ଭୁବନେଶ୍ୱର : ନିଶା ମୁକ୍ତ ଭାରତ ଅଭିଯାନ (ଏନଏମବିଏ) ପାଇଁ କାର୍ଯ୍ୟ ଖସଡା ଦାଖଲ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାକୁ କହିଛନ୍ତି । ଏହି ପଦକ୍ଷେପ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ଦ୍ୱାରା ଚଳାଯାଉଛି ।
ରାଜ୍ୟ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ନିକଟରେ ଯଥାଶୀଘ୍ର ଏନଏମବିଏ କାର୍ଯ୍ୟ ଖସଡା ଦାଖଲ ପାଇଁ କୁହାଯାଇଛି । ଯୁବମାନଙ୍କୁ ନିଶା ଠାରୁ ଦୂରେଇ ରଖିବା ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ନିଶାମୁକ୍ତ କରିବାପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ୨୦୨୦ ଅଗଷ୍ଟ ୧୫ ତାରିଖରେ ଦେଶର ୨୭୨ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରିଛନ୍ତି । ଓଡିଶାରେ ସମସ୍ତ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ପାଇଁ କେନ୍ଦ୍ରୀୟ ମନ୍ତ୍ରାଳୟ ସ୍ଥିର କରିଛି ।
ନିଶା ମୁକ୍ତ ଭାରତ ଯୋଜନା କାର୍ଯ୍ୟକାରୀ ପାଇଁ କେନ୍ଦ୍ର ସରକାର ନେସନାଲ ଆକ୍ସନ ପ୍ଲାନ ଫର ଡ୍ରଗ ଡିମାଣ୍ଡ ରିଡକସନ (ଏନଏପିଡିଡିଆର) ଜରିଆରେ ପାଣ୍ଠି ଯୋଗାଇଦେବେ । ତେଣୁ ନିଜ ନିଜ ଜିଲ୍ଲାରେ ଜିଲ୍ଲା ନିଶା ମୁକ୍ତ ଭାରତ ଅଭିଯାନ କମିଟି ଗଠନ ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ କୁହାଯାଇଛି । ଯେଉଁ ଜିଲ୍ଲାଗୁଡିକ ଏନଏପିଡିଡିଆର ଯୋଜନାରେ ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲି ନାହାନ୍ତି ତୁରନ୍ତ ସେମାନଙ୍କୁ ଏହା ଖୋଲିବାପାଇଁ ବିଭାଗ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବି ରାଧିକା ଚକ୍ରବର୍ତ୍ତୀଙ୍କ ଠାରୁ ପତ୍ର ପାଇବାପରେ ରାଜ୍ୟ ସରକାର ଡିଏସଏସଓମାନଙ୍କୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଯୁବକ, ଶିଶୁ, ଶିକ୍ଷାନୁଷ୍ଠାନମାନଙ୍କ ସହଯୋଗରେ ସମଗ୍ର ଦେଶରେ ବ୍ୟାପକ ଭାବରେ ନିଶା ମୁକ୍ତ ଅଭିଯାନ ଚଳାଯାଉଛି । ବର୍ତ୍ତମାନ ସୁଦ୍ଧା ଏହି କାର୍ଯ୍ୟକ୍ରମ ଜରିଆରେ ୧୦ କୋଟିରୁ ଅଧିକ ଲୋକଙ୍କୁ ସଚେତନ କରାଯାଇଥିବା ଯୁଗ୍ମ ସଚିବ ଉଲ୍ଲେଖ କରିଛନ୍ତି । ନିଶା ମୁକ୍ତ ଭାରତ ଅଭିଯାନ ଜରିଆରେ ତିନି ଥାକିଆ ପଦକ୍ଷେପ ନିଆଯାଉଛି । ଏଥି ମଧ୍ୟରେ ନିଶା ସାମଗ୍ରୀ ଯୋଗାଣକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ନିୟନ୍ତ୍ରଣ କରାଯାଉଥିବାବେଳେ ମନ୍ତ୍ରଣାଳୟ ଦ୍ୱାରା ଲୋକଙ୍କୁ ବ୍ୟାପକ ସଚେତନ ଏବଂ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି ।