍ତି। ବସ୍ କର୍ମଚାରୀଙ୍କୁ ତଳୁ ଥାଇ ଡାକନ୍ତି, ମୋତେ ଆସି ତଳୁ ଉଠେଇକି ନେଇକି ଯାଅ କହନ୍ତି। ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କଠାରୁ ଭଡ଼ା ନ ନେବାକୁ ଯୁକ୍ତି କରୁଛନ୍ତି। ଖାଲି ଏତିକି ନୁହେଁ, ଯେଉଁଠି ଦେଖିବେ ସେଇଠାରେ ବସକୁ ଅଟକାଇ ଚଢ଼ିବାକୁ ଚେଷ୍ଟା କରନ୍ତି। ନ ହେଲେ ଆଇନର ଧମକ ଦେଇ ଗାଳିଗୁଲଜ କରନ୍ତି।
କିଛିଦିନ ପୂର୍ବରୁ ଦୋବଲ ଷ୍ଟେଟ ବ୍ୟାଙ୍କକୁ ଆସିଥିଲେ। ତାଙ୍କ ଜମାଖାତା କାହିଁକି ଅଚଳ ସେନେଇ ବ୍ୟାଙ୍କ ମ୍ୟାନେଜରଙ୍କୁ ପଚାରିଲେ। ବ୍ୟାଙ୍କ ମ୍ୟାନେଜର କହିଲେ ଯେ, ଆପଣଙ୍କ ଋଣ ସୁଝି ନଥିବାରୁ ଜୋନାଲ୍ ଅଫିସ ଆପଣଙ୍କ ଖାତାକୁ ଫ୍ରିଜ କରିଛନ୍ତି। ସେଇଠୁ କରୁଣାକର ରାଗି ଗାଳିଗୁଲଜ କଲେ। ବ୍ୟାଙ୍କ ଭିତରେ କାଗଜପତ୍ର ଟଣାଓଠରା କଲେ ଓ ଚିରା ଫିଙ୍ଗା କଲେ। ଏତିକିରେ ଚୁପ୍ ରହିନଥିଲେ। ଧାମନଗର ଥାନାକୁ ଯାଇ, ବ୍ୟାଙ୍କ ମ୍ୟାନେଜର ଦୁର୍ବ୍ୟହାର କରିଛନ୍ତି ବୋଲି ମିଛ ଏଫ୍ଆଇଆର ଦେଲେ। ତା ପରେ ସେଠାରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥାନା ଓ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ଅଭିଯୋଗ କରିଥିଲେ।ରାସ୍ତାଘାଟରେ ଯେଉଁଠି ବି ସରକାରୀ ଅଧିକାରୀଙ୍କୁ ଦେଖନ୍ତି, ତାଙ୍କୁ ଅଟକାଇ ବିଭିନ୍ନ ଅଭିଯୋଗ କରିବା ସହିତ ଶିଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ କରନ୍ତି। ଏଥିରୁ ବ୍ୟତିକ୍ରମ ହେଲେ ଗାଳିଗୁଲଜ କରନ୍ତି। ନ ହେଲେ ରାଜ୍ୟ ଦିବ୍ୟାଙ୍ଗ ସଂଘକୁ ଜଣାଇ ହୋ ହଲ୍ଲା କରନ୍ତି। ଏସବୁ ତାଙ୍କର ନିୟମିତ କାର୍ଯ୍ୟ ହୋଇଗଲାଣି।
କେବଳ ଏତିକି ନୁହେଁ,ଜଣେ ଦିଵ୍ୟାଙ୍ଗ ବ୍ୟକ୍ତି ଗୋଟାଏ ଟ୍ରାଇସାଇକେଲ ପାଉନଥିବାବେଳେ ଦିବ୍ୟାଙ୍ଗ ନେତା ହେବାର ସୁଯୋଗ ନେଇ ଅତି ଚଞ୍ଚକତା ପୂର୍ବକ ସେ ତିନି ତିନିଟି ଟ୍ରାଇସାଇକେଲ ମଧ୍ୟ ହାତେଇଛନ୍ତି। ତେଣୁ ଏଭଳି ଅସାମାଜିକ ବ୍ୟକ୍ତି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି