ଭଞ୍ଜନଗର,୨୭/୧୦ : ରାତିରେ ନିଜ ଧାନ ଫସଲ ଜଗିବାକୁ ଯାଇଥିବା ଜଣେ ଚାଷୀଙ୍କ ହାତୀ ହାବୁଡରେ ପଡି ଜୀବନ ଯାଇଛି। ଏଭଳି ଦୁଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ବନାଞ୍ଚଳର ଗୁଣ୍ଡୁରିବାଡି ଗ୍ରାମରେ। ନିକଟସ୍ଥ ଡାଳଖାଇ ପଦରମାଳ ନିକଟରେ ଗୁଣ୍ଡୁରିବାଡି ଗ୍ରାମର ଗ୍ରାମର ଦିବଙ୍ଗତ ଗଙ୍ଗା ଗୌଡଙ୍କ ପୁଅ ଟୁନା ଗୌଡ(୫୨) ଗତକାଲି ଗ୍ରାମ ନିକଟରେ ସେ ଚାଷ କରୁଥିବା ଜମିକୁ ଧାନଫସଲ ଜଗିବାକୁ ଯାଇଥିଲେ। ଉକ୍ତ ଜମି ନିକଟରେ ଏକ ୧୭ ଟିକିଆ ହାତୀପଲ ହାବୁଡରେ ପଡି ମୃତ୍ୟୁ ବରଣ କରିଛନ୍ତି।
ଖବର ପାଇ ବନ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଭଞ୍ଜନଗର ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ କେସ୍ ନମ୍ବର ୪୭/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ଟୁନାଙ୍କ ଉକ୍ତ ଇଲାକାରେ ଚାଷ ଜମି ରହିଥିବା ବେଳେ ଗୁରୁବାର ରାତିରେ ଖାଇସାରି ୯ଟା ସମୟରେ ଗ୍ରାମର କିଛି ଲୋକଙ୍କ ସହ ମିଶି ଫସଲକୁ ସୁରକ୍ଷା ଦେବା ଟର୍ଚ୍ଚ,ଠେଙ୍ଗା,ଲାଇଟ ଆଦି ଧିର ଜମି ନିକଟକୁ ଯାଇଥିଲେ। ସେହି ସମୟରେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଏକ ୧୭ ଟିକିଆ ହାତୀପଲ ଚାଷ ଜମି ଆଡକୁ ବାହାରିଥିଲେ। ହଠାତ୍ ହାତୀକୁ ଦେଖି ଟୁନାଙ୍କ ସହ ଅନ୍ୟମାନେ ଦୌଡିବା ଆରମ୍ଭ କରିଥିଲେ। ଏହି ସମୟରେ ଟୁନା ତଳେ ପଡିଯିବା ସହ ହାତୀ ମାନଙ୍କ କବଳରୁ ମୁକୁଳି ପାରିନଥିଲେ। ଶୁଣ୍ଢରେ ଠେଲିବା ସହ ଶରୀରର ବିଭିନ୍ନ ସ୍ଥାନକୁ ଆଘାତ ଦେଇଥିଲେ। ଏହାସହ ଚାଷ ଜମିକୁ ମଧ୍ୟ ଦଳି ଚକଟି ନଷ୍ଟ କରିଦେଇଥିଲେ। ହିଂସ୍ର ହୋଇ ପଡିଥିବା ହାତୀକୁ ସାମ୍ନା କରିବାକୁ କେହି ସାହାସ ଜୁଟାଇ ପାରିନଥିଲେ କି ତାକୁ ରକ୍ଷା କରିପାରି ନଥିଲେ। ଅନେକ ସମୟ ପର୍ଯ୍ୟନ୍ତ ହାତୀପଲ ସେଠାରେ ରହିଥିବା ବେଳେ ହାତୀଙ୍କୁ ଟ୍ରାକ୍ କରିବାକୁ ଯାଇଥିବା ବନକର୍ମଚାରୀ ମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ। ବନ ବିଭାଗ କର୍ମଚାରୀ ମାନେ ଗ୍ରାମବାସୀଙ୍କ ସହାୟତାରେ ହାତୀଙ୍କୁ ଘଟଣାସ୍ଥଳରୁ ଘଉଡାଇବା ପରେ ଟୁନାଙ୍କୁ ଉଦ୍ଧାର କରିଥିଲେ।