ଆଫଗାନିସ୍ତାନର ଐତିହାସିକ ବିଜୟ। ବିଶ୍ୱକପରେ ଆଜି ପାକିସ୍ତାନକୁ ଧୂଳି ଚଟାଇଛି ଆଫଗାନିସ୍ତାନ। ପୂର୍ବରୁ ଇଂଲଣ୍ଡକୁ ହରାଇଥିବା ଆଫଗାନିସ୍ତାନ ଟିମ ଆଜି ଚେନ୍ନାଇରେ ପାକିସ୍ତାନକୁ ୮ ୱିକେଟରେ ହରାଇ ଦେଇଛି।
ବିଶ୍ୱକପରେ ଇତିହାସ ବଦଳାଇ ଦେଇଛି ଆଫଗାନିସ୍ତାନ। ପାକିସ୍ତାନକୁ ଭାରତ ମାଟିରେ ଆଣ୍ଠେଇ ଦେଇଛି ଆଫଗାନିସ୍ତାନ। ଉଭୟ ବୋଲିଂ ଓ ବ୍ୟାଟିଂରେ ଦଳ ଜବରଦସ୍ତ ପ୍ରଦର୍ଶନ କରିଛି। ଚଳିତ ବିଶ୍ୱକପରେ ଏହା ଆଫଗାନିସ୍ତାନର ଦ୍ୱିତୀୟ ବିଜୟ।
ପାକିସ୍ତାନ ବିପକ୍ଷରେ ଏହା ଆଫଗାନିସ୍ତାନର ପ୍ରଥମ ଦିନିକିଆ ବିଜୟ। ଏହାପୂର୍ବରୁ କୌଣସି ବି ଦିନିକିଆ ମ୍ୟାଚ୍ରେ ଆଫଗାନିସ୍ତାନ କେବେ ହେଲେ ବି ପାକିସ୍ତାନକୁ ହରାଇ ନଥିଲା। ଉଭୟ ଦଳ ୭ଥର ଦିନିକିଆରେ ମୁହାଁମୁହିଁ ହୋଇଥିବା ବେଳେ ସବୁଥର ପାକିସ୍ତାନ ବାଜି ମାରିଥିଲା।
ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୮୨ ରନ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ୬ ବଲ ପୂର୍ବରୁ ୨ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ଦଳ ପକ୍ଷରୁ ଇବ୍ରାହିମ ଜଡ୍ରାନ ୮୭, ରହମନୁଲ୍ଲା ଗୁରବାଚ ୬୫, ରମମତ ଶାହ ଅପରାଜିତ ୭୭ ଓ ଅଧିନାୟକ ହଶମତୁଲ୍ଲା ଶାହିଦି ୪୮ ରନର ଇନିଂସ ଖେଳିଛନ୍ତି। ଦମଦାର ୮୭ ରନର ଇନିଂସ ଖେଳିଥିବା ଜଡ୍ରାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଛି।
୨୮୩ ରନ ଟାର୍ଗେଟ ପାଇଥିବା ଆଫଗାନିସ୍ତାନ ପାଇଁ ଦୁଇ ଓପନର ରହମନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦ୍ରାନ ଜବରଦସ୍ତ ବ୍ୟାଟିଂ କରିଥିଲେ। ପ୍ରଥମ ୱିକେଟ ପାଇଁ ଦମଦାର ବ୍ୟାଟିଂ କରି ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ୧୩୦ ରନ ଭାଗିଦାରୀ କରିଥିଲେ।