ଗୁଣାତ୍ମକ ଶିକ୍ଷାକୁ ନେଇ ଶିକ୍ଷା ବିଭାଗ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି ତାହା ହିନ୍ଦୋଳ ବ୍ଳକ୍ ଗଣ୍ଡାନାଳୀ ପଂଚାୟତ ଅନ୍ତର୍ଗତ ଗଣ୍ଡାନାଳୀ ସରକାରୀ ଉ.ପ୍ରା ବିଦ୍ୟାଳୟ ର ଶୋଚନୀୟ ଅବସ୍ଥାକୁ ଦେଖିଲେ ସ୍ପଷ୍ଟ ଭାବେ ଜଣାପଡୁଛି। ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ମୋଟ୍ ୧୪୭ ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି। କିନ୍ତୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଙ୍କ ପାଠ ପଢ଼ାଇବାକୁ କେବଳ ଜଣେ ଶିକ୍ଷକ ରହିଥିବା ବେଳେ ଏବେ କିଛିଦିନ ହେଲା ଗିରିଧରପ୍ରସାଦ ବିଦ୍ୟାଳୟରୁ ଜଣେ ଶିକ୍ଷକ ଡେପୁଟେସନ୍ ରେ ଆସି ଛାତ୍ରଛାତ୍ରୀ ଙ୍କୁ ପଢ଼ାଉଛନ୍ତି।
ସରକାର ଏବଂ ଜିଲ୍ଲା ଶିକ୍ଷାଧିକାରୀ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଗୁରୁତ୍ଵ ଦେଉଥିବା କହୁଥିବା ବେଳେ ଏଠାରେ କେଉଁଭଳି ଗୁଣାତ୍ମକ ଶିକ୍ଷାପ୍ରଦାନ କରାଯାଉଛି ବୋଲି ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ଗଣିତ ଇଂରାଜୀ ଓ ବିଜ୍ଞାନ ଭଳି ସମସ୍ତ ବିଷୟକୁ ଏବଂ ୭ଟି ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କୁ କିଭଳି ୨ ଜଣ ଶିକ୍ଷକ ଶିକ୍ଷାଦାନ ସମ୍ପନ୍ନ କରିବେ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ କୁ ଅନ୍ଧାରକୁ ଠେଲିଦେଇ ଏଠାରେ ଶିକ୍ଷାଦାନ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଯାହାକୁ ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ପିଲା ଙ୍କ ଭବିଷ୍ୟତ କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ସରକାର ଦୃଷ୍ଟି ଦେଇ ଶିକ୍ଷକ ପଦବୀ ପୂରଣ କରିବାକୁ ଅଭିଭାବକମାନେ ନିବେଦନ କରିଛନ୍ତି।
ଦୀପକ କୁମାର ନାଏକ,ହିନ୍ଦୋଳ